ଭିତରକନିକାରେ ଲାଗିବ କ୍ୟାମେରା : ଜୀବଜନ୍ତୁ ଓ ଶିକାରୀଙ୍କ ଉପରେ ରହିବ ତୀକ୍ଷ୍ଣ ନଜର

Published By : Prameya-News7 Bureau | November 13, 2021 IST

ପଟ୍ଟାମୁଣ୍ଡାଇ,୧୩/୧୧:  କ୍ୟାମେରା ରେ କଏଦ ହବ ଭିତରକନିକା। ଭିତରକନିକାରେ ରହି ଆସୁଥିବା ପ୍ରତେକଟି ଜୀବଜନ୍ତୁଙ୍କ ଗତିବିଦ୍ଧିକୁ ଦିନ ହେଉ ବା ରାତି ନଜର ରଖିବ ଅତ୍ୟାଧୁନିକ ସିସିଟିଭି କ୍ୟାମେରା । କେବଳ ଯେ ଜୀବଜନ୍ତୁଙ୍କୁ ନଜର ରଖିବ ତାହା ନୁହେଁ ବରଂ ଶିକାରୀ ଓ ଶିକାରକୁ ଚିହ୍ନଟ କରିବ ସିସିଟିଭି ।

ଓଡିଶାର ଗର୍ବ ଆଉ ଗୌରବ ହେଉଛି ଭିତରକନିକା । ପ୍ରକୃତିର ଗନ୍ତାଘର ଭିତରକନିକାର ଶୋଭାକୁ ଦ୍ଵିଗୁଣିତ କରିଥାଏ ।ଏଠାରେ ରହି ଆସୁଥିବା ବଉଳା କୁମ୍ଭୀର, ଗୋରୀ, ମଲ୍ଲୀ, ବିଭିନ୍ନ ପ୍ରଜାତିର ହରିଣ, ହେଟାବାଘ, ଗୋଧି, ବାର୍ହା, ଓଧ  ,ହେନ୍ତାଳ ବନ ଓ ଦେଶୀ ବିଦେଶୀ ପକ୍ଷୀଙ୍କ କଳ କଳ ରାବ ପର୍ଯ୍ୟଟକଙ୍କୁ ବିମୋହିତ କରିଥାଏ । ତେବେ ଏମାନଙ୍କ ଗତିବିଧି ଓ ସୁରକ୍ଷା ଉପରେ ଗୁରୁତ୍ୱ ଦେଇ ଆଉ ପାଦେ ଆଗେଇଛି ବନ ବିଭାଗ । ପ୍ରଥମ ଥର ପାଇଁ ରାଜନଗର ରେଞ୍ଜର ବରୁଣେଇ , ଦୋବନ୍ଧି ,ଠାକୁରଡିଆ ଫରେଷ୍ଟ ବ୍ଳକ, ଅଙ୍ଗାରି ଫରେଷ୍ଟ ବ୍ଳକ ଆଦି ୨୦ଟି ସ୍ଥାନରେ ଅତ୍ୟାଧୁନିକ ସିସିଟିଭି କ୍ୟାମେରା ଲଗାଯିବ। ଏହି କ୍ୟାମେରାରେ ମାସେ ଯାଏ  ଭିଡିଓ ରେର୍କଡିଂ  ସଂରକ୍ଷିତ ହୋଇ ରହିପାରିବ । ଆଗକୁ ବନ ବିଭାଗ ଅଧିନରେ ଥିବା ୫ ଟି ରେଞ୍ଜରେ କ୍ୟାମେରା ଲଗାଯିବ ।

ଅଲ ଇଣ୍ଡିଆ ଟାଇଗର ଏଷ୍ଟିମେଶନ ୨୦୨୨ ଭାରତର ସବୁ ରାଜ୍ୟରେ ହେବ ବୋଲି ନୋଟିସ ଜାରି ହେଇସାରିଛି । ତେବେ ପୂର୍ବରୁ ସୁନ୍ଦରବନରେ ଏହି ସବୁ କ୍ୟାମେରା ଟ୍ରାପ୍ ହେଉଥିଲା । ଏବେ ଭିତରକନିକାରେ ଏହା କାର୍ଯ୍ୟକ୍ଷମ ହେବ । ଯଦ୍ୱାରା ଜନ୍ତୁଙ୍କ ଉପରେ ନଜର ରଖା ଯାଇପାରିବ । କର୍ମଚାରୀମାନେ ଠିକ୍ ଭାବେ କାର୍ଯ୍ୟ କରୁଛନ୍ତି କି ନାହିଁ ଓ ଶିକାରୀମାନେ କେତେ ସକ୍ରିୟ ଅଛନ୍ତି ତାହା ଉପରେ ମଧ୍ୟ ନଜର ରଖାଯିବ ।  ତେବେ ସ୍ଥାନୀୟ ଲୋକେ ଓ ପରିବେଶବିତ୍ ଏହି ଯୋଜନାକୁ ନାପସନ୍ଦ କରିଛନ୍ତି । କ୍ୟାମେରା ଲଗାଇ  ଅଯଥା ଟଙ୍କା ଖର୍ଚ୍ଚ ନକରି ଅନ୍ୟ ଦିଗରେ ଦୃଷ୍ଟି ଦେବା ଆବଶ୍ୟକ ବୋଲି ସେମାନେ ମତବ୍ୟକ୍ତ କରିଛନ୍ତି  । ଅନ୍ୟପଟେ ପୂର୍ବରୁ ସୌର ବାଡ଼ ଲଗାଇ ବନ ବିଭାଗ କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିଲା । ଯାହା ରକ୍ଷଣାବେକ୍ଷଣ ଅଭାବରୁ ମାଟିରେ ମିଶିଯାଇଛି । ତେବେ ସିସିଟିଭି କେତେ ଫଳପ୍ରଦ ହେବ ତାହା ସମୟ କହିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.