'ନବମ ଶ୍ରେଣୀ ଝିଅ' ଗୀତ ଗାଇ ଯୁବତୀଙ୍କୁ ଫସାଇଲା, ଗର୍ଭନଷ୍ଟ ପରେ ଚିହ୍ନିନି ବୋଲି କହିଲା ପ୍ରେମିକ

Published By : Prameya-News7 Bureau | October 11, 2020 IST

ପୁରୀ,୧୧/୧୦: ନବମ ଶ୍ରେଣୀ ଝିଅଟା ଗୀତ ବୋଲି କିଣିନେଲା ମନ । ଦେଲା ବିବାହର ପ୍ରତିଶ୍ରୁତି । ପ୍ରେମିକା ହେଲା ଗର୍ଭବତୀ। ଶିଶୁ ହୁଷ୍ଟପୁଷ୍ଟ ହେବ ବୋଲି କହି ପ୍ରେମିକ ଦେଲା ଔଷଧ। ସେ ଔଷଧ ଖାଇ ପ୍ରେମିକାର ହୋଇଗଲା ଗର୍ଭପାତ। ଆଉ ଏହାପରେ ଚତୁରତାର ସହ ପ୍ରେମିକ କହିଲା ତୁ କିଏ ମୁଁ ଜାଣିନି । ଏହାପରେ ଆଇନ୍‌ର ଦ୍ୱାରସ୍ଥ ହେଲା ପ୍ରେମିକା। ଥାନାରେ ଏତଲାକୁ ପୂରିଛି ଏକ ମାସ । ପଦକ୍ଷେପ ନେଉ ନାହାନ୍ତି ଥାନା ଅଧିକାରୀ। ଶେଷରେ ପୀଡିତା ଏବେ ଏସ୍‌ପିଙ୍କ ନିକଟରେ ଅଭିଯୋଗ କରି ନ୍ୟାୟ ଭିକ୍ଷା କରିଛନ୍ତି। ଚନ୍ଦନପୁର ଥାନା ଅଞ୍ଚଳରେ ଏଭଳି ଏକ ଘଟଣା ଆଲୋଡନ ସୃଷ୍ଟି କରିଛି ।

ପ୍ରେମ ଥିଲା ୧୨ ବର୍ଷର ପୁରୁଣା। ପ୍ରେମିକାର ନାମ କାମିନୀ (ଛଦ୍ମନାମ) । ଏବେ କାମିନୀଙ୍କ ବୟସ ୨୬ ବର୍ଷ । ନବମରେ ପାଠ ପଢୁଥିବାବେଳେ ଗାଁର ଜଣେ ଯୁବକ ତାଙ୍କୁ ପ୍ରେମ ନିବେଦନ କଲେ। ଦିନେ ଯୁବକ ଜଣକ ବାପା ଡାକୁଛନ୍ତି କହି କାମିନୀଙ୍କୁ ନିଜ ଘରକୁ ଡାକି ନେଇଥିଲା । ସେଠାରେ କେହି ନଥିବା ଅବସ୍ଥାରେ କାମିନୀଙ୍କୁ ବିବାହର ପ୍ରଲୋଭନ ଦେଖାଇଥିବା ଅଭିଯୋଗ ହୋଇଛି । ବେଦିରେ ବସିବା ପୂର୍ବରୁ ପତ୍ନୀ ବୋଲି ସ୍ୱୀକାର କରି ନେଇଥିବା କହି ବାରମ୍ବାର କାମିନୀ ସହ ଶାରୀରିକ ସମ୍ପର୍କ ରଖିଥିବା ସେ ଅଭିଯୋଗ କରିଛନ୍ତି । ଗର୍ଭବତୀ ହୋଇ ଯାଇଥିଲେ କାମିନୀ ।

କାମିନୀ ଗର୍ଭବତୀ ଜାଣିବା ପରେ ଯୁବକ ରଚିଥିଲା ଷଡ଼ଯନ୍ତ୍ର। ଗତ ଜୁନ୍‌ ମାସରେ ଗର୍ଭ ନିରୋଧକ ଔଷଧ ଆଣି କାମିନୀଙ୍କୁ ଦେଇ ସନ୍ତାନ ହୁଷ୍ଟପୁଷ୍ଟ ହେବ ବୋଲି କହିଥିଲା । ସନ୍ତାନକୁ ସୁସ୍ଥ ରଖି ଖୁବ୍‌ ଶୀଘ୍ର ବେଦିରେ ବସିପଡିବା ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଥିଲା । ଜୁନ୍‌ ୧୦ ତାରିଖରେ କାମିନୀଙ୍କ ଗର୍ଭପାତ ହୋଇଥିଲା। ଭୀଷଣ ଯନ୍ତ୍ରଣାରେ ଛଟପଟ ହୋଇଥିଲେ କାମିନୀ । ହେଲେ ଏହାପରେ ବଦଳି ଯାଇଥିଲା ଯୁବକ । କହିଥିଲା ବିବାହ କରିପାରିବ ନାହିଁ । ୩ ମାସ ପର୍ଯ୍ୟନ୍ତ କାମିନୀ ବୁଝାଇଥିଲେ ମଧ୍ୟ ବୁଝି ନଥିଲା ଯୁବକ।

ଶେଷରେ ଗତ ସେପ୍ଟେମ୍ବର ୧୧ ତାରିଖରେ କାମିନୀ ଚନ୍ଦନପୁର ଥାନାରେ ଏତଲା ଦେଇଥିଲେ। ପୁଲିସ ଉଭୟ ପକ୍ଷଙ୍କୁ ଡାକି ସମାଧାନ କରିବାକୁ ଉଦ୍ୟମ କରିଥିଲା । ହେଲେ ସେଠାରେ କାମିନୀଙ୍କୁ ଚିହ୍ନିନି ବୋଲି କହିଥିଲା ଯୁବକ । ସେପଟେ ଯୁବକର କଥାକୁ ଗ୍ରହଣ କରି ନିରବ ରହିଲା ପୁଲିସ । କୌଣସି ପଦକ୍ଷେପ ନନେବାରୁ ମାନସିକ ଭାରସାମ୍ୟ ହରାଇ ଯୁବତୀ ଏବେ ଏସ୍‌ପିଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ଏକ ମାସ ବିତିଥିଲେ ମଧ୍ୟ ପୁଲିସ କାର୍ଯ୍ୟକାନୁଷ୍ଠାନ ଗ୍ରହଣ କରିବା ତ ଦୂର କଥା ଏତଲା କପି ଦେଇନଥିବା କହିଛନ୍ତ କାମିନୀ। ଏନେଇ ଆଇଆଇସି ପ୍ରିୟରଞ୍ଜନ ନାୟକ ଏବେ କିଛି କହିପାରିବେ ନାହିଁ, ଅନୁସନ୍ଧାନ ପରେ ମତଦେବେ ବୋଲି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.