ମମତା ବାନାର୍ଜୀଙ୍କ ସରକାରକୁ ଆଉ ଏକ ଝଟ୍କା, ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଲକ୍ଷ୍ମୀ ରତନ ଶୁକ୍ଳା
5/01/2021 at 4:02 PM

କୋଲକାତା ୦୫/୦୧: ବିଧାନସଭା ନିର୍ବାଚନ ପୂର୍ବରୁ ମମତା ବାନାର୍ଜୀଙ୍କ ସରକାରକୁ ଗୋଟିଏ ପରେ ଗୋଟିଏ ଝଟକା ଲାଗୁଛି। ମଙ୍ଗଳବାର ଦିଦିଙ୍କ ସରକାରରେ ମନ୍ତ୍ରୀ ତଥା ପୂର୍ବତନ କ୍ରିକେଟର ଲକ୍ଷ୍ମୀ ରତନ ଶୁକ୍ଳା ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ପଶ୍ଚିମବଙ୍ଗରେ ଖେଳ ମନ୍ତ୍ରୀ ଥିବା ଶୁକ୍ଳା ମଙ୍ଗଳବାର ନିଜ ପଦରୁ ଇସ୍ତଫା ଘୋଷଣା କରିଛନ୍ତି। କିନ୍ତୁ ଏବେ ବି ସେ ଟିଏମସି ବିଧାୟକ ରହିଛନ୍ତି।
ମିଳିଥିବା ସୂଚନା ଅନୁସାରେ ଲକ୍ଷ୍ମୀ ରତନ ଶୁକ୍ଳା ରାଜନୀତିରୁ ସନ୍ନ୍ୟାସ ନେଇପାରନ୍ତି। ମଙ୍ଗଳବାର ମନ୍ତ୍ରୀ ପଦ ସମେତ ହାଓ୍ବଡାରେ ଟିଏମସିର ଜିଲ୍ଲା ଅଧ୍ୟକ୍ଷ ପଦରୁ ବି ଇସ୍ତଫା ଦେଇଛନ୍ତି। ରତନ ଶୁକ୍ଳା ଭାରତ ପାଇଁ ୩ଟି ଓ୍ବାନଡେ ଖେଳିଥିଲେ । ସେ ଆଇପିଏଲ୍ରେ କୋଲକାତା ନାଇଟ ରାଇଡର୍ସ, ଦିଲ୍ଲୀ ଡେୟାରଡେଭିଲ୍ସ ଓ ସନରାଇଜର୍ସ ହାଇଦ୍ରାବଦ ପକ୍ଷରୁ ଖେଳିଥିଲେ। ଗତ ବିଧାନସଭା ନିର୍ବାଚନରେ ରାଜନୀତି ମୈଦାନକୁ ଓହ୍ଲାଥିବା ରତନ ଶୁକ୍ଳା ଉତ୍ତର ହାଓ୍ବଡାରୁ ବିଧାୟକ ହୋଇଥିଲେ। ପରେ ମମତାଙ୍କ ସରକାରରେ ତାଙ୍କୁ ଖେଳ ମନ୍ତ୍ରୀ ଦାୟିତ୍ବ ଦିଆଯାଇଥିଲା।
ସୂଚନାଯୋଗ୍ୟ, ଚଳିତବର୍ଷ ଏପ୍ରିଲରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ହୋଇପାରେ। ଏହା ପୂର୍ବରୁ ଟିଏମସିକୁ ଲଗାତର ଝଟକା ଲାଗୁଥିବା ଦେଖିବାକୁ ମିଳିଛି। ପ୍ରଥମେ ଶୁଭେନ୍ଦୁ ଅଧିକାରୀ ମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହ ପାର୍ଟି ଛାଡ଼ିଥିଲେ। ପରେ ବିଜେପିରେ ସାମିଲ ହୋଇଥିଲେ ଶୁଭେନ୍ଦୁ। ଶୁଭେନ୍ଦୁଙ୍କ ପରେ ପରେ ଟିଏମସିର ଅନେକ କାର୍ଯ୍ୟକର୍ତ୍ତା ଓ ବିଧାୟକ ‘ପଦ୍ମ’ ଧରିଛନ୍ତି।