ଘରକୁ ଫେରିଲେ ବ୍ରହ୍ମପୁରର ଶିବାଶିଷ ନାୟକ : ଜାପାନର ଡାଇମଣ୍ଡ ପ୍ରିନସେସ୍ ଜାହାଜରେ କରୋନା ସନ୍ଦିଗ୍ଧ ଭାବେ ଅଟକିଥିଲେ

Published By : Prameya-News7 Bureau | March 14, 2020 IST

ବ୍ରହ୍ମପୁର ୧।୩: ଘରକୁ ଫେରିଲେ ଶିବାଶିଷ ନାୟକ । ଜାପାନ ଉପକୂଳରେ ଡାଇମଣ୍ଡ ପ୍ରିନସେସ୍ ଜାହାଜରେ କରୋନା ଆକ୍ରାନ୍ତ ସନ୍ଦେହରେ ଫଶିଥିଲେ ଶିବାଶିଷ ନାୟକ । କେନ୍ଦ୍ର ସରକାର ତାଙ୍କୁ ଉଦ୍ଧାର କରି ଦିଲ୍ଲୀ ଆଣିବା ପରେ ସ୍ବତନ୍ତ୍ର ଅବଜଭେସନରେ ତାଙ୍କୁ ରଖାଯାଇଥିଲା । ଚିକିତ୍ସା ପରେ ସେ ଗତକାଲି ରାତିରେ ତାଙ୍କ ନିଜ ଘର ବ୍ରହ୍ମପୁରକୁ ଫେରିଛନ୍ତି । କରୋନା ସନ୍ଦେହରେ ପ୍ରଥମେ ଜାପାନରେ ଓ ପରେ ଦିଲ୍ଲୀରେ ଦୀର୍ଘଦିନ ଧରି ରହିବା ପରେ ଏବେ ସେ ପରିବାରକୁ ଫେରିଥିବାରୁ ତାଙ୍କ ପରିବାରରେ ଖୁସିର ମାହୋଲ ଦେଖାଦେଇଛି ।

କରୋନାକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରିଛନ୍ତି ରାଜ୍ୟ ସରକାର । ସ୍ଥିତି ମୁକାବିଲା ପାଇଁ ଘୋଷଣା ହୋଇଛି ଅଦ୍ଭୂତପୂର୍ବ କଟକଣା । ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଜାରି କରିଛି । ଓଡିଶା COVID-19 ରେଗୁଲେସନ୍ ୨୦୨୦ । ଏହା ଅନୁଯାୟୀ ସବୁ ସରକାରୀ ଓ ଘରୋଇ ହସପିଟାଲରେ କରୋନା କର୍ଣ୍ଣର ରହିବ । ସ୍ଥିତି ମୁକାବିଲା ଲାଗି ଜିଲ୍ଲାପାଳ, ମ୍ୟୁନିପାଲିଟିକୁ ସ୍ବତନ୍ତ୍ର କ୍ଷମତା ଦିଆଯାଇଛି । ଡାକ୍ତରଖାନାରେ ରହିବ ଆଇସୋଲେସନ୍ ୱାର୍ଡ ।

ସଂକ୍ରମିତ ଅଞ୍ଚଳକୁ ଯାଇପାରିବେନି ବାହାର ଲୋକ । ସଂକ୍ରମିତ ଅଞ୍ଚଳକୁ ଯାଇଥିଲେ ଡାକ୍ତରଙ୍କ ପରାମର୍ଶ ନେବେ । ଘରୋଇ ହସପିଟାଲ ବା ଲ୍ୟାବ୍ କରୋନା ପରୀକ୍ଷା କରିପାରିବେନି । କେବଳ ଭୁବନେଶ୍ବର ସ୍ଥିତ RMRCରେ କରୋନା ଚିହ୍ନଟ ପରୀକ୍ଷା ହେବ । ଏହାସହ କିଛି କଟକଣା ମଧ୍ୟ ଜାରି ହୋଇଛି । ସାମାଜିକ ଉତ୍ସବରେ ଏକାଠି ନହେବାକୁ ଅପିଲ କରାଯାଇଛି । ମୁଖ୍ୟମନ୍ତ୍ରୀ ଓ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠ ବନ୍ଦ କରି ଦିଆଯାଇଛି । ସ୍କୁଲ, କଲେଜ, ସିନେମା ହଲ୍, ସୁଇମିଂ ପୁଲ ଓ ଜିମ୍ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ମିଥ୍ୟା ଅପପ୍ରଚାର କିମ୍ବା ଗୁଜବ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ପ୍ରସ୍ତୁତ ରହିବା ତେବେ ଆତଙ୍କିତ ନହେବାକୁ ମୁଖ୍ୟମନ୍ତ୍ରୀ ଅପିଲ କରିଛନ୍ତି ।

ରାଜ୍ୟ ପର୍ଯ୍ୟଟନ, ସଂସ୍କୃତି ବିଭାଗ ନିର୍ଦ୍ଦେଶନାମା ଜାରି କରିଛି । ରାଜ୍ୟ ବାହାରକୁ ଯିବେନି କି ବାହାରୁ ଆସିବେନି ସାଂସ୍କୃତିକ ଦଳ । ସମସ୍ତ ପାଠାଗାର, ସଂଗ୍ରହାଳୟକୁ ପ୍ରବେଶ ନିଷେଧ କରାଯାଇଚି । ପର୍ଯ୍ୟଟନସ୍ଥଳୀରେ ଜନଗହଳିକୁ ରୋକାଯିବ । ଏପଟେ ଜେଲ ପରିବେଶ ପରିଷ୍କାର ପାଇଁ ନିର୍ଦ୍ଦେଶ ଦେବାସହ ଭିଡିଓ କନଫରେନସିଂ ମାଧ୍ୟମରେ ହାଜର ହେବେ କଏଦୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.