ବେକାରୀ ସମସ୍ୟା, ଜିଲ୍ଲାରେ ଶିଳ୍ପାୟନ ଆଦି ଦାବିରେ ଆସନ୍ତା ୨୪ରେ ଭଞ୍ଜସେନାର ବିକ୍ଷୋଭ ଓ ଧାରଣା

Published By : Prameya-News7 Bureau | March 05, 2021 IST

ରାଇରଙ୍ଗପୁର, ୦୫/୦୩: ମୟୁରଭଞ୍ଜ ଜିଲ୍ଲାର ବାମନଘାଟି ଓ ପାଞ୍ଚପିଢ଼ ଉପଖଣ୍ଡରେ ବହୁ ମୂଲ୍ୟବାନ ଲୌହ ଖଣି ସହିତ ଅନ୍ୟାନ୍ୟ ଖଣିଖାଦାନ ରହିଛି । କିନ୍ତୁ ବାରମ୍ବାର ଆନ୍ଦୋଳନ କରିବା ସତ୍ତ୍ୱେ ମଧ୍ୟ ଏହି ଜିଲ୍ଲାରେ ବେକାରୀ ସମସ୍ୟାକୁ ଦୂର କରିବା ପାଇଁ କୌଣସି ବୃହତ ଶିଳ୍ପ ପ୍ରତିଷ୍ଠା କରିବା ଲାଗି ରାଜ୍ୟ ସରକାର କେବେ ଆଗ୍ରହ ପ୍ରକାଶ କରିନଥିବା ଅଭିଯୋଗ ହୋଇଛି ।

ଜିଲ୍ଲାର କୌଣସି ଶାସକ ଓ ବିରୋଧୀ ଦଳର ନିର୍ବାଚିତ ପ୍ରତିନିଧିମାନେ ମଧ୍ୟ ଏ ବାବଦରେ କେବେ ବିଧାନସଭା ଭିତରେ କିମ୍ବା ବାହାରେ ସ୍ୱର ଉତ୍ତୋଳନ କରିନାହାନ୍ତି । ରାଜ୍ୟ ସରକାରଙ୍କ କ୍ରମାଗତ ମୟୁରଭଞ୍ଜ ଜିଲ୍ଲା ପ୍ରତି ପକ୍ଷପାତିତା ଭଳି ବ୍ୟବହାର କରିବା ଆଦୌ ଗ୍ରହଣୀୟ ନୁହେଁ ବୋଲି ଜିଲ୍ଲାର ଏକମାତ୍ର ଅଗ୍ରଣୀ ତଥା ଅଣରାଜନୈତିକ ସଂଗଠନ ଭଞ୍ଜସେନା, ବାମନଘାଟି ଶାଖା ପକ୍ଷରୁ ଏକ ପ୍ରେସ ବିବୃତିରେ ଜଣାଯାଇଛି ।                                      

ଯଥାଶୀଘ୍ର ମୟୁରଭଞ୍ଜ ଜିଲ୍ଲାରେ ବୃହତ୍ତ ଶିଳ୍ପ ପ୍ରତିଷ୍ଠା କରିବା ପାଇଁ ରାଜ୍ୟ ସରକାରଙ୍କ ଉପରେ ଚାପ ପ୍ରୟୋଗ କରିବା ନେଇ ଏହି ସେନା କହିଛି । ଏଥିସହିତ ଚଳିତ ମାର୍ଚ୍ଚ ମାସ ୨୪ ତାରିଖ ବୁଧବାର ଦିନ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ଗଣଧାରଣା ଓ ବିକ୍ଷୋଭ କାର୍ଯ୍ୟକ୍ରମ କରାଯିବା ନେଇ ବିବୃତ୍ତିରେ କୁହାଯାଇଛି । ସାମ୍ବାଦିକ ସମ୍ମିଳନୀ କରି ସେନାର ଜିଲ୍ଲା ଉପାଧକ୍ଷ ଶୁଭେନ୍ଦୁ ମହାନ୍ତି ଏହି ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.