ଦେବାଳିଆ ସାଟାଲାଇଟ୍ କମ୍ପାନୀ One webର ନିଲାମ ନେଲେ ଭାରତୀ ଗ୍ଲୋବାଲ

Published By : Prameya-News7 Bureau | July 03, 2020 IST

ନୂଆଦିଲ୍ଲୀ ୩।୭: ସୁନୀଲ ମିତ୍ତଲଙ୍କ ଭାରତୀ ଏଣ୍ଟରପ୍ରାଇଜର୍ସ ବ୍ରିଟେନ ସରକାରଙ୍କ ସହ ମିସି ଦେବାଳିଆ ସାଟେଲାଇଟ୍‌ କମ୍ପାନୀ ୱାନ୍‌ ୱେବ୍‌କୁ ନିଲାମ ନେଇଛନ୍ତି। ଏହି ସାଟେଲାଇଟ୍‌ରେ ବ୍ରଡବେଣ୍ଡ ଅପରେସନ ମଧ୍ୟ ଥିଲା। ବ୍ରିଟେନ ସରକାର ଓ ଭାରତୀ ଗ୍ଲୋବାଲ ୱାନ୍‌ ୱେବ୍‌ରେ ୧୦୦ କୋଟି  ଡଲାର ନିବେଶ କରି ପୃଥିବୀ ନିମ୍ନ କକ୍ଷରେ ଉପଗ୍ରହଙ୍କ ଏକ ଶୃଙ୍ଖଳା ସ୍ଥାପନ କରିବେ। ଫଳରେ ବ୍ରଡବେଣ୍ଡ ସହ ଅନ୍ୟ ସେବା ମଧ୍ୟ ଯୋଗାଇ ଦେବେ।

ମିଳିଥିବା ସୂଚନା ଅନୁସାରେ ବ୍ରିଟେନ ସରକାର ୱାନ୍‌ ୱେବ୍‌ରେ ୫୦ କୋଟି ଡଲାର ନିବେଶ କରିବେ। ସେହିପରି ଭାରତୀ ଗ୍ଲୋବାଲ ମଧ୍ୟ ସମପରିମାଣର ନିବେଶ କରି ଏହାର ପରିଚାଳନା ଦାୟିତ୍ୱ ହାତକୁ ନେବେ। ଭାରତୀ ଏଣ୍ଟରପ୍ରାଇଜର୍ସର ଚେୟାରମେନ୍‌ ସୁନୀଲ ମିତ୍ତଲ ନିଲାମ ହାସଲ ନେଇ ସୂଚିତ କରିବା ସହ ଏହା ଦ୍ୱାରା ୟୁନିଭର୍ସାଲ ବ୍ରଡବ୍ୟାଣ୍ଡ କନେକ୍ଟିଭିଟି ଲାଗି ପ୍ରତିଶ୍ରୁତି ପୁରଣ କରିବା ଏବେ ସମ୍ଭବ ହେବ ବୋଲି ସେ କହିଛନ୍ତି।

କେବଳ ଟେଲିଫୋନ ଅଥବା ଇଣ୍ଟରନେଟ୍ ନୁହେଁ ବିମାନ ଓ ସାମୁଦ୍ରିକ କ୍ଷେତ୍ରରେ ମଧ୍ୟ ୱାନୱେବ୍‌ର ବ୍ୟବସାୟୀକ ଉପଯୋଗ ହୋଇପାରିବ। ଗତ ମାର୍ଚ୍ଚ ମାସରେ ସାଟେଲାଇଟ୍ କମ୍ପାନୀ ଦେବାଳିଆ ହୋଇଯାଇଥିବାର ଆବେଦନ କରିଥିଲା। ଏଥିରେ ଥିବା ନିବେଶକ ସଫ୍ଟ ବ୍ୟାଙ୍କ ଫଣ୍ଡିଂ ନ କରିବାରୁ କମ୍ପାନୀ ଦେବାଳିଆ ହୋଇଯାଇଥିଲା। ଭାରତୀ ଭଳି ବ୍ରିଟେନ ସରକାରଙ୍କ ଲାଗି ମଧ୍ୟ ୱାନୱେବ୍‌ ସମାନ ଗୁରୁତ୍ୱ ରଖୁଛି। ସେ ଏହାକୁ ଗାଲିଲିଓ ସାଟେଲାଇଟ୍‌ର ବିକଳ୍ପ ଭାବେ ବ୍ୟାବହାର କରିବାକୁ ଚାହୁଁଛି।

ଏହା ଦ୍ୱାରା ବ୍ରିଟେନ ସରକାର ଏବେ ସଠିକ ନେଭିଗେସନ ସମେତ ସୁପଫାଷ୍ଟ ବ୍ରଡବେଣ୍ଡ ସେବା ମଧ୍ୟ ଯୋଗାଇପାରିବେ। ରାଜନୈତିକ ଦୃଷ୍ଟିରୁ ମଧ୍ୟ ବ୍ରିଟେନରେ ଏହି ଡିଲକୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। ତେବେ ଜୁଲାଇ ୧୦ ତାରିଖ ଦିନ ସାଟେଲାଇଟ୍ କମ୍ପାନୀ ଡିଲରେ ଚୂଡାନ୍ତ ମୋହର ବାଜିବ ବୋଲି ଜଣାପଡିଛି। ଆମେରିକା କମ୍ପାନୀ କୋର୍ଟ ଏହାର ବିକ୍ରି ନେଇ ରାୟ ଦେବା ପରେ କମ୍ପାନୀର କିଣାବିକା ହେବ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.