ଭତ୍ତା ଚୋରିର ଭୟଙ୍କର ରାକେଟ୍, ମୃତକଙ୍କ ଟିପ ଚିହ୍ନ ନେଇ ବାବୁ ମାଲେମାଲ

Published By : Prameya-News7 Bureau | July 02, 2020 IST

ଭଦ୍ରକ, ୦୨|୦୭:  ଯେତେ ଯୋଜନା, ସେତେ ଠକେଇ । ଆଉ ଠକେଇର କାର୍ପଟଦାର ହେଉଛନ୍ତି ଖୋଦ ସରକାରୀ ବାବୁ । ଏମିତି କି ଡର ଭୟ ଭୁଲି ଖୁଲମଖୁଲା ଲୁଟୁଛନ୍ତି । ସରକାରୀ ଯୋଜନାରେ ହିତାଧିକାରୀଙ୍କୁ ମିଳୁଥିବା ଟଙ୍କାକୁ ମଧ୍ୟ ହଡପ କରୁଛନ୍ତି । ବାବୁଙ୍କ ନିକଟରେ ଏମିତି ପାୱାର ଅଛି ଯେ ଭତ୍ତା ପାଉଥିବା ହିତାଧିକାରୀ ମୃତ୍ୟୁ ବରଣ ପରେ ମଧ୍ୟ ତାଙ୍କ ନାମରେ ଟିପ ଚିହ୍ନ ଦେଇ ଉଠାଇନେଇଛନ୍ତି ଟଙ୍କା । ଆଉ ଏବେ ଆରଟିଆଇ ତଥ୍ୟ ରେ ସାମ୍ନା କୁ ଆସିଛି ଆଉ ଏକ କେଳେଙ୍କାରୀ ।

ବୟସ୍କ, ଦିବ୍ୟାଙ୍ଗ, ବିଧବାଙ୍କ ସମୃଦ୍ଧି ପାଇଁ ରାଜ୍ୟ ସରକାର ଦେଉଛନ୍ତି ମାସିକ ଭତ୍ତା । ଭତ୍ତା ନେଇ ଉପକୃତ ହେଉଛନ୍ତି ଲୋକେ । କିନ୍ତୁ ଯଦି ଜଣେ ଭତ୍ତା ପାଉଥିବା ହିତାଧିକାରୀଙ୍କର ମୃତ୍ୟୁ ହୁଏ ତେବେ ଏହି ଟଙ୍କା ସରକାରୀ ତହବିଲକୁ ଫେରିବା କଥା । କିନ୍ତୁ ଏହି କଥା ଭୁଲିଗଲେ ଦାୟିତ୍ଵରେ ଥିବା ସରକାରୀ ବାବୁ । ମୃତ ହିତାଧିକାରୀଙ୍କୁ ଜୀବିତ ଦର୍ଶାଇ ଟିପ ଚିହ୍ନ ଦେଇ ସବୁ ଟଙ୍କା ପକେଟରେ ପୁରେଇଦେଲେ । ଆମେ କହୁଛୁ ଭଦ୍ରକ ଜିଲ୍ଲା କଲେଇ ପଞ୍ଚାୟତର କଥା । ଏଠି ସାଂଘାତିକ ଠକେଇ । ଅସହାୟଙ୍କ ଟଙ୍କା ଖାଇଗଲେ ବାବୁ । ଏହି ତଥ୍ୟ ଆସିଛି ସୂଚନା ଅଧିକାର ଆଇନ ବଳରେ ।  ତଥ୍ୟ ଅନୁଯାୟୀ, ଗାଁରେ ବହୁ ଭତ୍ତା ପାଉଥିବା ହିତାଧିକାରୀଙ୍କ ମୃତ୍ୟୁ ହୋଇଛି । ଏ ଏନ ଏମ ଙ୍କ ରିପୋର୍ଟରେ ସମସ୍ତଙ୍କ ମୃତ୍ୟୁର ସ୍ଥାନ , ବୟସ , କାରଣ ଓ ତାରିଖ ର ତଥ୍ୟ ରହିଛି । କିନ୍ତୁ ଭତ୍ତା ଖାତା ରେ କିନ୍ତୁ ଏମାନେ ଜୀବିତ । କାରଣ ମାସକୁ ମାସ କିଏ ଏହି ରେଜିଷ୍ଟରରେ ଟିପ ଚିହ୍ନ ଦେଉଛି , ଆଉ ଟଙ୍କା ମଧ୍ୟ ନେଉଛି ।

ସତ ପରକ୍ଷୀବା ପାଇଁ ନ୍ୟୁଜ୭ ଟିମ୍ ପହଞ୍ଚିଥିଲା କଲେଇ ପାଞ୍ଚାୟତର ଓଲୁଟୁଙ୍ଗା ଗାଁର ରମ୍ଭା ବନ୍ଧଙ୍କ ଘରେ । ଘରୁ ବାହାରକୁ ଆସିଥିଲେ ତାଙ୍କ ବୋହୁ । ଆଉ ପଚାରିବାରୁ କହିଥିଲେ ଯେ ଶାଶୁ ବହୁଦିନ ହେବ ମୃତ୍ୟୁବରଣ କଲେଣି । ତାଙ୍କ ଭତ୍ତା ଖାତା ମଧ୍ୟ ଦେଖାଇଲେ । କିନ୍ତୁ ଶାଶୁଙ୍କ ମୃତ୍ୟୁ ପରେ ସେ ଟଙ୍କା ନେଇନାହାନ୍ତି । ସୂଚନାଧିକାର ରିପୋର୍ଟ କହୁଛି ଯେ ରମ୍ଭା ଫେବୃୟାରୀ ମାସ ପର୍ଯ୍ୟନ୍ତ ଟିପ ଚିହ୍ନ ଦେଇ ଭତ୍ତା ଟଙ୍କା ନେଇଛନ୍ତି । କିନ୍ତୁ ଏ ଏନ ଏମ ଙ୍କ ରିପୋର୍ଟ କହୁଛି । ରମ୍ଭା ବନ୍ଧ ୭୨ ବର୍ଷ ବୟସ ରେ ନିଜ ଘରେ ୨୦୧୯ ମସିହା ସେପ୍ଟେମ୍ବର ମାସ ୧୯ ତାରିଖ ଦିନ ମୃତ୍ୟୁ ବରଣ କରିଛନ୍ତି । ଶୁଣନ୍ତୁ କଣ କହୁଛନ୍ତି ମୃତ ରମ୍ଭା ବନ୍ଧଙ୍କ ବୋହୁ । ଏହାପରେ ଚୂନିଦା ଗାଁର ରୁକ୍ମଣୀ ଜେନାଙ୍କ ପରିବାର ସହ ସମ୍ପର୍କ କରାଯାଇଥିଲା । ଏଇଠି ମଧ୍ୟ ସମାନ କଥା । କାରଣ ରୁକ୍ମଣି ଜେନା ମଧ୍ୟ ଭତ୍ତା ଟଙ୍କା ପାଉଛନ୍ତି । ତାଙ୍କ ଭତ୍ତା ବହି ମଧ୍ୟ ତାଙ୍କ ବୋହୁ ରଖିଛନ୍ତି କିନ୍ତୁ ରେଜିଷ୍ଟରରେ ଟିପ ଚିହ୍ନ ମଧ୍ୟ ରହିଛି । ଏ ଏନ ଏମ ରିପୋର୍ଟ ରେ ୨୦୧୯ ମସିହା ଜୁଲାଇ ମାସ ୧୯ ତାରିଖରେ ୯୨ ବୟସରେ ମୃତ୍ୟୁ ହୋଇଛି । ମୃତ୍ୟୁର ପଞ୍ଜୀକରଣ ହୋଇଛି ସେହି ମାସର ୨୭ ତାରିଖ ରେ । କିନ୍ତୁ ରୁକ୍ମଣୀଙ୍କ ବୋହୁ କହୁଛନ୍ତି ଯେ, ଶାଶୁଙ୍କ ମୃତ୍ୟୁ ପରେ ଭତ୍ତା ମିଳେ ନାହିଁ ବୋଲି ଜାଣିଛନ୍ତି , ସେଥି ପାଇଁ ସେ ଟଙ୍କା ପାଇଁ ଯାଇନାହାନ୍ତି ।

ଭତ୍ତା ଟଙ୍କା ଦିୟିତ୍ଵ ରେ ରହନ୍ତି ପଞ୍ଚାୟତ ନିର୍ବାହୀ ଅଧିକାରୀ । ଏବେ କିନ୍ତୁ କଲେଇ ପଞ୍ଚାୟତ ର ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କର ମୋବାଇଲ ଫୋନ ସୁଇଚ ଅଫ । ଯୋଗାଯୋଗ ପାଇଁ ଯେତେ ଚେଷ୍ଟା କଲେ ମଧ୍ୟ ବାବୁଙ୍କ ସହ ଯୋଗାଯୋଗ ହୋଇପାରି ନାହିଁ ।  ଘଟଣା ସାମ୍ନାକୁ ଆସିବା ପରେ ଏବେ ଭଦ୍ରକ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ କହୁଛନ୍ତି ଯେ, ତାଙ୍କ ନିକଟରେ ଖବର ନାହିଂ । ଏବେ ଘଟଣା ବିଷୟରେ କେହି ଲିଖିତ ଅଭିଯୋଗ ହେଲେ ତଦନ୍ତ ହେବ । ଯଦି କୌଣସି ହେରଫେରି ହୋଇଥିବ ତେବେ ଦାୟିତ୍ଵ ରେ ଥିବା ବାବୁଙ୍କ ଠାରୁ ଟଙ୍କା ଆଦାୟ ହେବ । ଏବେ ଗୋଟିଏ ପ୍ରଶ୍ନ ଯେ ଯେଉଁ ଅଧିକାରୀ ଟଙ୍କା ହଡପ କରୁଛନ୍ତି ତାଙ୍କୁ ଏତେ ଅନୁକମ୍ପା କଣ ପାଇଁ ? କେବଳ ଟଙ୍କା ଅଦାୟ କରିଲେ କଣ ସମାଧାନ ହୋଇଯିବ କି ? ନା କୌଣସି ପ୍ରକାର ପ୍ରଭାବଶାଳୀ ଙ୍କ ଛାତ୍ରଛାୟା ତଳେ ରହୁଛନ୍ତି ଏହି ବାବୁ ?

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.