ଭଦ୍ରକର ଐତିହାସିକ କାଳୀପୂଜା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ, ୭ଦିନ ଯାଏଁ ସପ୍ତମାତୃକା ବେଶରେ ମା'ଙ୍କୁ କରାଯିବ ପୂଜାର୍ଚ୍ଚନା

Published By : Prameya-News7 Bureau | October 31, 2021 IST

ଭଦ୍ରକ, ୩୦/୧୦ : ଭଦ୍ରକରେ ପ୍ରସିଦ୍ଧ ଐତିହାସିକ କାଳୀପୂଜା ପାଇଁ ପ୍ରସ୍ତୁତି ପର୍ବ  ଶେଷ ପର୍ଯ୍ୟାୟରେ । କୋଭିଡ କଟକଣା ଭିତରେ ପୂଜାଅର୍ଚ୍ଚନା ହେବାକୁ ଥିବା ବେଳେ,  ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମାଆ ଭଦ୍ରକାଳୀଙ୍କ ପୀଠରେ  ସପ୍ତଦିବସ ବ୍ୟାପୀ ସପ୍ତମାତୃକା ବେଶରେ ମାଆଙ୍କୁ ପୂଜାର୍ଚ୍ଚନା କରାଯିବ । ଏନେଇ ଟ୍ରଷ୍ଟ ପକ୍ଷରୁ ସମସ୍ତ ଆୟୋଜନ କରାଯାଇଛି । ଅନ୍ୟପକ୍ଷରେ ସହରରେ ୧୧ଟି ପୂଜାମଣ୍ଡପରେ ମାଆ ଶ୍ୟାମାକାଳୀଙ୍କ ମୃଣ୍ମୟୀ ମୂର୍ତ୍ତିଙ୍କର ପୂଜାର୍ଚ୍ଚନା ପାଇଁ ପୂଜା ମଣ୍ଡପ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚି ଥିବାବେଳେ,  କୋଭିଡ କଟକଣା ମାନି ପୂଜା ପାଳନ କରିବାକୁ କମିଟି ପକ୍ଷରୁ ସ୍ଥିର କରାଯାଇଛି ।

ଆସୁଛି ମା' କାଳୀଙ୍କ ପୂଜା । ଏ ନେଇ ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମାଆ ଭଦ୍ରକାଳୀଙ୍କ ପୀଠରେ  ମାଆଙ୍କୁ ପୂଜାର୍ଚ୍ଚନା ପାଇଁ ଟ୍ରଷ୍ଟ ପକ୍ଷରୁ କୋଭିଡ କଟକଣା ଭିତରେ ସମସ୍ତ ପ୍ରକାର ଆୟୋଜନ କରାଯାଇଛି । ମାଆଙ୍କ ପୀଠରେ କାଳୀପୂଜା ଅବସରରେ ସପ୍ତଦିବସ ବ୍ୟାପି ସପ୍ତମାତୃକା ବେଶରେ ମା' ଭଦ୍ରକାଳୀଙ୍କୁ ପୂଜାର୍ଚ୍ଚନା କରାଯିବା ସହ, ମନ୍ଦିର ପରିସରରେ ବିଶ୍ବଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେବ । ମାଆ ଭଦ୍ରକାଳୀଙ୍କ ସପ୍ତମାତୃକା ବେଶ ମଧ୍ୟରୁ  ବେଦମାତା, ମହାକାଳୀ, ରାଜରାଜେଶ୍ୱରୀ, ସିଂହବାହିନୀ, ଜଗଦ୍ଧାତ୍ରୀ, ମହାସରସ୍ବତୀ, ମହାଲଷ୍ମୀ ବେଶରେ ପୂଜାର୍ଚନା ରୀତିନୀତି ଅନୁସାରେ  କରାଯିବ ।  ଅନ୍ୟପକ୍ଷରେ ସରକାରଙ୍କ କୋଭିଡ କଟକଣା ଅନୁଯାୟୀ ବିନା ଭକ୍ତରେ ମା' ଭଦ୍ରକାଳୀଙ୍କର ପୂଜାର୍ଚ୍ଚନା ୭ ଦିନ ବ୍ୟାପୀ ହେବାକୁ ଥିବାବେଳେ, ମାତ୍ର ୭ଜଣ ସେବାୟତଙ୍କୁ ନେଇ ପୂଜା କରାଯିବାକୁ ସ୍ଥିର କରାଯାଇଛି. ଏ ନେଇ ମନ୍ଦିର ଟ୍ରଷ୍ଟ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ମା'ଙ୍କ ବରିଷ୍ଠ ସେବାୟତ କହିଛନ୍ତି ।

ମା' ଭଦ୍ରକାଳୀ ସାନ୍ତା କାନ୍ତା ଓ ସୌମ୍ୟା । ମା'ଙ୍କର ବହୁ ମହିମା ରହିଛି । ବର୍ଷକ ରେ ଏହି ୭ଦିନରେ ୭ ବେଶରେ ଦର୍ଶନ ଦିଅନ୍ତି । ବିଶ୍ୱର ମଙ୍ଗଳ ପାଇଁ ଯଜ୍ଞର ଆୟୋଜନ ହୁଏ । ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ହୁଏ । କିନ୍ତୁ କରୋନା ପାଇଁ ବିଗତ କିଛି ବର୍ଷ ହେବ କାଳୀପୂଜା ଫିକା ପଡୁଛି । ଏହି ସାତ ଦିନର ବହୁ ମାହାତ୍ମ୍ୟ ରହିଛି । ନାହିଁ ନଥିବା ଆଶା ଓ ବିଶ୍ୱାସ ନେଇ ଦୂରଦୂରାନ୍ତରୁ ଆସୁଥିବା ଭକ୍ତ ମା'ଙ୍କ ଦର୍ଶନରୁ ବଞ୍ଚିତ ହୋଇଛନ୍ତି । ତେବେ ଏଥର ଏହି କଟକଣା ମଧ୍ୟ ରହିଥିବାରୁ ପୀଠକୁ ଶ୍ରଦ୍ଧାଳୁଙ୍କୁ ନଆସିବା ପାଇଁ କମିଟି ଅନୁରୋଧ କରିଛି । କୋଭିଡ଼ କଟକଣାକୁ ସମ୍ମାନ ଦେବା ସହ ପୁଣି ଆର ବର୍ଷ ପାଇଁ ଅନେକ ଆଶା ଓ ଭରଷା ନେଇ ଅପେକ୍ଷା କରିବା ପାଇଁ ପଡିବ ।କୋଭିଡ  କଟକଣା ମଧ୍ୟରେ  ମା'କାଳୀଙ୍କ ପୂଜାର୍ଚ୍ଚନା ହେବାକୁ ଥିବାବେଳେ ସବୁଠିଁ  ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.