ଅର୍ଡର କ୍ୟାନସେଲ୍ କରିବାରୁ ରାଗିଗଲା ଜୋମାଟୋ ଡେଲିଭରି ବୟ, ମୁଥ ମାରି ଯୁବତୀଙ୍କୁ କଲେ ଲହୁଲୁହାଣ

Published By : Prameya-News7 Bureau | March 10, 2021 IST

ବେଙ୍ଗାଲୁରୁ ୧୦।୦୩: ଦୈନନ୍ଦିନ  ବ୍ୟସ୍ତବହୁଳ ଜୀବନରେ ଅନଲାଇନ୍ ଫୁଡ ଡେଲିଭରୀର ଚାହିଦା ବଢିବାରେ ଲାଗିଛି। ଲୋକଙ୍କୁ ଘରେ ରହି କିଛି ମିନିଟ୍‌ରେ ମନ ପସନ୍ଦର ଖାଦ୍ୟ ମିଳି ଯାଉଛି। ହେଲେ ବେଳେ ବେଳେ ଏମିତି ଘଟଣା ସାମ୍ନାକୁ ଆସୁଛି, ଯାହା ଜାଣିଲେ ଆପଣ ମଧ୍ୟ ଚକିତ ହୋଇଯିବେ। ବେଙ୍ଗାଲୁରୁର  ଜଣେ ଯୁବତୀ ଅଭିଯୋଗ  କରିଛନ୍ତି ଯେ, ଅର୍ଡର କ୍ୟାନସେଲ୍ କରିବାରୁ ଜୋମାଟୋର ଡେଲିଭରି ବୟ ତାଙ୍କୁ ମୁଥ ମାରି ଲହୁଲୁହାଣ କରି ପକାଇଛନ୍ତି। ହିତେଶା ଚନ୍ଦ୍ରାଣୀ ନାମକ ଯୁବତୀ ଇନଷ୍ଟାଗ୍ରାମରେ ଏହାର ଭିଡିଓ ସେୟାର କରିଛନ୍ତି। ତାଙ୍କ ନାକରୁ ରକ୍ତ ବାହାରୁଥିବା ଭିଡିଓରେ ଦେଖିବାକୁ ମିଳିଛି। ଅନ୍ୟପଟେ  ଜୋମାଟୋ ଯୁବତୀଙ୍କୁ କ୍ଷମା ମାଗି ପୋଲିସ କାର୍ଯ୍ୟାନୁଷ୍ଠାନରେ ସଂପୂର୍ଣ୍ଣ ସହଯୋଗ କରିବାକୁ ଆଶ୍ଵାସନା ଦେଇଛି।

ବ୍ୟୁଟି ଏନଫ୍ଲୁଏନ୍ସର ହିତେଶା ଚନ୍ଦ୍ରାଣୀ କହିଛନ୍ତି, ସେ ଜୋମାଟୋରେ ଖାଦ୍ୟ ଅର୍ଡର କରିଥିଲେ। ହେଲେ ଅର୍ଡର ଠିକ୍ ସମୟ ମିଳିନଥିଲା। ସେ କଷ୍ଟମର କେୟାର ସହ କଥା ହୋଇ ଅର୍ଡର କ୍ୟାନସେଲ କରିଥିଲେ। ହିତେଶା କହିଛନ୍ତି, ଏହା ପରେ ଡେଲିଭରି ବୟ ଖାଦ୍ୟ ନେଇ ଘରେ ପହଞ୍ଚିଥିଲେ। କିନ୍ତୁ ମୁଁ ଅର୍ଡର ରଖିବାକୁ ମନା କରିଥିଲି ଏବଂ ଫେରାଇ ନେବାକୁ ଡେଲିଭରି ବୟଙ୍କୁ କହିଥିଲି। ଏହା ଶୁଣି ଡେଲିଭରି ବୟ ଉତ୍ତେଜିତ ହୋଇ ଉଠିଥିଲେ ଏବଂ ଏମିତି କରିବାକୁ ମନା କରିବା ସହ ଅପଶବ୍ଦରେ ମୋତେ ଗାଳି କରିଥିଲେ। ମୁଁ କବାଟ ବନ୍ଦ କରିବାକୁ ଉଦ୍ୟମ କରିବାରୁ ସେ ତୁରନ୍ତ କବାଟ ଖୋଲି ଅର୍ଡର ମୋ ହାତରୁ ନେବା ସହ ମୋ ମୁହଁରେ ମୁଥ ମାରିଥିଲେ।

wp:html
/wp:html

ହିତେଶା କହିଛନ୍ତି, ଏଥିରେ ତାଙ୍କ ନାକର ହାଡ ଭାଙ୍ଗି ଯାଇଛି। ତାଙ୍କୁ ଏବେ ସର୍ଜରୀ କରିବାକୁ ପଡିବ। ପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ଡାକ୍ତର ପରୀକ୍ଷା କରି ଔଷଧ ଦେଇଛନ୍ତି। ତିତେଶା ଥାନାରେ ଡେଲିଭରି ବୟଙ୍କ ବିରୋଧରେ ଏଫଆଇଆର ରୁଜୁ କରିଛନ୍ତି। ହିତେଶା କହିଛନ୍ତି, ଲୋକେ ଏହି ଭିଡିଓକୁ ବହୁଳ ମାତ୍ରାରେ ସେୟାର କରନ୍ତୁ, ଯଦ୍ଵାରା ଏମିତି ଘଟଣା କାହା ସହ ନଘଟୁ।

ଇନଷ୍ଟାଗ୍ରାମରେ ଘଟଣାର ଭିଡିଓ ସେୟାର ହେବା ପରେ ଜୋମାଟୋ ଏହା ଉପରେ ନିଜର ପ୍ରତିକ୍ରିୟା ରଖିଛି। ଜୋମାଟୋ  କହିଛି, ଆମର ସ୍ଥାନୀୟ ପ୍ରତିନିଧି ଆବଶ୍ୟକ ଚିକିତ୍ସା ସହାୟତା ଦେବା ସହିତ ପୋଲିସ ତଦନ୍ତରେ ସହଯୋଗ କରିବା ପାଇଁ ଶୀଘ୍ର ଆପଣଙ୍କ ସହିତ ଯୋଗାଯୋଗ କରିବେ। ଏହି ଘଟଣା ନେଇ ଆମେ ବହୁତ ଦୁଃଖିତ। ଭବିଷ୍ୟତରେ ଏମିତି ଘଟଣାକୁ ରୋକିବା ପାଇଁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ବୋଲି ଜୋମୋଟୋ ପକ୍ଷରୁ କୁହାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.