ଜମି-ବାଡ଼ି ବିବାଦ ହେଲା କାଳ, ପୂର୍ବ ଶତ୍ରୁତାକୁ ନେଇ ମାଆ ସମ୍ମୁଖରେ ପୁଅକୁ ହତ୍ୟା କରିଥିଲା ଅଭିଯୁକ୍ତ, ଏବେ ଗିରଫ

Published By : Prameya-News7 Bureau | April 22, 2021 IST

ଭଦ୍ରକ, ୨୨/୦୪: ପୂର୍ବ ଶତ୍ରୁତା ସହିତ ଜମି-ବାଡ଼ି ଘଟଣାକୁ କେନ୍ଦ୍ର କରି ମାଆ ଆଗରେ ଯୁବକଙ୍କୁ ଶାବଳ ଓ ବାଡ଼ିରେ ପିଟି ପିଟି ମାରି ଦେବା ଘଟଣାକୁ ମାସେ ବିତିଲା ପରେ ମୁଖ୍ୟ ଅଭିଯୁକ୍ତ ଗିରଫ । ଗିରଫ ମୁଖ୍ୟ ଅଭିଯୁକ୍ତ ରଙ୍ଗାଧର ବେହେରା ହୋଇଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ ଯେ, ଭଦ୍ରକ ଗ୍ରାମାଞ୍ଚଳ ଥାନା ରାଜମୁକୁନ୍ଦପୁର ବେହେରା ସାହିରେ ଏପରି ଘଟଣା ଘଟିଥିଲା । ସଂଜୀବ ବେହେରାଙ୍କ ପରିବାର ସାହିର ଲକ୍ଷ୍ମୀଧର ବେହେରା, ସୁଧୀର ବେହେରା ଓ ରାଜକିଶୋର ବେହେରାଙ୍କ ପରିବାର ମଧ୍ୟରେ ଜମିଜମା ଘଟଣାକୁ ନେଇ ପୂର୍ବରୁ ଝଗଡା  ହୋଇଥିଲା । ଏନେଇ ଥାନାରେ ସମାଧାନ ହୋଇଥିଲା ।

ତେବେ ଗତ ମାର୍ଚ୍ଚ ୧୭ ତାରିଖରେ ଜୟନ୍ତଙ୍କ ପରିବାର ଲୋକେ ସଙ୍ଘ ବଦ୍ଧ ଭାବେ ଆସି ସଂଜୀବ ବେହେରାଙ୍କ ପରିବାର ଉପରେ ଆକ୍ରମଣ କରିଥିଲେ । ଏପରିକି ସଂଜୀବଙ୍କୁ ଗୋଡ଼ାଇ ଗୋଡ଼ାଇ ବାଡ଼ି ଓ ଶାବଳରେ ଆକ୍ରମଣ କରିଥିଲେ । ସଂଜୀବ ଏଥିରେ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ହେଲେ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ତଙ୍କର ମୃତ୍ୟୁ ହୋଇଥିଲା ।

ଏଥିରେ ପ୍ରତିବାଦ କରିବାରୁ ତାଙ୍କ ମାଆ ଓ ଭାଉଜଙ୍କୁ ମଧ୍ୟ ସେମାନେ ଆକ୍ରମଣ କରି ଗୁରୁତର କରି ଦେଇଥିଲେ । ଏହି ୩ ଜଣଙ୍କୁ ଗ୍ରାମବାସୀ ଚିକିତ୍ସା ପାଇଁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲା ବେଳେ ଏଠାରେ ଡାକ୍ତର ସଂଜୀବଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣାରେ ପୋଲିସ ଜଣେ ଆସାମୀଙ୍କୁ ପୂର୍ବରୁ ଗିରଫ କରିଥିଲା ବେଳେ ସବୁ ଆସାମୀଙ୍କୁ ୭ ଦିନ ମଧ୍ୟରେ ଗିରଫ କରିବ ବୋଲି କହିଥିଲା । କିନ୍ତୁ ମାସେ ବିତିଯାଇଥିଲେ ମଧ୍ୟ ଆସାମୀମାନଙ୍କୁ ପୋଲିସ ଗିରଫ କରୁ ନ ଥିବାରୁ ସେମାନେ ଓଲଟି ହତ୍ୟା ଧମକ ଦେବା ସହ ଅନ୍ୟ ଗୋଟିଏ ଭାଇକୁ ହତ୍ୟା କରିବେ ବୋଲି କହିଥିଲେ ।

ଏହାକୁ ନେଇ ପରିବାର ଲୋକେ ଭଦ୍ରକ ଜିଲ୍ଲା ଏସପିଙ୍କୁ ଭେଟିଥିଲେ । ଯଦି କିଛି ନ୍ୟାୟ ନ ମିଳେ ତେବେ ସମୂହ ଆତ୍ମହୁତି ଦେବେ ବୋଲି  ଚେତାବନୀ ଦେଇଥିଲେ । ତେବେ ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ଅଭିଯୁକ୍ତ ରଙ୍ଗାଧର ବେହେରାକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.