କାର୍ଯ୍ୟକାରିଣୀ ବୈଠକରେ ପ୍ରଶଂସକଙ୍କୁ ଶକ୍ତ ଚାପୁଡା ମାରିଲେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ସୋସିଆଲ ମିଡିଆରେ ବୁଲୁଛି ଭିଡିଓ

Published By : Prameya-News7 Bureau | September 25, 2019 IST

ବ୍ରହ୍ମପୁର ୨୫।୯: ଚାପୁଡା ମାରିଲେ ବ୍ରହ୍ମପୁର ସାଂସଦ । ଏପରି ଏକ ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ । ସ୍ଥାନୀୟ ବିଜେଡି ନେତା ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଏହି ଦୃଶ୍ୟ।

ମଂଚ ଉପରେ ବିଜେଡିର କିଛି ନେତାଙ୍କ ସହ ଉପସ୍ଥିତ ଥିଲେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ । ମଞ୍ଚ ଉପରେ ଥିବା ଜଣେ ପ୍ରଶଂସକଙ୍କ ବେକରେ ଏକ ଗାମୁଛା ପକାଇ ଦେଇଥିଲେ ସାଂସଦଙ୍କ ପାଖରେ ଥିବା ଆଉ ଜଣେ ବ୍ୟକ୍ତି । ହେଲେ ପ୍ରଶଂସକ ଜଣଙ୍କ ଗାମୁଛାକୁ ନିଜ ବେକରେ ନ ପକାଇ ସାଂସଦଙ୍କ ହାତକୁ ବଢାଇ ଦେଇଥିଲେ । ବାସ ଏହାପରେ ସାଂସଦ ଚିହିଁକି ଉଠିଥିଲେ ।

ହଠାତ ସାଂସଦ ଚନ୍ଦ୍ରଶେଖର ସାହୁ ଏହି ପ୍ରଶଂସକଙ୍କୁ ସର୍ବସମ୍ମୁଖରେ ଏକ ଶକ୍ତ ଚାପୁଡା ମାରିଥିଲେ । ଯେଉଁ ଜନତାଙ୍କ ଭୋଟ ପାଇ ନେତା ସାଂସଦ ବନିଛନ୍ତି, ସେହି ଜନତାଙ୍କୁ ଏପରି ବ୍ୟବହାର ନେଇ ଚର୍ଚ୍ଚା ଜୋର ଧରିଛି । ତା ପୁଣି କାର୍ଯ୍ୟକାରିଣୀ ବୈଠକରେ । ଯେଉଁଠି ଦଳର ନେତା ଅଛନ୍ତି, ଦଳର କର୍ମୀ ଅଛନ୍ତି, ସାଧାରଣ ଜନତା ବି ଅଛନ୍ତି ।

ତେବେ ଏମିତି କଣ ପରିସ୍ଥିତି ହେଲା ଯେ ସାଂସଦଙ୍କୁ ଚାପୁଡା ମାରିବାକୁ ପଡିଲା । ଏହି ବ୍ୟକ୍ତି ଜଣଙ୍କ କି ଭୁଲ କଲେ ଯେ ସମସ୍ତଙ୍କ ଆଗରେ ତାଙ୍କୁ ଚାପୁଡା ମାରିଲେ ସାଂସଦ । ଏହି ଘଟଣାକୁ ନେଇ ରାଜନୈତିକ ମହଲରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.