ଭାରତ ବାୟୋଟେକ୍‌ର ସ୍ପଷ୍ଟୀକରଣ, ‘ବ୍ରାଜିଲ୍‌ ସରକାରଙ୍କୁ ଟିକା ଦେଇନୁ କି ଟଙ୍କା ଆଣିନୁ’

Published By : Prameya-News7 Bureau | June 30, 2021 IST

ନୂଆଦିଲ୍ଳୀ ୩୦/୬: ବ୍ରାଜିଲ୍‌ରେ କୋଭାକ୍ସିନ୍‌ ଡିଲ୍‌କୁ ନେଇ ଜାରି ବିବାଦ ଉପରେ ଭାରତ ବାୟୋଟେକ୍‌ ସ୍ପଷ୍ଟୀକରଣ ଦେଇଛି। ଏବେ ସୁଦ୍ଧା ବ୍ରାଜିଲ୍‌ ସରକାରଙ୍କ ପକ୍ଷରୁ କୌଣସି ପ୍ରକାର ଅର୍ଥ ମିଳି ନାହିଁ। ଏହା ସହ କମ୍ପାନୀ ବ୍ରାଜିଲ୍‌କୁ ଭ୍ୟାକସିନ୍‌ ଦେଇନାହିଁ ବୋଲି ଭାରତ ବାୟୋଟେକ୍‌ ପକ୍ଷରୁ କୁହାଯାଇଛି। ବ୍ରାଜିଲ୍‌ରେ କୋଭାକ୍ସିନ୍‌ ଦାମକୁ ନେଇ ବଡ଼ ବିବାଦ ଲାଗିରହିଛି। ଯାହାକୁ ନେଇ ବିରୋଧୀ ରାଷ୍ଟ୍ରପତି ଜାଏର ବୋଲସୋନାରୋଙ୍କୁ ଜୋରଦାର ଟାର୍ଗେଟ କରିଛନ୍ତି ।

ଭ୍ୟାକସିନ୍‌ ଡିଲ୍‌ ଉପରେ ବ୍ରାଜିଲ୍‌ ସରକାର ଅସ୍ଥାୟୀ ଭାବେ ରୋକ ଲଗାଇବା ପରେ କମ୍ପାନୀ ପକ୍ଷରୁ କୁହାଯାଇଛି, ’୨୯ ଜୁନ୍‌ ୨୦୨୧ ସୁଦ୍ଧା ଭାରତ ବାୟୋଟେକ୍‌ ବ୍ରାଜିଲ୍‌ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପାଖରୁ ନା ଆଡଭାନ୍ସ ଅର୍ଥ ନେଇଛି ନା ଭ୍ୟାକସିନ୍‌ ଯୋଗାଣ କରିଛି।’ ଏହା ସହ କୋଭାକ୍ସିନ୍‌ ଦାମ ଉପରେ କମ୍ପାନୀ କହିଛି, ଭାରତ ବାହାରେ କୌଣସି ଦେଶରେ ଟିକା ଡୋଜ ପ୍ରତି ୧୫-୨୦ ଡଲାରରେ ବିକ୍ରି ନେଇ ନୀତି ହୋଇଛି। ବ୍ରାଜିଲ ପାଇଁ ମଧ୍ୟ ଦାମ ୧୫ ଡଲାର ପ୍ରତି ଡୋଜ୍‌ ରଖାଯାଇଛି।

ସେପଟେ ବ୍ରାଜିଲ୍‌ ସରକାରଙ୍କ ପାଖରୁ ଚୁକ୍ତି ପାଇବାକୁ ଭାରତ ବାୟୋଟେକ ଷ୍ଟେପ୍‌ ବାଏ ଷ୍ଟେପ୍‌ କାର୍ଯ୍ୟ କରିଛି। ବ୍ରାଜିଲ୍‌ରେ କୋଭାକ୍ସିନ୍‌ ଜରୁରୀକାଳୀନ ବ୍ୟବାହର ପାଇଁ ୪ ଜୁନ୍‌ରେ ମଞ୍ଜୁରୀ ମିଳିଛି। ସେତେବେଳେ କିଛି ସର୍ତ୍ତ ସହ ଭ୍ୟାକସିନ୍‌ ଆମଦାନୀକୁ ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ଏବଂ ଯାଞ୍ଚ ଏଜେନ୍ସି ଅନୁମତି ଦେଇଥିଲା ବୋଲି ଭାରତ ବାୟୋଟେକ୍‌ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି।

ଅନ୍ୟପଟେ ଟିକା ଆମଦାନୀକୁ ନେଇ ହୋଇଥିବା ଅନିୟମିତତା ଅଭିଯୋଗ ପରେ ବ୍ରାଜିଲ୍‌ ସ୍ବାସ୍ଥ୍ୟ ମନ୍ତ୍ରୀ ହାଇଦ୍ରାବାଦର ଟିକା କମ୍ପାନୀ ଭାରତ ବାୟୋଟେକ୍‌ ସହ ହୋଇଥିବା ଡିଲ୍‌ ଉପରେ ଅସ୍ଥାୟୀ ଭାବେ ରୋକ ଲଗାଇଛନ୍ତି। ଏହା ସହ ସେ କହିଛନ୍ତି, ଟିକା ପାଇଁ ବ୍ରାଜିଲ ସରକାର ଅର୍ଥ ଦେଇନାହାନ୍ତି। ତେବେ ବଜାରରେ କମ୍‌ ମୂଲ୍ୟର ଟିକା ଉପଲବ୍ଧ ହେଉଥିବା ବେଳେ ଚଢ଼ା ଦରରେ  କୋଭାକ୍ସିନ କ୍ରୟ ହେଉଛି ବୋଲି ବିରୋଧୀମାନେ  ବ୍ରାଜିଲ୍‌ ରାଷ୍ଟ୍ରପତି ଏବଂ ତାଙ୍କ ମେଣ୍ଟ ପ୍ରମୁଖଙ୍କ ଉପରେ ଅଭିଯୋଗ ଆଣିଥିଲେ ।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.