ତେଲ ପାଇଁ ବିକ୍ଷୋଭ : ସାରା ଦେଶରେ ଅଖ ଚକ ବନ୍ଦ

Published By : Prameya-News7 Bureau | September 10, 2018 IST

ଭୁବନେଶ୍ୱର ୧୦/୯ : ରାସ୍ତାରେ ତେଲ ତାତି । ଆଜି ଭାରତ ବନ୍ଦ । ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଉଥିବା ବେଳେ ସାରା ଦେଶରେ ଏହା ବଡ଼ ରାଜନୈତିକ ପ୍ରସଙ୍ଗ ପାଲଟିଯାଇଛି । ଦର ବୃଦ୍ଧି ପ୍ରତିବାଦରେ ଆଜି କଂଗ୍ରେସ ‘ଭାରତ ବନ୍ଦ’ ଡାକରା ଦେଇଛି । ବାମ ଦଳ ସହ ୨୧ ଟି ରାଜନୈତିକ ଦଳ ଏହାକୁ ସମର୍ଥନ ଦେଇଛନ୍ତି । ସକାଳ ୬ଟାରୁ ଆନ୍ଦୋଳନକାରୀମାନେ ପିକେଟିଂ ଆରମ୍ଭ କରିଦେଇଛନ୍ତି । ଅପରାହ୍ଣ ୩ଟା ପର୍ଯ୍ୟନ୍ତ ବନ୍ଦର ପ୍ରଭାବ ଅନୁଭୂତ ହେବ। ବିଭିନ୍ନ ସ୍ଥାନରେ ରେଳ ରୋକ ଚାଲିଛି, ଆନ୍ଦୋଳନକାରୀମାନେ ଟ୍ରେନ ଲାଇନ ଉପରେ ପିକେଟିଂ କରୁଛନ୍ତି । ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇ ଥିବାରୁ ଯାତ୍ରୀ ହନ୍ତସନ୍ତ ହେଉଛନ୍ତି । ଅଖ-ଚକ ଜାମ ହୋଇଛି । ତେବେ ବନ୍ଦ ବେଳେ ଆମ୍ବୁଲାନ୍ସ, ମେଡିସିନ୍ ଷ୍ଟୋର୍, କ୍ଷୀର ଗାଡ଼ିକୁ ନ ଅଟକାଇବାକୁ ଦଳ ପକ୍ଷରୁ ଆନ୍ଦୋଳନକାରୀମାନଙ୍କୁ କୁହାଯାଇଛି । ସେହିପରି ବନ୍ଦ ବେଳେ ସୁରକ୍ଷା ଦୃଷ୍ଟିକୋଣରୁ ସ୍କୁଲ ବନ୍ଦ ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇସାରିଛନ୍ତି । ବସ୍, ଟାକ୍ସି, ଅଟୋ ଚଳାଚଳ ବନ୍ଦ ଥିବାରୁ ଯାତ୍ରୀ ପରିବହନ ବାଧା ପାଇଛି । କିଛି ସ୍ଥାନରେ ଦୁଇ ଚକିଆ ଗାଡିକି ମଧ୍ୟ ଆନ୍ଦୋଳନକାରୀ ଅଟକାଇ ଦେଉଛନ୍ତି । କିଛି ସ୍ଥାନରେ ରାସ୍ତାରେ ନିଆଁ ଜାଳି ଆନ୍ଦୋଳନକାରୀ ପିକେଟିଂ କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.