ଅମିତ ଶାହଙ୍କ ବୈଠକରେ ଯୋଗ ଦେଲେନି କୃଷକନେତା ଯୋଗିନ୍ଦର ସିଂହ ଉଗରାହାଁ, ଜାଣନ୍ତୁ କହିଛନ୍ତି କ’ଣ ?

Published By : Prameya-News7 Bureau | December 08, 2020 IST

ନୂଆଦିଲ୍ଲୀ ୮।୧୨:  ଚାଷୀଙ୍କ ଭାରତ ବନ୍ଦ ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଙ୍ଗଳବାର ସନ୍ଧ୍ୟାରେ ଆଲୋଚନା ଲାଗି ଚାଷୀଙ୍କୁ ଆମନ୍ତ୍ରଣ କରିଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀଙ୍କର ଏହା ଅନୌପଚାରିକ ଆଲୋଚନା। ତେବେ ଗୃହମନ୍ତ୍ରୀଙ୍କ ଏହି ଆଲୋଚନାରେ ଭାରତୀୟ କିସାନ ୟୁନିୟନ(ଉଗରହାଁ)ର ନେତା ଯୋଗିନ୍ଦର ସିଂହ ଉଗରାହାଁ ଯୋଗ ଦେଇନାହାନ୍ତି। ଏ ନେଇ ସେ ଏକ ଭିଡୋଓ ବାର୍ତ୍ତା ଜାରି କରିଥିବା ବେଳେ  କୌଣସି ନେତାଙ୍କ ଏକାକୀ ବୈଠକରେ ଯୋଗଦେବା ଉଚିତ ନୁହେଁ ବୋଲି କହିଛନ୍ତି।

ପଞ୍ଜାବର ସର୍ବ ବୃହତ୍ତ ଚାଷୀ ସଙ୍ଗଠନ ଉଗରହାଁର ନେତା ଏହି ବୈଠକକୁ ଆଲୋଚନା ଲାଗି ଯାଇ ନାହାନ୍ତି। ଏଥିରୁ ଚାଷୀ ସଙ୍ଗଠନରେ ବିଭେଦ ଉପୁଜିବାର ସନ୍ଦେହ କରାଯାଉଥିବା ବେଳେ ବୈଠକ ଲାଗି ଗୃହମନ୍ତ୍ରୀ ୧୩ ଜଣ ଚାଷୀ ନେତାଙ୍କୁ ଡାକିଥିବାର ଜଣାପଡ଼ିଛି। ଏବେ ଦିଲ୍ଲୀକୁ ପଞ୍ଜାବ, ହରିୟାଣା,ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ସମେତ ରାଜସ୍ଥାନର ଚାଷୀମାନେ ୪ପଟରୁ ଘେରି ରହିଥିବା ବେଳେ ଅନୁନ୍ୟ ୩୦ଟି ସଙ୍ଗଠନ ଏହି ଆନ୍ଦୋଳନରେ ଯୋଗଦେଇଛନ୍ତି।

ମଙ୍ଗଳବାର ପୂର୍ବାହ୍ନରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ କୃଷକ ସଙ୍ଗଠନମାନେ ଭାରତ ବନ୍ଦ ଆହ୍ୱାନ ଦେଇଥିଲେ। ଏଥିରେ କେନ୍ଦ୍ର ଗୃହମନ୍ତ୍ରୀ ସନ୍ଧ୍ୟାରେ ଚାଷୀଙ୍କୁ ଆଲୋଚନା ଲାଗି ଆମନ୍ତ୍ରିତ କରିଥିବା ଭାରତୀୟ କିସାନ ୟୁନିୟନ (ଟିକୈତ)ର ରାକେଶ ଟିକୈତ ଘୋଷଣା କରିଥିଲେ। ଗୃହମନ୍ତ୍ରୀ ଚାଷୀ ନେତାଙ୍କୁ ସନ୍ଧ୍ୟା ୭ଟା ବେଳେ ଅନୌପଚାରିକ ଭେଟିବାକୁ ଡାକିଥିଲେ। ଏଥିଲାଗି ଅପରାହ୍ନ ୪ଟା ବେଳେ ଚାଷୀ ସଙ୍ଗଠନମାନେ ସାମ୍ବାଦିକ ସମ୍ମିଳନୀ ଡାକି ୧୩ ଜଣ ପ୍ରତିନିଧିଙ୍କୁ ଗୃହଗମନ୍ତ୍ରୀଙ୍କ ବୈଠକକୁ ପଠାଯିବ ବୋଲି କହିଥିଲେ।  ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ କୃଷକନେତାମାନେ ଗୃହମନ୍ତ୍ରୀଙ୍କ ବୈଠକସ୍ଥଳକୁ ନେଇ କୌଣସି ସୂଚନା ପାଇ ନଥିଲେ। ଏଥିଲାଗି କିଛି ସମୟ ପର୍ଯ୍ୟନ୍ତ କୃଷକନେତାମାନେ ଭ୍ରମିତ ଥିଲାବେଳେ ବୈଠକ ପୁଷା ଇନିଷ୍ଟିଚ୍ୟୁଟ୍ ଗେଷ୍ଟ ହାଉସ୍‌ରେ ହେଉଥିବା ଜାଣିବାକୁ ପାଇଥିଲେ।

ଏଥିରେ କୃଷକନେତା ଯୋଗିନ୍ଦର ସିଂ ଉଗରାହାଁଙ୍କ ବୟାନ ଚାଷୀ ସଙ୍ଗଠନରେ ମତଭେଦର ସୂଚନା ଦେଉଥିବା ଭଳି ଲାଗୁଛି। ତେବେ ଆନ୍ଦୋଳନରେ ସାମିଲ ହୋଇଥିବା ସାମାଜିକ କର୍ମୀ ମେଧାପାଟେକର ଏଭଳି କୌଣସି ଆଶଙ୍କାକୁ ନିରାଧାର କହିଛନ୍ତି। ହୁଏତ ଆନ୍ଦୋଳନକୁ ଭଣ୍ଡୁର କରିବା ଲାଗି ସରକାରଙ୍କ ପକ୍ଷରୁ ଏହା ଏକ ଷଡ଼ଯନ୍ତ୍ର ହୋଇପାରେ, ହେଲେ ଏଭଳି ଭାବିବା ନିରର୍ଥକ ବୋଲି ସେ କହିଛନ୍ତି। ୧୩ ଜଣ କୃଷକନେତା ପ୍ରତିନିଧି ଭାବେ ଆଲୋଚନାକୁ ଯାଇଛନ୍ତି ନିଷ୍ପତ୍ତି ନେବାକୁ ନୁହେଁ ବୋଲି ଟିକୈତ କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.