ଭାରତୀ ସିଂହ ଓ ହର୍ଷଙ୍କୁ ଝଟ୍‌କା: ବିଚାର ବିଭାଗୀୟ ହାଜତକୁ ପଠାଇଲେ କୋର୍ଟ

Published By : Prameya-News7 Bureau | November 22, 2020 IST

ମୁମ୍ବାଇ ୨୨/୧୧ : ଡ୍ରଗ୍ସ ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ବଲିଉଡର ହାସ୍ୟ ଅଭିନେତ୍ରୀ ଭାରତୀ ସିଂହ ଓ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିୟାଙ୍କୁ ଗିରଫ କରିଥିଲା। ରବିବାର ଦିନ ଉଭୟଙ୍କୁ କିଲା କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ଭାରତୀ ଓ ହର୍ଷଙ୍କୁ ତିନି ଦିନ ପାଇଁ ଜୁଡ଼ିସିଆଲ କଷ୍ଟଡିକୁ ପଠାଇ ଦେଇଛନ୍ତି। ବଲିଉଡ ଡ୍ରଗ୍ସ ମାମଲାର ଯାଞ୍ଚ କରୁଥିବା ଏନସିବି ଭାରତୀ ଓ ହର୍ଷଙ୍କୁ ରିମାଣ୍ଡରେ ନେବା ପାଇଁ ଅନୁମତି ମାଗିଥିଲେ। ଉଭୟ ଜାମିନ ପାଇଁ ଆବେଦନ କରିଛନ୍ତି। ସ୍ୱାମୀ ସ୍ତ୍ରୀଙ୍କ ଜାମିନ ଆବେଦନର ଶୁଣାଣି ସୋମବାର ନଭେମ୍ବର ୨୩ ତାରିଖରେ ହେବ।

ହାସ୍ୟ ଅଭିନେତ୍ରୀ ଭାରତୀ ସିଂହ ଗିରଫ ହେବା ପରେ ଏନସିବି ତାଙ୍କ ସ୍ୱାମୀ ତଥା ଆଙ୍କର୍ ହର୍ଷ ଲିମ୍ବାଚିୟାଙ୍କୁ ଗିରଫ କରିଥିଲା। ତାଙ୍କ ଘରୁ ୮୬.୫ ଗ୍ରାମର ଗଞ୍ଜେଇ ମିଳିବା ପରେ ହର୍ଷଙ୍କୁ ଗିରଫ କରାଯାଇଥିଲା। ଉଭୟ ସ୍ୱାମୀ ସ୍ତ୍ରୀ ଏନସିବି ସମ୍ମୁଖରେ ନିଶାଦ୍ରବ୍ୟ ସେବନ କରୁଥିବା ସ୍ୱୀକାର କରିଥିଲେ ।

ଭାରତୀ ସିଂହଙ୍କ ସ୍ୱାମୀ ହର୍ଷଙ୍କୁ ଏନସିବି ୧୮ ଘଣ୍ଟା ଧରି ଜେରା କରିବା ପରେ ଗିରଫ କରିଥିଲା। ଏହାପୂର୍ବରୁ ଶନିବାର ଭାରତୀଙ୍କୁ ଗିରଫ କରାଯାଇଥିଲା। ରବିବାର ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା।

ଶନିବାର ସକାଳୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ବା ଏନସିବି କମେଡ଼ିଆନ୍ ଭାରତୀ ସିଂହ ଏବଂ ତାଙ୍କ ସ୍ବାମୀ ହର୍ଷ ଲିମ୍ବାଚିଆଙ୍କ ମୁମ୍ବାଇ ସ୍ଥିତ ଫ୍ଲାଟରେ ଚଢ଼ାଉ କରିଥିଲା। ଏଜେନ୍ସି ଦ୍ବାରା ଅନ୍ଧେରୀ, ଲୋଖଣ୍ଡଓ୍ବାଲା ଏବଂ ଭର୍ସୋଭା ସହିତ ୩ଟି ଅଲଗା ଅଲଗା ସ୍ଥାନରେ ଚଢ଼ାଉ କରାଯାଇଥିବା ଯାଞ୍ଚ ଏଜେନ୍ସି ସୂଚନା ଦେଇଥିଲା। ଭାରତୀ ସିଂହଙ୍କ ଘରୁ ଗଞ୍ଜେଇ ଜବତ ହେବା ପରେ ଏନସିବି ତାଙ୍କୁ ଗିରଫ କରିଥିଲା।

ସୂଚନାଯୋଗ୍ୟ, ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରଠୁ ସାମନାକୁ ଆସିଥିବା ଡ୍ରଗ୍ସ ଆଙ୍ଗଲରେ ଏନସିବି ଲଗାତାର ଚଢ଼ାଉ ଜାରି ରଖିଛି।ଏହା ପୂର୍ବରୁ ଡ୍ରଗ୍ସ ମାମଲାରେ ଶୁକ୍ରବାର ଅଭିନେତା ଅର୍ଜୁନ ରାମପାଲ ଏନସିବି ଅଫିସ୍ ପହଞ୍ଚିଥିଲେ। ସେଠାରେ ତାଙ୍କୁ ଡ୍ରଗ୍ସ ମାମଲାରେ ଘଣ୍ଟା ଘଣ୍ଟା ଧରି ପଚରାଉଚୁରା କରିଥିଲା ଏନସିବି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.