ଉଦଳାରୁ ବିଜେଡି ପ୍ରାର୍ଥୀ ଶ୍ରୀନାଥ ସୋରେନଙ୍କ ପ୍ରାର୍ଥିତ୍ବକୁ ବିରୋଧ, ନବୀନ ନିବାସ ଆଗରେ ନାରାବାଜି

Published By : Prameya-News7 Bureau | April 04, 2019 IST

ଭୁବନେଶ୍ବର ୪|୪: ନବୀନ ନିବାସ ଆଗରେ ନାରାବାଜି କରିଛନ୍ତି ବାଥୁଡି ସଂପ୍ରଦାୟ । ଉଦଳାରୁ ବିଜେଡି ପ୍ରାର୍ଥୀ ଶ୍ରୀନାଥ ସୋରେନଙ୍କ ପ୍ରାର୍ଥିତ୍ବକୁ ବିରୋଧ କରିଛନ୍ତି । ବାଥୁଡି ସଂପ୍ରଦାୟରୁ ଜଣଙ୍କୁ ପ୍ରାର୍ଥୀ କରିବାକୁ ଦାବି କରିଛନ୍ତି ।

ଗତକାଲି ନବୀନ ନିବାସ ସମ୍ମୁଖରେ ଜଣେ ମହିଳା ସମସ୍ତଙ୍କ ସମ୍ମୁଖରେ ନିଜ ଦେହରେ କିରୋସିନି ଢାଳି ଆତ୍ମହୁତୀ ଉଦ୍ୟମ କରିଥିଲେ । ଉଦଳାର ବିଜେଡି ବିଧାୟକ ପ୍ରାର୍ଥୀ ଶ୍ରୀନାଥ ସୋରେନଙ୍କ ବିରୋଧରେ ଅସଦାଚାରଣ ଓ ଠକେଇ ଅଭିଯୋଗ କରି ସେ ଆତ୍ମହୁତୀ ଉଦ୍ୟମ କରିଥିଲେ। ମହିଳାଙ୍କୁ ପୋଲିସ ଉଦ୍ଧାର କରି ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚାକିରୀ କରାଇଦେବାକୁ କହି ସଂପୃକ୍ତ ମହିଳାଙ୍କଠାରୁ ଶ୍ରୀନାଥ ଲକ୍ଷେ ଟଙ୍କା ନେଇଥିବାବେଳେ ତାଙ୍କୁ ଅସଦାଚାରଣ କରିଥିବା ପୀଡିତା ମହିଳା ଗଣମାଧ୍ୟମକୁ କହିଥିଲେ ।

ଏହି ଘଟଣା ୨୦୧୩ ମସିହାର । ୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ ଶ୍ରୀନାଥ ସୋରେନ୍ ଉଦଳାର ବିଧାୟକ ଥିଲେ । ୨୦୧୩ ମସିହାରେ ଦିନେ ସନ୍ଧ୍ୟାରେ ବିଧାୟକ ଶ୍ରୀନାଥ ସୋରେନ୍ ଏବଂ ତାଙ୍କର ଜଣେ ସହଯୋଗୀ ଏହି ମହିଳାଙ୍କୁ ଅସଦାଚାରଣ କରିଥିଲେ ବୋଲି ଥାନାରେ ମାମଲା ରୁଜୁ ହୋଇଥିଲା । ପରବର୍ତ୍ତୀ ସମୟରେ ଏହି ମାମଲାରୁ ଶ୍ରୀନାଥ ସୋରେନଙ୍କ ନାଁ କାଟିଦିଆଯାଇଥିଲା । ଏବେ ମଧ୍ୟ ଶ୍ରୀନାଥଙ୍କ ସହଯୋଗୀଙ୍କ ବିରୋଧରେ ଏହି ମାମଲା ଅଦାଲତରେ ବିଚାରାଧିନ ରହିଛି । ଏଭଳି ଅଭିଯୋଗ ଯୋଗୁଁ ୨୦୧୪ ମସିହାରେ ଶ୍ରୀନାଥଙ୍କୁ ଉଦଳାରୁ ଟିକେଟ୍ ମିଳିନଥିଲା । ସେଠାରୁ ଦଳ ଗୋଲକ ନାୟକଙ୍କୁ ପ୍ରାର୍ଥୀ କରିଥିଲା । ସପୃକ୍ତ ଘଟଣାର ନ୍ୟାୟ ଏପର୍ଯ୍ୟନ୍ତ ମିଳିନଥିବାରୁ ମହିଳା ଜଣଙ୍କ ହତାଶ ଥିବା କୁହାଯାଉଛି । ପୁଣି ଯେତେବେଳେ ଶ୍ରୀନାଥଙ୍କୁ ବିଜେଡି ଟିକେଟ୍ ଦେଲା ସେତେବେଳେ ଏହାର ପ୍ରତିବାଦ କରିବା ପାଇଁ ମହିଳା ଆତ୍ମାହୁତୀ ଉଦ୍ୟମ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.