ବ୍ରାଜିଲକୁ ଭାରତ ବାୟୋଟେକ୍ ପଠାଇବ ୨୦ ନିୟୁତ କୋଭାକ୍ସିନ୍, ଚୁକ୍ତି ନେଇ ସ୍ପଷ୍ଟ କଲା ଭାରତୀୟ କମ୍ପାନୀ
27/02/2021 at 3:36 PM

ନୂଆଦିଲ୍ଲୀ,୨୭/୦୨: ଭାରତ ବାୟୋଟେକ୍ ଶୁକ୍ରବାର ବ୍ରାଜିଲକୁ କୋଭାକ୍ସିନ ଟିକାର ୨୦ ମିଲିୟନ ଡୋଜ୍ ରପ୍ତାନୀ ପାଇଁ ଘୋଷଣା କରିଛି । ବ୍ରାଜିଲର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କୋଭିଡ-୧୯ ଭାକସିନର ଟିକା କୋଭାକ୍ସିନର ୨ କୋଟି ଡୋଜ୍ କିଣିବା ପାଇଁ ଭାରତ ବାୟୋଟେକ୍ ସହ ବୁଝାବଣା କରିଥିଲା ।
କୋଭାକ୍ସିନର ବ୍ୟବହାର ନେଇ ବ୍ରାଜିଲର ସ୍ଥାନୀୟ ନିୟାମକ ଏବେସୁଦ୍ଧା ମଞ୍ଜୁରୀ ପ୍ରଦାନ କରିନାହାଁନ୍ତି । ଏହି ବୁଝାବଣା ସେହିଦିନ ହୋଇଥିଲା ଯେଉଁଦିନ ବ୍ରାଜିଲର କରୋନା ଜନିତ ମୃତ୍ୟୁସଂଖ୍ୟା ଅଢେଇ ଲକ୍ଷ ଟପିଥିଲା । ବ୍ରାଜିଲର ରାଷ୍ଟ୍ରପତି ଜେୟର ବୋଲସୋନାରୋ କରେନା ଟିକାର ୮୦ ଲକ୍ଷ ଡୋଜ୍ ମାର୍ଚ୍ଚରେ ଆସିବ ବୋଲି କହିଥିଲେ ।
ସେ ଆହୁରି ମଧ୍ୟ କହିଥିଲେ ଯେ, ଟିକାର ଆଉ ୮୦ ଲକ୍ଷ ଡୋଜ୍ ଏପ୍ରିଲରେ ଏବଂ ପରବର୍ତ୍ତୀ ୪୦ ଲକ୍ଷ ଡୋଜ୍ ମେରେ ଆସିବା ନେଇ ସମ୍ଭାବନା ରହିଛି । ବ୍ରାଜିଲରେ ଟିକାର ଅଭାବ କାରଣରୁ ୨୧ କୋଟି ଜନସଂଖ୍ୟା ବିଶିଷ୍ଟ ଦେଶରେ କେବଳ ୪ ପ୍ରତିଶତ ଲୋକ ହିଁ ଭାକସିନ୍ ନେଇଛନ୍ତି ।
ସୂଚନାଯୋଗ୍ୟ, ଭାରତରେ କୋଭାକ୍ସିନ୍ ଟିକାକୁ ଅନୁମତି ବହୁ ପୂର୍ବରୁ ମିଳି ସାରିଛି ।ଦେଶରେ ଟିକାକରଣ ମଧ୍ୟ ଆରମ୍ଭ ହୋଇଗଲାଣି । ପ୍ରଥମେ ସମ୍ମୁଖ ଯୋଦ୍ଧା ଓ ସ୍ୱାସ୍ଥ୍ୟ କର୍ମୀଙ୍କୁ ଟିକା ପ୍ରଦାନ କରାଯାଇଥିଲା । ଆସନ୍ତା ୧ ତାରିଖରୁ ବରିଷ୍ଠ ନାଗରିକଙ୍କୁ ଟିକା ଦିଆଯିବ ।