କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କ ଲାଗି ଗୋଟିଏ ଡୋଜ ଟିକା ଯଥେଷ୍ଟ: BHU ଗବେଷକ

Published By : Prameya-News7 Bureau | May 30, 2021 IST

ବନାରସ ୩୦।୫: କରୋନା ଭାଇରସ ମହାମାରୀ ମୁକାବିଲା ଲାଗି ସାରା ଦେଶରେ ଏବେ ଯୁଦ୍ଧକାଳୀନ ଭିତ୍ତିରେ ଟିକାକରଣ ହେଉଛି। ଏହି ଟିକା ୨ଟି ଡୋଜର ହୋଇଥିବା ବେଳେ ସରିଯାଇଥିବାରୁ ଅନେକ ସ୍ଥା ନରେ କାର୍ଯ୍ୟକ୍ରମ ବନ୍ଦ କରି ଦିଆଯାଇଛି। ତେବେ କରୋନାରେ ଆକ୍ରାନ୍ତ ହୋଇ ସାରିଥିବା ଲୋକଙ୍କୁ ଟିକାର ଗୋଟିଏ ଡୋଜ ଯଥେଷ୍ଟ ବୋଲି ବନାରସ ହିନ୍ଦୁ ୟୁନିଭର୍ସିଟି( ବିଏଚୟୁ)ର ବୈଜ୍ଞାନିକ ଏକ ଗବେଷଣାରୁ ଜାଣିବାକୁ ପାଇଛନ୍ତି।  

ଥରେ କରୋନା ଆକ୍ରାନ୍ତ ହୋଇସାରିଥିବା ଲୋକଙ୍କୁ ଗୋଟିଏ ଡୋଜ ଟିକା ଦେବାର ୧୦ରୁ ୧୧ ଦିନ ମଧ୍ୟରେ ସେମାନଙ୍କ ଠାରେ ଆଣ୍ଟିବଡି ବିକଶିତ ହେଉଥିବା ଏହି ଅଧ୍ୟୟନରୁ ଜଣାପଡିଛି। ଏଣୁ ଏପରି ଲୋକଙ୍କ ଲାଗି ଟିକାର ଗୋଟିଏ ଡୋଜ ବ୍ୟବସ୍ଥା  କରିବାକୁ ବୈଜ୍ଞାନିକମାନେ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖିଛନ୍ତି। ତେବେ ଯେଉଁମାନେ ଆଦୌ କରୋନା ସଂକ୍ରମିତ ହୋଇ ନାହାନ୍ତି ସେମାନେ ଟିକା ନେବାର ୩ରୁ ୪ ସପ୍ତାହ ପରେ ସେମାନଙ୍କ ଠାରେ ଆଣ୍ଟିବଡି ସୃଷ୍ଟି ହେଉଛି।

ସରା ଦେଶରେ ଏପର୍ଯ୍ୟନ୍ତ ୨ କୋଟିରୁ ଅଧିକ ଲୋକେ କରୋନା ସଂକ୍ରମଣରୁ ମୁକ୍ତ ହୋଇସାରିଛନ୍ତି। ଏଣୁ ଏପରି ଲୋକଙ୍କୁ ଟିକାର ଗୋଟିଏ ଡୋଜ ଦିଆଗଲେ କୋଭିଡ-୧୯ ବିରୋଧରେ ସେମାନଙ୍କଠାରେ ଯଥେଷ୍ଟ ଆଣ୍ଟିବଡି ସୃଷ୍ଟି ହୋଇପାରିବ ବୋଲି ଗବେଷକ କହିଛନ୍ତି।  ଏପରି କରାଗଲେ ଟିକା ବଞ୍ଚିବା ସହ ଅନ୍ୟ ଲୋକଙ୍କ କାମରେ ବି ଆସି ପାରିବ ବୋଲି ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ପତ୍ରରେ ସୂଚିତ କରିଛନ୍ତି।

ବିଏଚୟୁ ଜୁଲୋଜି ବିଭାଗର ପ୍ରଫେସର ଜ୍ଞାନେଶ୍ୱର ଚୌବେ ୨୦ ଜଣଙ୍କ ଠାରେ କରାଯାଇଥିବା ପାଇଲଟ ସର୍ଭେକ୍ଷଣରୁ ଏହା ଜଣାପଡିଥିବା ଗଣମାଧ୍ୟମକୁ କହିଛନ୍ତି। ଏଥିରେ କରାଯାଇଥିବା ଅଧ୍ୟୟନରେ କୋଭିଡ ଆକ୍ରାନ୍ତ ସୁସ୍ଥ ହେବା ପରେ ସେମାନଙ୍କ ଠାରେ ସୃଷ୍ଟି ହେଉଥିବା ପ୍ରାକୃତିକ ଆଣ୍ଟିବଡି କିଛି ମାସ ପରେ ହରାଉଥିବାର ଜଣାପଡିଛି। ଏଥିରେ ଟିକାକରଣ କରିଥିବା ଲୋକେ କରୋନା ପ୍ରତିରୋଧକ ଶକ୍ତି ହାସଲ କରିପାରିବେ ବୋଲି ପ୍ରଫେସର ଚୌବେ କହିଛନ୍ତି।

ସାର୍ସ କୋଭ-୨ ବିରୋଧରେ ପ୍ରାକୃତିକ ଆଣ୍ଟିବଡିର ଭୂମିକା ଶୀର୍ଷକ ଏହି ଗବେଷଣାରେ ବିଏଚୟୁର ନ୍ୟୁରୋଲଜି ବିଭାଗର ପ୍ରଫେସର ବି.ଏନ.ମିଶ୍ର ଓ ଅଭିଷେକ ପାଠକ ଅଂଶ ଗ୍ରହଣ କରିଥିବା ବେଳେ ଜୁଲୋଜି ବିଭାଗର ପ୍ରେଫେସର ଜ୍ଞାନେଶ୍ୱର ଚୌବେ, ପ୍ରଜ୍ୱଲ ସିଂହ ଓ ପ୍ରଣବ ଗୁପ୍ତା ପ୍ରମୁଖ ଭାଗନେଇଥିଲେ। ବିଏଚୟୁର ଏହି ବୈଜ୍ଞାନିକ ଗବେଷଣା ଆମେରିକାର ସାଇନ୍ସ ଜର୍ଣ୍ଣାଲ ଇମ୍ୟୁନୋଲଜିରେ ପ୍ରକାଶନ ଲାଗି ମଧ୍ୟ ପଠା ଯାଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.