ଭଦ୍ରକରେ ସର୍ଭିଲାନ୍ସ ଜୋରଦାର, ପ୍ରବାସୀଙ୍କ ଉପରେ ନଜର ରଖିଛି ପ୍ରଶାସନ

Published By : Prameya-News7 Bureau | April 23, 2021 IST

ଭଦ୍ରକ ୨୩।୪:  ଭଦ୍ରକ ଜିଲ୍ଲାରେ ସଂକ୍ରମଣ ବୃଦ୍ଧି ପାଉଛି । ଏହାସହ ବଢୁଛି ସଂକ୍ରମିତଙ୍କ ସଂଖ୍ୟା । ଭଦ୍ରକ ଜିଲ୍ଲାରେ ୨୩ ତାରିଖରେ ୮୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କର ଲୋକାଲ କଣ୍ଟାକ୍ଟ ରହିଥିବାରୁ ଟ୍ରେସିଂ ଆରମ୍ଭ ହୋଇଛି । ୨୩ ତାରିଖ ସୁଦ୍ଧା ଭଦ୍ରକ ଜିଲ୍ଲାରେ ୩ ଲକ୍ଷ ୩୫ ହଜାର ୯୦୩ ଜଣଙ୍କର କରୋନା ଟେଷ୍ଟ କରାଯାଇଥିବା ବେଳେ ସମୁଦାୟ ୮୨୬୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ୭୬୯୯ ଜଣ ସୁସ୍ଥ ହୋଇଛନ୍ତି । ଜିଲ୍ଲାରେ ୨୬ ଜଣ ସଂକ୍ରମିତଙ୍କର ମୃତ୍ୟୁ ହୋଇଥିବା ବେଳେ ୫୪୦ ଆକ୍ଟିଭ କେସ୍ ରହିଛି ।

ରାଜ୍ୟ ସରକାରଙ୍କ ତରଫରୁ ଜାରି ହୋଇଛି କଟକଣା । ନାଇଟ୍ କର୍ଫ୍ୟୁ ସହ ସପ୍ତାହନ୍ତ ସଟଡାଉନ ପାଇଁ ପ୍ରଶାସନ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି । ସହରରେ ମାଇକ୍ ଯୋଗେ ପ୍ରଚାର କରାଯାଉଛି । ତେବେ ପ୍ରଶାସନିକ ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲାର ଭଦ୍ରକ, ବାସୁଦେବପୁର, ଧାମନଗର ଓ ଚାନ୍ଦବାଲି ସହରାଞ୍ଚଳରେ ୨୩ ତାରିଖ ରାତି ୯ଟାରୁ ସଖାଳ ୫ ପର୍ଯ୍ୟନ୍ତ କର୍ଫ୍ୟୁ ଜାରି ରହିବ । ୨୪ ତାରିଖ ସଖାଳ ୫ରୁ ୨୬ ତାରିଖ ସଖାଳ ୫ଟା ପର୍ଯ୍ୟନ୍ତ ସଟଡାଉନ କଟକଣା ବଳବତ୍ତର ରହିବ ।

ଭଦ୍ରକ ସହରାଞ୍ଚଳକୁ ଲାଗି ରହିଥିବା ରାନ୍ଦିଆ, ସମରାଇପୁର, ଏରେଇଁ  ପଞ୍ଚାୟତଗୁଡିକ ସହ ବସୁଦେବପୁର ପୌରାଞ୍ଚଳ, ଚାନ୍ଦବାଲି ଓ ଧାମନଗର ବିଜ୍ଞାପିତ ଅଞ୍ଚଳରେ ମଧ୍ୟ କଟକଣା ଜାରି ରହିବ । ଅପ୍ରେଲ ୩୦ ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବା ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି । କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ଅଞ୍ଚଳରେ ସର୍ଭିଲାନ୍ସ ଜୋରଦାର ହେଉଛି । ରାଜ୍ୟ ବାହାରୁ ଆସୁଥିବା ପ୍ରବାସୀଙ୍କ ଉପରେ ପ୍ରଶାସନ ନଜର ରଖିଛି । ରେଲୱେ ଷ୍ଟେସନରେ ପ୍ରବାସୀଙ୍କ ପାଇଁ ଯାଞ୍ଚ ବ୍ୟବସ୍ଥା କରାଯାଉଛି, ପଞ୍ଚାୟତ ଗୁଡିକରେ ସରପଞ୍ଚ, ମହିଳା ସ୍ବୟଂ ସହାୟକ ଗୋଷ୍ଠୀ, ଆଶା କର୍ମୀ, ଅଙ୍ଗନବାଡି କର୍ମୀଙ୍କୁ ପ୍ରବାସୀଙ୍କ ବିଷୟରେ ପ୍ରଶାସନକୁ ସୂଚନା ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସହରାଞ୍ଚଳରେ ପେଡ୍ କ୍ଵାରେଣ୍ଟାଇନ ପାଇଁ ମଧ୍ୟ ବ୍ୟବସ୍ଥା ହୋଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.