ବେଙ୍ଗାଲୁରୁ ଦେଶର ସବୁଠୁ ଭଲ ସହର, ଟପ୍-୧୦ ନଗର ନିଗମରେ ଇନ୍ଦୋର ଶୀର୍ଷରେ, ଜାଣନ୍ତୁ ଭୁବନେଶ୍ଵରର ସ୍ଥାନ କେଉଁଠି

Published By : Prameya-News7 Bureau | March 04, 2021 IST

ନୂଆଦିଲ୍ଲୀ ୦୪।୦୩: ଇଜି ଅଫ ଲିଭିଙ୍ଗ୍ ମାମଲାରେ ଦେଶର ମହାନଗର ମଧ୍ୟରେ ବେଙ୍ଗାଲୁରୁ ସବୁଠୁ ଉନ୍ନତ ସହରର ମାନ୍ୟତା ପାଇଛି। ଅନ୍ୟପଟେ କମ ଜନସଂଖ୍ୟା ବିଶିଷ୍ଟ ସହରରେ ସିମଲା ନମ୍ବର ୧ରେ ରହିଛି। ଏହି ଆଧାରରେ ରାଜଧାନୀ ଦିଲ୍ଲୀ ୧୩ତମ ସ୍ଥାନରେ ରହିଛି। ଶୀର୍ଷ ୨୦ ସହର ମଧ୍ୟରେ ମଧ୍ୟ ପ୍ରଦେଶର ଇନ୍ଦୋର, ଭୋପାଳ, ଛତିଶଗଡର ରାୟପୁର, ଗୁଜରାଟର ଅହମ୍ମଦାବାଦ, ସୁରଟ, ଭଦୋଦରା ଓ ରାଜକୋଟ୍, ମହାରାଷ୍ଟ୍ରର ପୁଣେ, ନବି ମୁମ୍ବାଇ ଓ ଗ୍ରେଟର ମୁମ୍ବାଇ ସମେତ ୭ ସହର ସାମିଲ। ସରକାରଙ୍କ ପକ୍ଷରୁ ଜାରି ଇଜି ଅଫ ଲିଭିଙ୍ଗ୍ ଇଣ୍ଡେକ୍ସ ଓ ମ୍ୟୁନିସିପାଲ ପରଫମାନ୍ସ ଇଣ୍ଡେକ୍ସ-୨୦୨୦ରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ଏହି ତାଲିକାରେ ଭୁବନେଶ୍ଵରର ଚିହ୍ନ ବର୍ଣ୍ଣ ନାହିଁ।

ଇଜି ଅଫ ଲିଭିଙ୍ଗ୍ ଇଣ୍ଡେକ୍ସ

ଇଜି ଅଫ ଲିଭିଙ୍ଗ୍ ଇଣ୍ଡେକ୍ସରେ ୧୧୧ ସହରକୁ ସର୍ଭେରେ ସାମିଲ କରାଯାଇଛି। ଏଥି ମଧ୍ୟରୁ ୪୯ ସହରର ଜନସଂଖ୍ୟା ୧୦ ଲକ୍ଷରୁ ଅଧିକ ରହିଥିବା ବେଳେ ୬୨ ସହରର ଜନସଂଖ୍ୟା ୧୦ ଲକ୍ଷରୁ କମ ରହିଛି। ସେହି ପରି ନଗର ନିଗମ ପ୍ରଦର୍ଶନ(ମ୍ୟୁନିସିପାଲ ପର୍‌ଫମାନ୍ସ) ଆଧାରରେ ଇନ୍ଦୋର ଦେଶରେ ନମ୍ବର-୧ ସହର ହୋଇଛି। ଏହି ଇଣ୍ଡେକ୍ସକୁ ୧୧୪ ସହରର ୨୦ ସେକ୍ଟର ଏବଂ ୧୦୦ ଇଣ୍ଡିକେଟର ଆଧାରରେ ପ୍ରସ୍ତୁତ କରାଯାଇଛି। ଏଥିରେ ମିଲିୟନ ପ୍ଲସ୍ ସହରରେ ଇନ୍ଦୋର, ସୁରଟ ଓ ଭୋପାଳ ଶୀର୍ଷ-୩ରେ ରହିଛି। କମ ଜନସଂଖ୍ୟା ନଗର ନିଗମରେ ନୂଆଦିଲ୍ଲୀ, ତିରୁପତି ଓ ଗାନ୍ଧୀନଗର ଶୀର୍ଷ-୩ରେ ରହିଛି।

ଶିକ୍ଷାରେ ତିରୁଅନନ୍ତପୁରମ ଶୀର୍ଷରେ

ଶିକ୍ଷା ମାମଲାରେ ତିରୁଅନନ୍ତପୁରମ ଦେଶର ସବୁଠୁ ଉନ୍ନତ ସହର। ଦ୍ଵିତୀୟରେ ରହିଛି ବେଲଗାଭି ଓ ତୃତୀୟରେ ଚଣ୍ଡିଗଡ।ଏହା ପରେ କାକିନାଡା, ଇନ୍ଦୋର, ଇମ୍ଫାଲ, ବେଙ୍ଗାଲୁରୁ, ଆଜମେର ଓ ଅମୃତସର ରହିଛି। ସ୍ଵାସ୍ଥ୍ୟ ସେବା ମାମଲାରେ ଇମ୍ଫାଲ ସବୁଠୁ ଉନ୍ନତ ସହର। ଶୀର୍ଷ-୫ରେ ଭେଲୋର, ପୋର୍ଟ ବ୍ଲେୟାର, ସିଲିଂ ଓ ମେଙ୍ଗାଲୋର ରହିଛି।

ଆବାସରେ ବି ତିରୁଅନନ୍ତପୁରମ ଶୀର୍ଷରେଟ

ଆବାସୀୟ ମାମଲାରେ ତିରୁଅନନ୍ତପୁରମ ଶୀର୍ଷରେ ରହିଛି। ଏହା ପରେ ଦିଲ୍ଲୀ, ପୁଡୁଚେରୀ ଓ ଭୋପାଳ କ୍ରମାନ୍ଵୟରେ ରହିଛନ୍ତି। ପାନୀୟ ଜଳ, ସ୍ଵଚ୍ଛତା ଓ ବର୍ଯ୍ୟବସ୍ତୁ ପରିଚାଳନା ପରି ମାମଲାରେ ଭେଲୁର ପ୍ରଥମ ସ୍ଥାନରେ ରହିଛି। ଏହା ପରେ ତିରୁପତି, ଅହମ୍ମଦାବାଦ, ଇନ୍ଦୋର ଓ ରାଜକୋଟ୍ ପରି  ସହର ରହିଛି।

ଗମନାଗମନ ଓ ପରିବହନ ଦୃଷ୍ଟିରୁ ଚେନ୍ନାଇ ସବୁଠୁ ଭଲ ସହର ହୋଇଛି। ଏହା ପରେ ଠାଣେ,  ବେଙ୍ଗାଲୁରୁ, ଭୋପାଳ ଓ ଗୌହ୍ଵାଟୀ ରହିଛି। ରିକ୍ରିଏସନ ଦୃଷ୍ଟିରୁ ଦେଶରେ କୋଏମ୍ବାଟୁର ସବୁଠୁ ଉତ୍କୃଷ୍ଠମାନର ସହର ପାଲଟିଛି। ତାଲିକାରେ ନଭି ମୁମ୍ବାଇ ଦ୍ଵିତୀୟ ଏବଂ ଗାନ୍ଧିନଗର ତୃତୀୟରେ ରହିଛି।

ଆର୍ଥିକ ସୁଯୋଗ ମାମଲାରେ ଦିଲ୍ଲୀ ଉପରେ

ସହରର ଆର୍ଥିକ କ୍ଷମତା ଆଧାରରେ ବେଙ୍ଗାଲୁରୁ, ଦିଲ୍ଲୀ, ପୁଣେ, ଅହମ୍ମଦାବାଦ ଓ ଠାଣେ ଦେଶର ଶୀର୍ଷ ୫ ସହରରେ ସାମିଲ। ଆର୍ଥିକ ସୁଯୋଗ ମାମଲାରେ ଦିଲ୍ଲୀ ଶୀର୍ଷରେ ରହିଛି। ଏହା ପରେ ବେଙ୍ଗାଲୁରୁ, ହାଇଦ୍ରାବାଦ ଓ ଚେନ୍ନାଇର ସ୍ଥାନ ରହିଛି। ପରିବେଶ ଦୃଷ୍ଟିରୁ ଶୀର୍ଷ-୧୦ରେ ଏକାକୀ ତାମିଲନାଡୁର ୬ ସହର ସାମିଲ।

ସିଟିଜେନ୍ସ ପରସେପସନ ବା ନାଗରିକ ଧାରଣା ମାମଲାରେ ଭୁବନେଶ୍ଵର ଦେଶର ଶୀର୍ଷରେ ରହିଛି। ଏହା ପରେ ସିଲଭାଷା, ଦେବନଗେରେ, କାକିନାଡା, ବିଳାସପୁର ଓ ଭାଗଲପୁର ରହିଛି। ସିଟିଜେନ୍ସ ପରସେପସନ ସର୍ଭେରେ ୧୧୧ ସହରର ୩୨.୫ ଲକ୍ଷ ଲୋକଙ୍କୁ ମତାମତ ନିଆଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.