ଗର୍ଭବତୀ ଦୁଷ୍କର୍ମ ପୀଡ଼ିତାଙ୍କୁ ଘରେ ପଶି କିରୋସିନି ଢ଼ାଳି ନିଆଁ ଲଗାଇ ଜୀଅନ୍ତ ଜାଳିଦେଲା ଅଭିଯୁକ୍ତ : ଗିରଫ

Published By : Prameya-News7 Bureau | December 11, 2019 IST

ପଟନା ୧୧/୧୨: ଦେଶରେ ଦୁଷ୍କର୍ମ ମାମଲା ଦିନକୁ ଦିନ ବଢ଼ି ବଢ଼ି ଚାଲିଛି। ମହିଳାଙ୍କୁ ଦୁଷ୍କର୍ମ ପରେ ପୋଡ଼ି ମାରିଦେବା ଘଟଣା କମ୍ ହେଉନାହିଁ। ଠିକ୍ ଏହିପରି ଆଜି ସକାଳେ ଏକ ଘଟଣା ଘଟିଛି ବେତିୟା ଜିଲ୍ଲାର ଶିକାରପୁର ଅଞ୍ଚଳରେ। ଏଠାରେ ଅଭିଯୁକ୍ତ ପୀଡ଼ିତାଙ୍କ ଘରେ ପଶି ତାଙ୍କ ଉପରେ କିରୋସିନି ଢ଼ାଳି ନିଆଁ ଲଗାଇ ଦେଇଛି। ଏହା ପରେ ତାଙ୍କୁ ଚିକିତ୍ସା ପାଇଁ ପଟନା ନିଆଯିବା ସମୟରେ ରାସ୍ତାରେ ପୀଡ଼ିତାଙ୍କ ମୃତ୍ୟୁ ହୋଇ ଯାଇଛି। ନିଆଁରେ ପୀଡ଼ିତାଙ୍କ ୭୦ପ୍ରତିଶତ ଶରୀର ପୋଡ଼ି ଯାଇଥିଲା।

ପୀଡ଼ିତାଙ୍କ ଭାଇ ପୋଲିସଙ୍କୁ କହିଛନ୍ତି ଯେ ଦେଢ଼ ମାସ ପୂର୍ବରୁ ଅଭିଯୁକ୍ତ ପୀଡ଼ିତାଙ୍କୁ ଦୁଷ୍କର୍ମ କରିଥିଲା ଏବଂ ଧମକ ଦେଇଥିଲା । ସେହି ସମୟରେ ପୋଲିସ ନିକଟରେ ଅଭିଯୁକ୍ତ ବିରୋଧରେ ମାମଲା ରୁଜୁ କରାଯାଇନଥିଲା। ଫଳରେ ଅଭିଯୁକ୍ତର ସାହସ ଆହୁରି ବଢ଼ିଯାଇଥିଲା। ସେ ପୀଡ଼ିତାଙ୍କୁ ବିବାହର ପ୍ରତିଶ୍ରୃତି ଦେଇ ତାଙ୍କୁ ବାରମ୍ବାର ଯୌନ ନିର୍ଯ୍ୟାତନା ଦେଉଥିଲା। ତାଙ୍କ ପରିବାରକୁ ୩/୪ଦିନ ତଳେ ଜଣା ପଡ଼ିଥିଲା ଯେ ପୀଡ଼ିତା ଗର୍ଭବତୀ ହୋଇଯାଇଛନ୍ତି,ଏହା ପରେ ସେ ପରିବାର ଲୋକଙ୍କୁ ନେଇ ଅଭିଯୁକ୍ତ ଘରେ ପହଞ୍ଚିଥିଲେ ଏବଂ ତା’ ଉପରେ ବିବାହ କରିବାକୁ ଚାପ ପକାଇ ଥିଲେ। କିନ୍ତୁ ଅଭିଯୁକ୍ତର ପରିବାର ଏଥିପାଇଁ ମନା କରିଥିଲେ।

ଆଜି ସକାଳେ ୭ଟାବେଳେ ଘରର ମହିଳାମାନେ ଅଗଣାରେ ରୋଷେଇ କରୁଥିବାବେଳେ ପୁରୁଷମାନେ ବାହାରେ ନିଆଁ ପୁଉଁଥିଲେ। ପୀଡ଼ିତା ତାଙ୍କ ରୁମରେ ଶୋଇଥିଲେ। ଏହି ସମୟରେ ଅଭିଯୁକ୍ତ ତାଙ୍କ ରୁମରେ ପଶିଥିଲେ ଏବଂ ତାଙ୍କ ଉପରେ କିରୋସିନି ଢ଼ାଳି ନିଆଁ ଲଗାଇ ଦେଇଥିଲେ। ପୀଡ଼ିତାଙ୍କ ଚିତ୍କାର ଶୁଣି ପରିବାର ଲୋକେ ବାହାର କବାଟ ଆଡ଼େ ଦେଖିବାରୁ ଅଭିଯୁକ୍ତ ସେଠାରୁ ଦୌଡ଼ୁଥିଲା।

ଏହା ପରେ ପରିବାର ଲୋକେ ପୋଲିସ ନିକଟରେ ଅଭିଯୋଗ କରିଥିଲେ। ପୋଲିସ୍ ଡରରେ ଅଭିଯୁକ୍ତ ପଡ଼ୋଶୀଙ୍କ ଘରେ ଲୁଚି ଯାଇଥିଲା। ପୋଲିସ୍ ଅଭିଯୁକ୍ତକୁ ପଡ଼ୋଶୀ ଘରୁ ଗିରଫ କରି ନେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.