ଭଦ୍ରକ, ବାଲେଶ୍ୱର ଓ ଯାଜପୁରରେ ୬୦ ଘଣ୍ଟା ସଟଡାଉନ, ଜାଣନ୍ତୁ କଣ ସବୁ ଖୋଲା ରହିବ ?
23/04/2020 at 10:11 PM

ବାଲେଶ୍ୱର,୨୩|୦୪: ଭଦ୍ରକ, ବାଲେଶ୍ୱର ଓ ଯାଜପୁରରେ ୬୦ ଘଣ୍ଟା ସଟଡାଉନ। କୋଭିଡ-୧୯ ଭାଇରସର ସଂକ୍ରମଣ ରୋକିବାକୁ ପୁଣି କଠୋର ପଦକ୍ଷେପ ଘୋଷଣା କଲେ ରାଜ୍ୟ ସରକାର। ରାଜ୍ୟ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ ଏହି ଘୋଷଣା କରିଛନ୍ତି। ଗତ ଚାରି ଦିନରେ ଭଦ୍ରକ, ବାଲେଶ୍ୱର ଏବଂ ଯାଜପୁର ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଯାଇଥିବାରୁ ଏପରି ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର।
ମୁଖ୍ୟ ଶାସନ ସଚିବଙ୍କ ସୂଚନା ଅନୁଯାୟୀ. ଗତ ୧୮ ତାରିଖ ଦିନ ୬୧ ତମ କରୋନା ପଜିଟିଭ ଚିହ୍ନଟ ପରଠାରୁ ଆଜି ସନ୍ଧ୍ୟାସୁଦ୍ଧା ୮୯ ତମ କରୋନା ପଜିଟିଭଙ୍କ ମଧ୍ୟରୁ କେବଳ ଭଦ୍ରକ, ବାଲେଶ୍ବର ଓ ଯାଜପୁରରେ ୨୮ ଜଣ ଚିହ୍ନଟ ହୋଇଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା ବାଲେଶ୍ବରରେ ୧୦ ଜଣ, ଯାଜପୁରରେ ୧୨ ଜଣ ଏବଂ ଭଦ୍ରକରେ ୧୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନେ ସମସ୍ତେ ପଶ୍ଚିମବଙ୍ଗରୁ ଆସିଛନ୍ତି କିମ୍ବା ପଶ୍ଚିମବଙ୍ଗରୁ ଆସିଥିବା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଛନ୍ତି।
ସଟଡାଉନରେ ଏହି ସବୁ ଜିଲ୍ଲାରେ ଗାଡି ଚଳାଚଳ, ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ ରହିବ । ତେବେ ଏହି ସମୟରେ କଣ ଖୋଲା ରହିବ ତାହା ସରକାର କହିଛନ୍ତି । ହସ୍ପିଟାଲ ଖୋଲା ରହିବା ସହ କିଛି ମେଡିସିନ ଦୋକାନ ମଧ୍ୟ ଖୋଲିବ । ସେହିପରି ନିର୍ଦ୍ଦିଷ୍ଟ ପେଟ୍ରୋଲ ପମ୍ପ, ଟେଲିକମ ସେବା, ପାନୀୟ ଜଳ ଯୋଗାଣ, ବିଦ୍ୟୁତ ସେବା, ଆମ୍ବୁଲାନ୍ସ ସେବା ଆଜି ଜାରି ରହିବ ।