ବ୍ରହ୍ମପୁରରେ ବନ୍ଦ ପାଳନ ବେଳେ ଟ୍ରେନ ଅଟକାଇଲେ ଆନ୍ଦୋଳନକାରୀ
10/09/2018 at 12:43 PM

ବ୍ରହ୍ମପୁର ୧୦/୯ : ପେଟ୍ରୋଲ୍ ଓ ଡିଜେଲ୍ ତୈଳ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ଓ ବାମଦଳ ପକ୍ଷରୁ ବ୍ରହ୍ମପୁର ସମେତ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ବନ୍ଦ ପାଳନ କରାଯାଉଛି । ବନ୍ଦ ଯୋଗୁଁ ବ୍ରହ୍ମପୁରରେ ଦୁଇଟି ଟ୍ରେନ୍ ଅଟକି ରହିଛି । ଦୋକାନ, ବଜାର, ସ୍କୁଲ, କଲେଜ୍ ସବୁ ବନ୍ଦରହିଛି । ଯାତ୍ରୀ ହଇରାଣ ହରକତ ହେଉଛନ୍ତି । ଦିନକୁ ଦିନ ପେଟ୍ରୋଲ୍ ଓ ଡିଜେଲ୍ ତୈଳ ଦର ବୃଦ୍ଧି ହୁ ହୁ ହୋଇ ବୃଦ୍ଧି ପାଉଛି। ଏହାକୁ ନେଇ ସାଧାରଣ ଲୋକେ ଅତିଷ୍ଠ ହୋଇପଡିଛନ୍ତି। ଏହାର ପ୍ରତିବାଦରେ ଆଜି କଂଗ୍ରେସ ଏବଂ ବାମଦଳ ପକ୍ଷରୁ ଭାରତ ବନ୍ଦ ଡାକରା ଦେଇଛନ୍ତି। ଏହାର ପ୍ରଭାବ ବ୍ରହ୍ମପୁରରେ ଦେଖିବାକୁ ମିଳିଛି। ସକାଳୁ ସକାଳୁ ବିଭିନ୍ନ ବାମଦଳ ବ୍ରହ୍ମପୁର ରେଳ ଷ୍ଟେସନ୍ରେ ପହଞ୍ଚି ରେଳ ରୋକ କରିଥିଲେ। ୟଶୱନ୍ତପୁର – ହାୱାଡା ଟ୍ରେନ୍ ବ୍ରହ୍ମପୁରରେ ଦୀର୍ଘ ଏକ ଘଣ୍ଟା ସମୟ ଅଟକି ରହିଥିଲା। ସେହିପରି ତିରୁପତି – ଭୁବନେଶ୍ବର ଟ୍ରେନ୍ ବ୍ରହ୍ମପୁର ରେଳ ଷ୍ଟେସନ୍ରେ ଦେଢ ଘଣ୍ଟା ସମୟ ପର୍ଯ୍ୟନ୍ତ ଅଟକି ରହିଥିଲା। ପଳରେ ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ।