Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଜାନୁଆରୀ ୨୬’ରେ ଇତିହାସ ରଚିବେ ଆଉ ଜଣେ ମହିଳା, ୨୦୨୦ରେ ପାଇଛନ୍ତି ‘ନାରୀ ଶକ୍ତି’ ପୁରସ୍କାର

21/01/2021 at 8:38 PM

ନୂଆଦିଲ୍ଲୀ ୨୧/୦୧:  ସାଧାରଣତନ୍ତ୍ର ଦିବସ (ଜାନୁଆରୀ ୨୬)ରେ ଇତିହାସ ରଚିବାକୁ ଯାଉଛନ୍ତି ଆଉ ଜଣେ ମହିଳା। ଭାରତୀୟ ବାୟୁସେନାର ମହିଳା ଫାଇଟର ପାଇଲଟ୍‌ ଭାବନା କାନ୍ତ ନୂଆ ରେକର୍ଡ ରଚିବେ। ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ପ୍ରଥମ ମହିଳା ଫାଇଟର ପାଇଲଟ୍‌ ଭାବେ ଅଂଶଗ୍ରହଣ କରିବେ ଭାବନା। ‘ମେକ୍‌ ଇନ୍‌ ଇଣ୍ଡିଆ’ ଥିମ ଉପରେ ଆଧାରିତ ଭାରତୀୟ ବାୟୁସେନାର ଗ୍ରୁପରେ ସାମିଲ ହେବେ ଭାବନା କାନ୍ତ। ଏଥିରେ ତେଜସ୍‌, ଲାଇଟ୍‌ କମ୍ବାଟ୍‌ ହେଲିକପ୍ଟର, ଆକାଶ ମିସାଇଲ୍‌ ଏବଂ ସୁଖୋଇ ୩୦ଏମକେଆଇ ଭଳି ଫାଇଟର ଜେଟ୍‌ ପ୍ରଦର୍ଶିତ କରାଯିବ।

ଭାରତୀୟ ବାୟୁସେନା​‌ର ପ୍ରଥମ ମହିଳା ଫାଇଟର ପାଇଲଟ ଭାବେ ମଧ୍ୟ ଭାବନା ରେକର୍ଡ କରିଛନ୍ତି। ଭାବନାଙ୍କ ସହ ଅବନୀ ଚତୁର୍ବେଦୀ  ଓ ମୋହନା ସିଂହ ୨୦୧୬ରେ ଆଇଏଏଫରେ ଯୋଗ ଦେଇଥିଲେ। ଭାରତକୁ ଗର୍ବିତ କରିଥିବା ଭାବନାଙ୍କୁ ଅଭିନନ୍ଦନର ସୁଅ ଛୁଟିଆସିଛି। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ହର୍ଷବର୍ଦ୍ଧନ ଟ୍ବିଟ୍‌ରରେ ଲେଖିଛନ୍ତି, ‘ଭାବନା ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ସାମିଲ ହେବାକୁ ଯାଉଥିବା ପ୍ରଥମ ମହିଳା ଫାଇଟର ପାଇଲଟ୍‌। ଏହା ପୂରା ଦେଶ ପାଇଁ ଏକ ଗର୍ବର ସମୟ।’

ଭାବନା ଏବେ ରାଜସ୍ଥାନ ସ୍ଥିତି ବାୟୁସେନା ଘାଟିରେ ମୁତୟନ ଅଛନ୍ତି। ସେଠାରୁ ସେ ମିଗ୍‌-୨୧ ବାଇସନ୍‌ ଫାଇଟର ପ୍ଲେନ୍‌ ଉଡ଼ାଉଛନ୍ତି। ୨୦୨୦ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଭାବନାଙ୍କୁ ନାରୀ ଶକ୍ତି ପୁରସ୍କରରେ ସମ୍ମାନିତ କରିଥିଲେ।

ଅନ୍ୟପଟେ ନିଜ ସ୍ବପ୍ନ ପୂରା ହେବାକୁ ଯାଉଥିବା ବେଳେ ଭାବନାଙ୍କ ଖୁସି କହିଲେ ନସରେ। ଭାବନା କହିଛନ୍ତି ଯେ, ସେ ପିଲା ବେଳେ ଟିଭିରେ ସାଧାରଣତନ୍ତ୍ର ଦିବସର ପରେଡ୍‌ ଦେଖୁଥିଲେ। କିନ୍ତୁ ଆଜି ସେହି ପରେଡ୍‌ରେ ଅଂଶଗ୍ରହଣ କରୁଥିବାରୁ ସେ ବହୁତ ଖୁସି ଅଛନ୍ତି। ସାଧାରଣତନ୍ତ୍ର ଦିବସ ପରେଡରେ ସାମିଲ ହେବା ଗର୍ବର କଥା ବୋଲି କହିଛନ୍ତି ଭାବନା। ତେବେ ଲୋକଙ୍କ ଆଶା ଅନୁସାରେ ପ୍ରଦର୍ଶନ କରିବେ ବୋଲି କହିବା ସହ ପରେଡ୍‌ରେ ସୁଖୋଇ, ରାଫେଲ ବିମାନ ଉଡ଼ାଇବାକୁ ଇଚ୍ଛା ରଖିଛନ୍ତି ଭାବନା କାନ୍ତ। ଭାବନାଙ୍କ ଆଉ ଏକ ଉପଲବ୍ଧି ହେଉଛି ସେ ଯୁଦ୍ଧ ସମୟରେ ଦିନ ବେଳା ଫାଇଟର ଜେଟ୍‌ ଉଡ଼ାଇବା ପାଇଁ ଯୋଗ୍ୟତା ହାସଲ କରିଥିବା ପ୍ରଥମ ମହିଳା ଫାଇଟର ପାଇଲଟ୍‌। ଏହି ଯୋଗ୍ୟତା ୨୦୧୯ରେ ହାସଲ କରିଥିଲେ ଭାବନା।

   Related Posts