ଭାରତରେ ୨୦୧୪-୧୯ ମଧ୍ୟରେ ରୁଜୁ ହୋଇଛି ୩୨୬ ଦେଶଦ୍ରୋହ ମାମଲା, କେବଳ ୬ ଜଣଙ୍କୁ ମିଳିଛି ସଜା

Published By : Prameya-News7 Bureau | July 18, 2021 IST

ନୂଆଦିଲ୍ଲୀ ୧୮।୦୭: ୨୦୧୪ ରୁ ୨୦୧୯ ମଧ୍ୟରେ ରୁଜୁ ହୋଇଛି ୩୨୬ ଦେଶଦ୍ରୋହ ମାମଲା। ଏଥିରୁ ମାତ୍ର ଛଅ ଜଣଙ୍କୁ ମିଳିଛି ଦଣ୍ଡ। ସୁପ୍ରିମକୋର୍ଟ ଗତ ସପ୍ତାହରେ କହିଥିଲେ ଯେ, ଆଇପିସିର ଧାରା ୧୨୪(ଏ) ଦେଶଦ୍ରୋହ ଆଇନର ସବୁଠୁ ବଡ ଧରଣର ଦୁରୁପଯୋଗ  ହୋଇଛି। ଇଂରେଜ ଅମଳର ଏହି ଆଇନ କଣ ଆଜିକା ସମୟରେ ପ୍ରାସଙ୍ଗିକତା ରଖୁଛି ବୋଲି ସର୍ବୋଚ୍ଚ ନ୍ୟାୟାଳୟ ପ୍ରଶ୍ନ କରିଛନ୍ତି। ସେହି ସମୟରେ ଇଂରେଜ ମହାତ୍ମା ଗାନ୍ଧୀଙ୍କ ପରି ଲୋକଙ୍କ ମୁହଁ ବନ୍ଦ କରିବା ପାଇଁ ଏହି ଆଇନର ଦୁରୁପଯୋଗ କରୁଥିଲେ। କାହିଁକି ଏହି ଆଇନ ସମାପ୍ତ ହେବ ନାହିଁ ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ ମଧ୍ୟ କରିଛନ୍ତି।

କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ୨୦୧୪ ଓ ୨୦୧୯ ମଧ୍ୟରେ ଦେଶଦ୍ରୋହ ଆଇନରେ ମୋଟ୍ ୩୨୬ ମାମଲା ରୁଜୁ କରାଯାଇଛି। ଏଥିରୁ ସବୁଠୁ ଅଧିକ ୫୪ ମାମଲା ଆସାମରେ ରୁଜୁ କରାଯାଇଛି। ଏଥିରେ ୧୪୧ଟି ମାମଲାରେ ଅଭିଯୋଗର୍ଦ୍ଦ ଦାଖଳ କରାଯାଇଥିବା ବେଳେ ଏହି ଛଅ ବର୍ଷର ଅବଧିରେ କେବଳ ୬ ଜଣ ହିଁ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।

ଅଧିକାରୀଙ୍କ ମୁତାବକ, ସ୍ଵରାଷ୍ଟ୍ର ମନ୍ତ୍ରଣାଳୟ ଏ ପର୍ଯ୍ୟନ୍ତ ୨୦୨୦ ମସିହାର ତଥ୍ୟ ଏକତ୍ର କରାଯାଇ ନାହିଁ। ଆସାମ ପରେ ଝାଡଖଣ୍ଡରେ ଏହି ଛଅ ବର୍ଷରେ ଦେଶଦ୍ରୋହ ଆଧାରରେ ୪୦ ମାମଲା ରୁଜୁ ହୋଇଛି। ଏଥିରୁ ୨୯ଟିରେ ଅଭିଯୋଗଫର୍ଦ୍ଦ ଦାଖଲ କରାଯାଇଛି। ଜଣେ ବ୍ୟକ୍ତି ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ସେହି ପରି  ବିହାର, ଜମ୍ମୁ-କଶ୍ମୀର ଓ କେରଳରେ ୨୫-୨୫ ମାମଲା ରୁଜୁ ହୋଇଛି। ବିହାର ଓ କେରଳରେ ଗୋଟିଏ ହେଲେ ମାମାଲରେ ଅଭିଯୋଗଫର୍ଦ୍ଦ ଦାଖଲ କରାଯାଇ ପାରି ନାହିଁ। ଜମ୍ମୁ-କଶ୍ମୀରରେ କେବଳ ତିନୋଟି  ମାମଲାରେ ଅଭିଯୋଗଫର୍ଦ୍ଦ ଦାଖଲ କରାଯାଇଛି। ୨୦୧୪ ରୁ ୧୯ ମଧ୍ୟରେ ଜଣେ ହେଲେ ଦୋଷୀ ସାବ୍ୟସ୍ତ ହୋଇ ନାହାନ୍ତି।

ଉତ୍ତର ପ୍ରଦେଶରେ ୨୦୧୪ ଓ ୨୦୧୯ ମଧ୍ୟରେ ଦେଶଦ୍ରୋହର ୧୭ଟି ମାମଲା ଏବଂ ପଶ୍ଚିମବଙ୍ଗରେ ୮ଟି ମାମଲା ରୁଜୁ ହୋଇଛି। ୟୁପିରେ ୮ ଏବଂ ପଶ୍ଚିମବଙ୍ଗରେ ୫ଟି ମାମଲାରେ ଅଭିଯୋଗଫର୍ଦ୍ଦ ଦାଖଲ କରାଯାଇଛି। ଦୁଇ ରାଜ୍ୟରୁ ଜଣେ ହେଲେ ଦୋଷୀ ସାବ୍ୟସ୍ତ  ହୋଇ ନାହାନ୍ତି। ଦିଲ୍ଲୀରେ ଚାରୋଟି ମାମଲା ରୁଜୁ କରାଯାଇଛି। ହେଲେ କୌଣସି ମାମଲାରେ ଅଭିଯୋଗପତ୍ର ଦାଖଲ ହୋଇ ପାରି ନାହିଁ।

ମେଘାଳୟ, ମିଜୋରାମ, ତ୍ରିପୁରା, ସିକ୍କିମ, ଆଣ୍ଡମାନ ଓ ନିକୋବର, ଲାକ୍ଷାଦ୍ଵୀପ, ପୁଡୁଚେରୀ, ଚଣ୍ଡିଗଡ, ଡାମନ ଓ ଡିଉ, ଦାଦର ଓ ନଗର ହାବେଲୀରେ ଛଅ ବର୍ଷରେ ଦେଶଦ୍ରୋହରେ କୌଣସି ମାମଲା ରୁଜୁ ହୋଇ ନାହିଁ। ତିନି ରାଜ୍ୟ ମହାରାଷ୍ଟ୍ର, ପଞ୍ଜାବ ଓ ଉତ୍ତରାଖଣ୍ଡରେ ଗୋଟିଏ ଲେଖାଏଁ ଦେଶଦ୍ରୋହ ମାମଲା ରୁଜୁ କରାଯାଇଛି।

ସ୍ଵରାଷ୍ଟ୍ର ମନ୍ତ୍ରଣାଳୟ ତଥ୍ୟ ଅନୁଯାୟୀ, ଦେଶରେ ୨୦୧୯ରେ ସର୍ବାଧିକ ୯୩ଟି ମାମଲା ରୁଜୁ ହୋଇଛି। ସେହି ପରି ୨୦୧୮ରେ ୭୦, ୨୦୧୭ରେ ୫୧, ୨୦୧୪ରେ ୪୭, ୨୦୧୬ରେ ୩୫ ଓ ୨୦୧୫ରେ ୩୦ଟି ମାମଲା ରୁଜୁ କରାଯାଇଛି। ୨୦୧୮ରେ ୩୮, ୨୦୧୭ରେ ୨୭, ୨୦୧୬ରେ ୧୬, ୨୦୧୪ରେ ୧୪ ଏବଂ ୨୦୧୫ରେ ୬ଟି ମାମଲାରେ ଅଭିଯୋଗଫର୍ଦ୍ଦ ଦାଖଲ କରାଯାଇଛି। ଏହି ସବୁ ମାମଲାରେ ମାତ୍ର ୬ ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.