ଯୌତୁକ ପାଇଁ ଦେଢ ଶାଶୁଙ୍କୁ ଛୁରୀ ଭୁସି ହତ୍ୟାକଲା ଭଉଣୀ ଜ୍ବାଇଁ

Published By : Prameya-News7 Bureau | November 16, 2020 IST

ବେଙ୍ଗାଲୁରୁ ୧୬/୧୧ : ଘରୋଇ କଳିର କରୁଣ ପରିଣତି । ଯୌତୁକ ପାଇଁ ନିଜ ଦେଢ ଶାଶୁଙ୍କୁ ହତ୍ୟା କରିଛି ଭଉଣୀ ଜ୍ବାଇଁ । ରାମମୂର୍ତ୍ତି ନଗରରେ ଜଣେ ବ୍ୟକ୍ତି ତାଙ୍କ ୩୭ ବର୍ଷୀୟ ଦେଢ ଶାଶୁଙ୍କୁ ୨୦ ଥର ଛୁରୀ ଭୁସି ହତ୍ୟା କରିଛି । ଘରୋଇ କଳହକୁ ନେଇ ଏଭଳି ହତ୍ୟା କାଣ୍ଡ ଘଟିଥିବା ସୂଚନା ମିଳିଛି । ଏହା ପରେ ସେ ନିଜକୁ ଛୁରାମାଡ଼ କରି ନିଜ ଜୀବନ ହାରିବାକୁ ଚେଷ୍ଟା କରିଥିଲା ।

ସୂଚନା ମୁତାବକ ମୃତ ଲାବଣ୍ୟା କେ. ଆର. ପୁରମର ନିବାସୀ । ପୋଲିସ କହିବା ଅନୁସାରେ ଅଭିଯୁକ୍ତ ବିଜୟ କୁମାର ଯୌତୁକ ପାଇଁ ତାଙ୍କ ପତ୍ନୀ ଲକ୍ଷ୍ମୀଙ୍କୁ ବିଭିନ୍ନ ସମୟରେ ହଇରାଣ ହରକତ କରୁଥିଲେ । ଏଥିରେ ଅତିଷ୍ଟ ହୋଇ ଲକ୍ଷ୍ମୀଙ୍କ ବଡ ଭଉଣୀ ଲାବଣ୍ୟା, ବିଜୟଙ୍କ ନାଁରେ ଥାନାରେ ମାମଲା ରୁଜୁ କରିବାକୁ ଧମକ ଦେଇଥିଲେ ।

ତେବେ ଗତ ରବିବାର ଦିନ ଏହି ଘଟଣାକୁ ନେଇ ଝଗଡା ହେବାରୁ ବିଜୟ ରାଗିଯାଇ ରୋଷେଇ ଘରୁ ଛୁରୀ ଆଣି ଲାବଣ୍ୟାଙ୍କୁ ବାରମ୍ବାର ଭୁସି ଚାଲିଲା ଏବଂ ଘଟଣାସ୍ଥଳରେ ହିଁ ଲାବଣ୍ୟାଙ୍କର ମୃତ୍ୟୁ ଘଟିଥିଲା । ଏହା ପରେ ବିଜୟ ନିଜେ ନିଜ ଗଳା କାଟି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତେବେ ତାଙ୍କ ପଡୋଶୀ ତୁରନ୍ତ ତାଙ୍କୁ ତୁରନ୍ତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ବିଜୟଙ୍କ ପତ୍ନୀ କରିଥିବା ଅଭିଯୋଗ ଆଧାରରେ ପୋଲିସ ମାମଲାର ଯାଞ୍ଚ କରୁଛି ଏବଂ ହସ୍ପିଟାଲରୁ ଡିସଚାର୍ଜ ପରେ ତାଙ୍କୁ ଗିରଫ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.