ଭଦ୍ରକରେ କଣ୍ଟେନମେଣ୍ଟ ଜୋନ ଛାଡି ଅନ୍ୟ ସ୍ଥାନରେ ଖୋଲିବ ବହି ଦୋକାନ, ସକାଳ ୬ରୁ ଦିନ ଗୋଟାଏ ଯାଏ ଅନୁମତି
23/04/2020 at 8:49 AM

ଭଦ୍ରକ ୨୩।୦୪: ଭଦ୍ରକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧ରେ ପହଞ୍ଚିଲାଣି । ୧୧ ଜଣଙ୍କ ମଧ୍ୟରୁ ୮ଜଣଙ୍କ କୋଲକାତା ଲିଙ୍କ ରହିଛି । ସେଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ଆକ୍ରାନ୍ତ ଚିହ୍ନଟ ହୋଇଥିବା ଅଞ୍ଚଳ ଓ ଏହାର ଆଖପାଖ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ଏହି ସବୁ ଅଞ୍ଚଳରେ ଲୋକଙ୍କୁ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି ।

ସେହିଭଳି ସମ୍ପୃକ୍ତ ଅଞ୍ଚଳରେ ବିଶୋଧନ କାର୍ଯ୍ୟକୁ ଜୋରଦାର କରିବା ସହ ଘର ଘର ବୁଲି ସର୍ଭେ କରୁଛନ୍ତି ସ୍ବାସ୍ଥ୍ୟକର୍ମୀ । ତେବେ ଆଜିଠୁ କିଛି ନିୟମ କୋହଳ କରାଯାଇଛି । କଣ୍ଟେନମେଣ୍ଟ ଜୋନ ବାସୁଦେବପୁର ଓ ଭଣ୍ଡାରିପୋଖରୀ ବ୍ଲକ ଛାଡିଦେଲେ ଅନ୍ୟସ୍ଥାନରେ ପାଠ୍ୟ ପୁସ୍ତକ ଦୋକାନ ଖୋଲା ରହିବ । ସକାଳ ୬ଟା ରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଖୋଲା ରହିବ । ଏହାସହ ମୋବାଇଲ ରିଚାର୍ଜ ଦୋକାନ ସକାଳ ୬ଟା ରୁ ଦିନ ଗୋଟାଏ ପଯ୍ୟନ୍ତ ଓ ଫ୍ୟାନ ମରାମତି ଦୋକାନ ସକାଳ ୬ଟା ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲା ରହିବ । ରାଜପଥ ପାର୍ଶ୍ବରେ ରାଣୀତାଲରୁ ଆଖୁଆପଡା ପର୍ଯ୍ୟନ୍ତ ଥିବା ସମସ୍ତ ଢ଼ାବା ଖୋଲା ରହିବ । ଶୌଚାଳୟ ସୁବିଧା ସହ ସାମାଜିକ ଦୂରତା ଉପରେ ଗୁରୁତ୍ବ ଦେବା ସହ କେବଳ ଖାଦ୍ୟ ପାର୍ସଲର ବ୍ୟବସ୍ଥା ରହିବ ବୋଲି ଟ୍ବିଟ୍ ଯୋଗେ ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ସୂଚନା ଦେଇଛନ୍ତି ।