ଭାରତରୁ ଲୋପ ହୋଇଯିବେ ରୟାଲ ବେଂଗଲ ଟାଇଗର !
14/02/2019 at 1:23 PM

ସୁନ୍ଦରବନ ୧୪/୨: ସୁନ୍ଦରବନ ମହାବଳ ବାଘଙ୍କ ଏକ ପ୍ରସିଦ୍ଧ ଅଭୟାରଣ୍ୟ ଏବଂ ବିଶ୍ବର ସବୁଠୁ ବଡ଼ ଜଙ୍ଗଲ। ଆଗାମୀ ୫୦ବର୍ଷ ମଧ୍ୟରେ ଜଳବାୟୁ ପରିବର୍ତ୍ତନ ଏବଂ ସମୁଦ୍ରପତ୍ତନ ବୃଦ୍ଧି ଘଟିବା ଫଳରେ ସୁନ୍ଦରବନ ଧ୍ବଂସ ହୋଇପାରେ। ଗଙ୍ଗା,ବ୍ରହ୍ମପୁତ୍ର ଏବଂ ବଙ୍ଗଳାଦେଶର ମେଘନା ନଦୀ ଦ୍ବାରା ବିସ୍ତାରିତ ହୋଇଥିବା ଏହି ତ୍ରିକୋଣଭୂମି ପାଖାପାଖି ୧୦,୦୦୦ବର୍ଗ କିଲୋମିଟର ପରିବ୍ୟାପ୍ତ। ୟୁନେସ୍କୋ ଏହି ସ୍ଥାନକୁ ବିଶ୍ବଐତିହ୍ୟ ତାଲିକାର ଅନ୍ତର୍ଭୁକ୍ତ କରିଛନ୍ତି। ଗବେଷକଙ୍କ କହିବାନୁସାରେ ଏହା ବିଶ୍ବର ସବୁଠୁ ଅଧିକ ଚିରସବୁଜ ଜଙ୍ଗଲ ଏବଂ ବିଲୁପ୍ତପ୍ରାୟ ମହାବଳ ବାଘ ବା ରୟାଲ ବେଙ୍ଗଲ ଟାଇଗରଙ୍କ ଅଭୟାରଣ୍ୟ।

ଏଠାରେ ବର୍ତ୍ତମାନ ୪,୦୦୦ରୁ କମ୍ ମହାବଳ ବାଘ ରହିଛନ୍ତି। ଏମାନଙ୍କ ସଂଖ୍ୟା ଦିନକୁ ଦିନ କମିବାରେ ଲାଗିଛି। ଆଜି ଏମାନଙ୍କ ସଂଖ୍ୟା କେବଳ ଭାରତ ଏବଂ ବାଙ୍ଗଲାଦେଶର କେତେକ ସ୍ଥାନରେ ସୀମିତ ରହିଛି।

ଆକଳନରୁ ଜଣା ପଡ଼ିଛି ଯେ ସୁନ୍ଦରବନରେ ବାଘଙ୍କ ସଂଖ୍ୟା ୨୦୭୦ମସିହାରେ ସମ୍ପୂର୍ଣ୍ଣ ଲୋପ ପାଇଯିବ। ଗବେଷକମାନେ ଜଳବାୟୁ ପରିବର୍ତ୍ତନ ଦ୍ବାରା ପାଇଥିବା ସୂଚନା ଏବଂ ସିମ୍ୟୁଲେସନ ପଦ୍ଧତି ପ୍ରୟୋଗ କରି ଏହି ଆକଳନ କରିଛନ୍ତି । ବାଘଙ୍କ ଅବୈଧ ଶିକାରକୁ ମଧ୍ୟ ଏହି ଆକଳନରେ ବିଚାରକୁ ନିଆଯାଇଛି । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ସମୁଦ୍ରରେ ପତ୍ତନ ବୃଦ୍ଧି । ଏହା ଫଳରେ ସୁନ୍ଦରବନ ତ୍ରିକୋଣଭୂମି ବିଲୁପ୍ତ ହେବା ଆଶଂକାକୁ ମଧ୍ୟ ଏଡାଇଦେଇ ହେବ ନାହିଁ ।

ତେବେ ବେଳ ଥାଉ ଥାଉ ଯଦି ସତର୍କ ମୂଳକ ପଦକ୍ଷେପ ନିଆଯାଏ ତାହେଲେ ବାଘଙ୍କ ବଂଶ ରକ୍ଷା କରିହେବ । ପ୍ରଥମ କଥାଟି ହେଲା ଏବୈଧ ଶିକାର ରୋକିବା । ଆଇନକୁ କଡା କଡି କରିବା ସହ ପହରା ଓ ସତର୍କ ଦୃଷ୍ଟି ରଖାଗଲେ ବାଘଙ୍କୁ ସୁରକ୍ଷା ପ୍ରଦାନ କ୍ଷେତ୍ରରେ ବଡ ସଫଳତା ମିଳିବ ।
