ବେଙ୍ଗାଲୁରୁରେ ଅସନ୍ତୁଷ୍ଟଙ୍କୁ ମନାଇବାକୁ ଯାଇଥିବା କମଲନାଥଙ୍କ ଦୁଇ ମନ୍ତ୍ରୀଙ୍କୁ ପୋଲିସ୍ କଲା ବିରୋଧ, ଧସ୍ତାଧସ୍ତି ଭିଡିଓ ଭାଇରାଲ

Published By : Prameya-News7 Bureau | March 13, 2020 IST

ବେଙ୍ଗାଲୁରୁ ୧୩/୦୩ : ମଧ୍ୟପ୍ରଦେଶ ରାଜନୈତିକ ଝଡର ଝଟକା  ଏବେ ବେଙ୍ଗାଲୁରୁରେ । ବର୍ତ୍ତମାନ ବେଙ୍ଗାଲୁରୁ ହୋଟେଲରେ ଅବସ୍ଥାନ କରୁଛନ୍ତି ବିଦ୍ରୋହୀ କଂଗ୍ରେସ୍ ବିଧାୟକ। କିନ୍ତୁ  କଂଗ୍ରେସ ଅଭିଯୋଗ କରିଛି ଯେ, ବାଙ୍ଗାଲୋରରେ ଯେଉଁ ରିସୋର୍ଟରେ ମଧ୍ୟପ୍ରଦେଶର ୧୯ଜଣ କଂଗ୍ରେସ ବିଧାୟକ ରହୁଥିଲେ, ସେଠାରେ ଗୁରୁବାର ଦିନ ମଧ୍ୟପ୍ରଦେଶର ଦୁଇଜଣ ମନ୍ତ୍ରୀ ଜିତୁ ପଟୱାରୀ ଏବଂ ଲାଖନ ସିଂହ ଯାଦବ ପହଞ୍ଚିବା ପରେ ତାଙ୍କ ସହ କର୍ଣ୍ଣାଟକ ପୋଲିସ ମାରପିଟ କରିଛି | ରିସୋର୍ଟ ଅଧିକାରୀ କମଲନାଥଙ୍କ ମନ୍ତ୍ରୀଙ୍କୁ ବିଧାୟକଙ୍କ ସହ ସାକ୍ଷାତ କରିବାକୁ ବାରଣ କରିଥିଲେ | କର୍ଣ୍ଣାଟକ ପୋଲିସ ତାଙ୍କୁ ଧକ୍କା ମାରିବା ସହ ମାରପିଟ ମଧ୍ୟ କରିଥିଲା | ଏହାପରେ ଉଭୟଙ୍କୁ ଗିରଫ କରି ଥାନାକୁ ନେଇଯାଇଥିଲା | ବେଙ୍ଗାଲୁରୁରେ ମନ୍ତ୍ରୀଙ୍କୁ ମାରପିଟ କରିଥିବା ଘଟଣା ଜାଣିବା ପରେ କଂଗ୍ରେସ ଉକ୍ତ ଘଟଣାରେ ରାଷ୍ଟ୍ରପତି ତଥା ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ଦାବି କରିଛି | ଏହାସହ ଘଟଣାକୁ ନେଇ କଂଗ୍ରେସ ସର୍ବୋଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହେବ ବୋଲି ଚେତାବନୀ ଦେଇଛି |

ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହ ଏବଂ ରାଜ୍ୟସଭା ସଦସ୍ୟ ବିବେକ ତନ୍ଖା ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟରେ ଗୁରୁବାର ଦିନ ଏକ ପ୍ରେସମିଟ କରି ଏହି ଅଭିଯୋଗ କରିଛନ୍ତି | ନିଜ ମନ୍ତ୍ରୀମାନଙ୍କ ସହ ହୋଇଥିବା ମାରପିଟର ଏକ ଭିଡିଓ ଫୁଟେଜ ଜାରି କରିଛନ୍ତି | କଂଗ୍ରେସ ନେତା କହିଥିଲେ ଯେ, ଜିତୁ ପଟୱାରୀ ଏବଂ ଲାଖନ ସିଂହ ଯାଦବ ନିଜ ଦଳର ବିଧାୟକଙ୍କୁ ସାକ୍ଷାତ କରିବାକୁ ରିସୋର୍ଟ ଯାଇଥିଲେ ଏବଂ ତାଙ୍କ ସହ ବୁଝାମଣା କରି ତାଙ୍କୁ ଦଳକୁ ଫେରାଇ ଆଣିବାକୁ ଯାଇଥିଲେ | କିନ୍ତୁ ରିସୋର୍ଟ ଅଧିକାରୀ ତଥା ବିଧାୟକଙ୍କ ପାଇଁ ନିୟୋଜିତ ହୋଇଥିବା ପୋଲିସକର୍ମୀ ମନ୍ତ୍ରୀଙ୍କ ସହ ଦୁର୍ବ୍ୟବହାର କରିଥିଲେ | ରିସୋର୍ଟରେ ଜିତୁ ପଟୱାରୀଙ୍କ ସହ ବିଧାୟକ ମନୋଜ ଚୌଧୁରୀଙ୍କ ପିତା ମଧ୍ୟ ଉପସ୍ଥିତ ଥିଲେ କିନ୍ତୁ ତାଙ୍କୁ ମଧ୍ୟ ନିଜ ପୁତ୍ର ସହ ସାକ୍ଷାତ କରିବାକୁ ବାରଣ କରାଯାଇଥିଲା | ପଟୱାରୀଙ୍କ ଓ ମନୋଜ ଚୌଧୁରୀ ପରସ୍ପର ସମ୍ପର୍କୀୟ |

ଦିଗବିଜୟ ସିଂହ ଅଭିଯୋଗ କରିଛନ୍ତି ଯେ, କଂଗ୍ରେସର ୧୯ଜଣ ମନ୍ତ୍ରୀ-ବିଧାୟକଙ୍କୁ ବିଜେପି ହିଁ ବେଙ୍ଗାଲୁରୁ ପଠାଇଥିଲା | ଏଥିପାଇଁ ବିଜେପି କାର୍ଯ୍ୟାଳୟ ଦିଲ୍ଲୀରୁ ବେଙ୍ଗାଲୁରୁ ପର୍ଯ୍ୟନ୍ତ ବିମାନ ଭଡାରେ ନେଇଥିଲା | ଏହାସହ ମନ୍ତ୍ରୀ-ବିଧାୟକଙ୍କ ରହିବ ଖାଇବା ବ୍ୟବସ୍ଥା ମଧ୍ୟ କରିଥିଲା ବିଜେପି | କଂଗ୍ରେସ ବିଧାୟକଙ୍କୁ ବନ୍ଧକ କରି ରଖାଯାଇଛି ବୋଲି ଅଭିଯୋଗ କରିଛନ୍ତି ଦିଗବିଜୟ | ଏମାନଙ୍କ ଉପରେ ମଧ୍ୟପ୍ରଦେଶ ବିଜେପି ନେତା ଉମାଶଙ୍କର ଗୁପ୍ତା, ଅରବିନ୍ଦ ଭଦୋରିଆ, ସୁଦର୍ଶନ ଗୁପ୍ତା ନଜର ରଖିଛନ୍ତି | ସୁରକ୍ଷା ପାଇଁ କର୍ଣ୍ଣାଟକ ପୋଲିସକୁ ମଧ୍ୟ ନିୟୋଜିତ କରାଯାଇଛି | ପୋଲିସ ଏମାନଙ୍କ ପ୍ରତ୍ୟେକ ଗତିବିଧି ଉପରେ ନଜର ରଖିଛି |

ଦିଗବିଜୟ ସିଂହ ଅଭିଯୋଗ କରିଛନ୍ତି ଯେ, ବିଜେପି ନିଜର ମଧ୍ୟପ୍ରଦେଶର ନେତାମାନଙ୍କୁ ଧରି ଅପରେସନ ଲୋଟସ ପ୍ଲାନ କରିଥିଲା | ଏଥିପାଇଁ ରାଜ୍ୟର ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ, କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର, ଡ.ନରୋତ୍ତମ ମିଶ୍ରଙ୍କୁ ଦାୟିତ୍ୱ ଦିଆଯାଇଥିଲା | କିନ୍ତୁ ଏହି ପ୍ଲାନ ଫେଲ ମାରିବା ପରେ ବିଜେପି ଅଧ୍ୟକ୍ଷ ଅମିତ ଶାହା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସହ ମିଶି ପ୍ଲାନ-ବି ଉପରେ କାମ କରିଥିଲେ | ପ୍ଲାନ ଅନୁଯାୟୀ, ୧୯ ବିଧାୟକଙ୍କୁ ବେଙ୍ଗାଲୁରୁକୁ ପଠାଯାଇଥିଲା | ପୂର୍ବତ୍ତନ ମନ୍ତ୍ରୀ ଭୁପେନ୍ଦ୍ର ସିଂହ ଏହି ୧୯ ବିଧାୟକଙ୍କ ଇସ୍ତଫା ପତ୍ର ନେଇ ଭୋପାଲ ଆସିଥିଲେ | ତେବେ ଦିଗବିଜୟ ସିଂହ ଦୃଢର ସହ କହିଛନ୍ତି ଯେ, ବିଜେପିର ପ୍ଲାନ-ବି ମଧ୍ୟ ସଫଳ ହେବନାହିଁ |

ରାଜ୍ୟସଭା ସଦସ୍ୟ ବିବେକ ତନ୍ଖା କହିଛନ୍ତି ଯେ, କର୍ଣ୍ଣାଟକରେ ମଧ୍ୟପ୍ରଦେଶର ୧୯ ବିଧାୟକଙ୍କୁ ବନ୍ଧକ କରି ରଖିବା ତଥା ମନ୍ତ୍ରୀଙ୍କ ସହ ରିସୋର୍ଟରେ ମାରପିଟ କରିବା ଘଟଣା ବର୍ତ୍ତମାନ ରାଷ୍ଟ୍ରୀୟ ସ୍ଥରକୁ ଚାଲିଯାଇଛି | ସେ କହିଛନ୍ତି, ମାମଲା ଦୁଇ ରାଜ୍ୟର ହୋଇଥିବା ଯୋଗୁଁ ବର୍ତ୍ତମାନ ରାଷ୍ଟ୍ରପତି ଏବଂ ସୁପ୍ରିମକୋର୍ଟ ଏହି ମାମଲାରେ ହସ୍ତକ୍ଷେପ କରିବା ଉଚିତ | କଂଗ୍ରେସ ମନ୍ତ୍ରୀଙ୍କ ସହ ମାରପିଟ ଏବଂ ଦୁର୍ବ୍ୟବହାର ଘଟଣାକୁ ନେଇ ମଧ୍ୟପ୍ରଦେଶ ହାଇକୋର୍ଟ ଯାଇ ହବନାହିଁ ଏବଂ କର୍ଣ୍ଣାଟକ ହାଇକୋର୍ଟରେ ମଧ୍ୟ ଆବେଦନ କରି ହବନାହିଁ ବୋଲି ସେ କହିଛନ୍ତି | ସେଥିପାଇଁ ଏକମାତ୍ର ବିକଳ୍ପ ସୁପ୍ରିମକୋର୍ଟ | କଂଗ୍ରେସ ଅତି ଶୀଘ୍ର କୋର୍ଟଙ୍କ ଦ୍ୱାରସ୍ଥ ହେବ ବୋଲି ସେ କହିଛନ୍ତି | 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.