ନାଗାର୍ଜୁନ ବେଶ ଓଲାଗି ପରେ ଭକ୍ତଙ୍କୁ ମିଳିବ ଅବଢ଼ା: ୧୫ ହଜାର ଭକ୍ତଙ୍କ ପାଇଁ ଅବଢ଼ା ସେବା

Published By : Prameya-News7 Bureau | November 27, 2020 IST

ପୁରୀ୨୭/୧୧: ଶ୍ରୀମନ୍ଦିରରେ ନାଗାର୍ଜୁନ ବେଶ ବେଳେ ଭିଡ଼ ତଥା ଗହଳି ନିୟନ୍ତ୍ରଣ ପାଇଁ ପୁରୀ ଜିଲ୍ଲା ପ୍ରଶାସନ ଶ୍ରୀମନ୍ଦିର ଚୌହଦିରେ ସିଆରପିସି ୧୪୪ ଧାରା ଲାଗୁ କରିଛି । ରାତି ଦୁଇଟାରୁ ବେଶ ଓଲାଗି ପର୍ଯ୍ୟନ୍ତ ୧୪୪ ଧାରା କଟକଣା ଜାରି ରହିବ। ଏହି ସମୟରେ ସେବାୟତ ଓ ଡ୍ୟୁଟିରେ ଥିବା ଅଫିସର କେବଳ କଟକଣା ଇଲାକାରେ ପ୍ରବେଶ କରି ପାରିବେ। ବେଶ ଓଲାଗି ପରେ ଭକ୍ତଙ୍କୁ ମହାପ୍ରସାଦ ସେବା ମିଳିପାରିବ ବୋଲି ସୁଆର ମହାସୁଆର ନିଯୋଗ ସୂଚନା ଦେଇଛି।

{"id":368416,"sizeSlug":"large"}

ଶ୍ରୀମନ୍ଦିର ଚୌହଦିର କଟକଣା ଇଲାକାରେ ରହିଛି ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗର ମହାପ୍ରସାଦ ସେବା କେନ୍ଦ୍ର। ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ଏବଂ ଉତ୍ତର ଦ୍ୱାର ସମ୍ନାରେ ରହିଛି ମହାପ୍ରସାଦ ବିକ୍ରି କେନ୍ଦ୍ର। ଏହି ଇଲାକାକୁ ଭକ୍ତଙ୍କ ପ୍ରବେଶ ମନା କରାଯାଇଛି । ନାଗାର୍ଜୁନ ବେଶ ନୀତି ନିର୍ଘଣ୍ଟରେ ରହିଛି ନଭେମ୍ବର ୨୭ ତାରିଖ ଅପରାହ୍ନ ଦୁଇଟା ସୁଦ୍ଧା ବେଶ ଓଲାଗି ହେବ। ଏହି ପରିପ୍ରେକ୍ଷୀରେ ନାଗାର୍ଜୁନ ବେଶ ଓଲାଗି ପର୍ଯ୍ୟନ୍ତ ଭକ୍ତମାନେ ମହାପ୍ରସାଦ ପାଇବାରୁ ବଞ୍ଚିତ ହେବେ। ଏହି ସମସ୍ୟା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୁଆର ମହାସୁଆର ନିଯୋଗ ସହ ଆଲୋଚନା କରିଛି। ଏହି ବୈଠକରେ ନିଷ୍ପତ୍ତି ହୋଇଛି ବେଶ ଓଲାଗି ପରେ ହିଁ ମହାପ୍ରସାଦ ସେବା ଭକ୍ତ ପାଇବେ। ବରାଦି ଅବଢ଼ା ପାଇଁ ଆସିଥିବା ଯାନବାହନ ଜଗନ୍ନାଥ ବଲ୍ଲଭରେ ପାର୍କିଂ କରି ଅପେକ୍ଷା କରିବେ ।

ବେଶ ଓଲାଗି ପରେ ଅବଢ଼ା ପାଇଁ ଯାନବାହନଗୁଡିକର ଶ୍ରୀମନ୍ଦିର ପାଖକୁ ଯାଇ ପାରିବ। ସେହିଭଳି ଭକ୍ତମାନେ ବି ବେଶ ଓଲାଗି ପରେ ମହାପ୍ରସାଦ ପାଇଁ ଟୋକନ୍‌ କାଟିବେ। ଟୋକନ୍‌ ଆଧାରରେ ଭକ୍ତମାନେ ଅବଢ଼ା ପାଇପାରିବେ। ସୁଆର ମହାସୁଆର ନିଯୋଗ ସମ୍ପାଦକ କୃଷ୍ଣଚନ୍ଦ୍ର ପଢ଼ିଆରି କହିଛନ୍ତି ବେଶ ଓଲାଗି ସୁଦ୍ଧା ତିନିଟି ଭୋଗ ବାହାରିବ । ପ୍ରଥମ ହେଉଛି ରାଜ ଭୋଗ। ଦ୍ୱିତୀୟ ହେଉଛି ବାଳ ଭୋଗ ଏବଂ ତୃତୀୟ ହେଉଛି ପ୍ରଥମ ଭୋଗ ମଣ୍ଡପ । ପ୍ରଥମ ଭୋଗ ମଣ୍ଡପରେ ବାହାରିଥିବା ମହାପ୍ରସାଦ ବେଶ ଓଲାଗି ପରେ ପାଇବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.