ବଲାଙ୍ଗିରରେ ଭାରତ ବନ୍ଦର ପ୍ରଭାବ : ଠପ୍ ହେଲା ଦୋକାନ ବଜାର, ଗାଡି ଚଳାଚଳ ସହ ସ୍ବାଭାବିକ ରହିଲା କାର୍ଯ୍ୟାଳୟ
26/02/2021 at 5:13 PM

ବଲାଙ୍ଗିର ୨୬।୨: ଜିଏସଟି ସରଳୀକରଣ ଦାବିରେ ସର୍ବ ଭାରତୀୟ ବଣିକ ସଂଘ ପକ୍ଷରୁ ଭାରତ ବନ୍ଦ ପାଳନର ସଂପୂର୍ଣ୍ଣ ପ୍ରଭାବ ବଲାଙ୍ଗିରରେ ଦେଖିବାକୁ ମିଳିଛି । ବଲାଙ୍ଗିରରେ ସମସ୍ତ ଦୋକାନ ବଜାର ଓ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଥିବା ବେଳେ ବସ୍ ଚଳାଚଳ ମଧ୍ୟ ଆଂଶିକ ଭାବେ ବନ୍ଦ ରହିଥିବା ଦେଖିବାକୁ ମିଳିଛି । ତେବେ ସରକାରୀ, ବେସରକାରୀ କାର୍ଯ୍ୟାଳୟ, ସ୍କୁଲ-କଲେଜ ଓ ଯାନବାହନ ଚଳାଚଳ ସହ ଜରୁରୀକାଳୀନ ସେବାକୁ ଏହି ବନ୍ଦ ପାଳନରୁ ବାଦ୍ ଦିଆଯାଇଛି । କାଁଭାଁ ବସ୍ ଚଳାଚଳ କରୁଥିବା ବେଳେ ବାକିସବୁ ବନ୍ଦ ରହିଛି ।
ସେହିପରି ଜିଲ୍ଲାର ଟିଟିଲାଗଡ ସହରରେ ମଧ୍ୟ ଭାରତ ବନ୍ଦର ସଂପୂର୍ଣ୍ଣ ପ୍ରଭାବ ଦେଖିବାକୁ ମିଳିଛି । ଟିଟିଲାଗଡ, ପାଟଣାଗଡ଼, ସଇନ୍ତଳା, କଣ୍ଟାବାଞ୍ଜି, ଲୋଇସିଙ୍ଘାରେ ମଧ୍ୟ ସମସ୍ତ ଦୋକାନ ବଜାର ଓ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଛି । ଯାନବାହନ ଚଳାଚଳ ମଧ୍ୟ ବନ୍ଦ ରହିଥିବା ଦେଖିବାକୁ ମିଳିଛି । ସର୍ବଭାରତୀୟ ବ୍ୟବସାୟୀ ସଂଘର ବନ୍ଦ ଡାକରାକୁ ସମର୍ଥନ ଜଣାଇ ବଲାଙ୍ଗିର ଜିଲ୍ଲା ବଣିକ ସଂଘ ବଲାଙ୍ଗିରରେ ୧୫ଘଣ୍ଟିଆ ଦୋକାନ ବଜାର ବନ୍ଦ ଡାକରା ଦିଆଯାଇଛି । ସକାଳ ୬ଟାରୁ ରାତି ୯ଟା ପର୍ଯ୍ୟନ୍ତ ଦିଆଯାଇଥିବା ଏହି ବନ୍ଦ ଡାକରାରେ ବଲାଙ୍ଗିରରେ ଭାରତ ବନ୍ଦକୁ ବ୍ୟବସାୟୀମାନେ ସ୍ବତଃପ୍ରବୃତ୍ତ ଭାବେ ସମର୍ଥନ ଜଣାଇ ବନ୍ଦକୁ ସଫଳ କରିଥିବା ନେଇ ଜିଲ୍ଲା ବଣିକ ସଂଘ ସଭାପତି ତ୍ରିପୁରାର ପାଣିଗ୍ରାହୀ ସୂଚନା ଦେଇଛନ୍ତି ।