ଜୁନ୍ ସୁଦ୍ଧା ଲଞ୍ଚ୍ ହୋଇପାରେ କରୋନା ଟିକା ‘କୋଭାକ୍ସିନ’- ଭାରତ ବାୟୋଟେକ୍

Published By : Prameya-News7 Bureau | October 24, 2020 IST

ନୂଆଦିଲ୍ଲୀ ୨୪/୧୦: କରୋନା ଭାଇରସ ଟିକା ଦିଗରେ ସମସ୍ତ ବୈଜ୍ଞାନିକ ଚେଷ୍ଟା ଚଳାଇଛନ୍ତି। ଏହାରି ଭିତରେ କରୋନା ଟିକାକୁ ନେଇ ନିତିଦିନ ନୂଆ ନୂଆ ଖବର ସାମ୍ନାକୁ ଆସୁଛି। ଏହି କ୍ରମରେ ଭାରତୀୟ କମ୍ପାନି ଭାରତ ବାୟୋଟେକର ଦେଶୀ କରୋନା ଟିକା ‘କୋଭାକ୍ସିନ’ର ମଧ୍ୟ କାମ ଜାରି ରହିଛି। ଡ୍ରଗ କଂଟ୍ରଲୋର ଅଫ୍‌ ଇଣ୍ଡିଆ (ଡିସିଜିଆଇ) କମ୍ପାନିକୁ ତୃତୀୟ ପର୍ଯ୍ୟାୟ ଟ୍ରାଏଲ ପାଇଁ ମଞ୍ଜୁରୀ ପ୍ରଦାନ କରିଛି। ଅନ୍ୟପଟେ କମ୍ପାନି କହିଛି କରୋନାର ଏହି ସ୍ବଦେଶୀ ଟିକା ଆସନ୍ତାବର୍ଷ ଜୁନ୍ ସୁଦ୍ଧା ଲଞ୍ଚ ହେବାର ପୂରା ସମ୍ଭାବନା ରହିଛି।

ହାଇଦ୍ରାବାଦ ସ୍ଥିତ ଏହି କମ୍ପାନି ଅକ୍ଟୋବର ୨ରେ ଡିସିଜିଆଇକୁ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ ଅନୁମତି ମାଗିଥିଲା। କମ୍ପାନିର ଯୋଜନା ୧୨ରୁ ୧୪ଟି ରାଜ୍ୟରେ ପ୍ରାୟ ୨୦ ହଜାରରୁ ଅଧିକ ଲୋକଙ୍କୁ ଉକ୍ତ ଟ୍ରାଏଲରେ ସାମିଲ କରାଇବା। ଭାରତ ବାୟୋଟେକ୍‌ ଇଣ୍ଟରନାସନାଲ ଲିମିଟେଡର ଏକଜିକ୍ୟୁଟିଭ୍ ନିର୍ଦେଶକ କହିଛନ୍ତି ଯଦି ସବୁ ପ୍ରକାର ଅନୁମତି କମ୍ପାନିକୁ ଠିକ ସମୟରେ ମିଳିଯାଏ ତାହାଲେ ୨୦୨୧ ତୃତୀୟ ମାସ ସୁଦ୍ଧା ଭାକସିନର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲର ସବୁପ୍ରକାର କ୍ଷମତା ଜଣାପଡ଼ିଯିବ।

ଆଇସିଏମଆରର ନାସନାଲ ଇନଷ୍ଟିଚ୍ୟୁଟ ଅଫ୍ ଭାୟରୋଲଜି ସହଯୋଗ ଦ୍ବାରା କୋଭାକ୍ସିନକୁ ବିକଶିତ କରାଯାଉଛି। ସେହିପରି ସେରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ କରୋନା ଟିକା ‘କୋଭିସିଲ୍ଡ’ ପ୍ରସ୍ତୁତ କରୁଛି। କୁହାଯାଉଛି ତାର କାର୍ଯ୍ୟ ଭାରତ ବାୟୋଟେକ ଠାରୁ ଆଗରେ ରହିଛି। ସେରମ ଇନଷ୍ଟଚ୍ୟୁଟ ୩ୟ ପର୍ଯ୍ୟାୟ ଟିକା ପରୀକ୍ଷଣ ପାଇଁ ଲୋକଙ୍କ ମନୋନାୟନ ପ୍ରକ୍ରିୟା ଆରମ୍ଭ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.