ବେଙ୍ଗଲ ହିଂସାକୁ ନେଇ ରାଜ୍ୟପାଳଙ୍କ ବଡ଼ ବୟାନ, କହିଲେ- ଲୋକେ ଥାନାକୁ ଯିବାକୁ ଭୟ କରୁଛନ୍ତି

Published By : Prameya-News7 Bureau | May 14, 2021 IST

କୋଲକାତା ୧୪/୫:  ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡ଼ ରାସ୍ତାରେ ଗାଡ଼ିରୁ ଓହ୍ଲାଇ ପୋଲିସକୁ ତାଗିଦ କରିବା ଭିଡିଓ ଖୁବ ଭାଇରାଲ୍‌ ହେଉଛି। ବେଙ୍ଗଲରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ଭୁଶୁଡ଼ି ପଡ଼ିଥିବା ନେଇ ଧନଖଡ଼ ବାରମ୍ବାର ଅଭିଯୋଗ କରିବା ସହ ଟିଏମସି ସରକାର ଉପରେ ଜୋରଦାର ବର୍ଷିଛନ୍ତି। ଶୁକ୍ରବାର ବେଙ୍ଗଲ ରାଜ୍ୟପାଳ ଧନଖଡ଼ ଟିଏମସି ଭୟରେ ଆସାମରେ ନିଜକୁ ବିଜେପି ସମର୍ଥକ କହି ଶରଣ ନେଇଥିବା ପରିବାରଙ୍କୁ ଭେଟିଛନ୍ତି।  ବିଧାନସଭା ନିର୍ବାଚନ ପରେ ଟିଏମସି କାର୍ଯ୍ୟକର୍ତ୍ତା ସେମାନଙ୍କ ଉପରେ ଅତ୍ୟାଚାର କରୁଥିବା ଅଭିଯୋଗ କରିଛନ୍ତି ଆସାମରେ ଶରଣ ନେଇଥିବା ପରିବାର।

କୁଚବିହାରର ବିଜେପି ସାଂସଦ ନୀତିଶ ପ୍ରମାଣିକଙ୍କ ସହ ଧନଖଡ଼ ଆସାମର ଧୁବରୀ ଜିଲ୍ଲା ସ୍ଥିତ ଶିବିରରେ ବିସ୍ଥାପିତ ପରିବାର ସହ ଆଲୋଚନା କରିଛନ୍ତି। ମହିଳା ଏବଂ ଛୋଟ ପିଲାମାନେ ମଧ୍ୟ ସେଠାରେ ଅଛନ୍ତି।  ଏହି ଅବସରରେ ବେଙ୍ଗଲ ରାଜ୍ୟପାଳ କହିଛନ୍ତି ଲୋକେ ଥାନାକୁ ଯିବାକୁ ଭୟ କରୁଛନ୍ତି। ଶାସକ ଦଳର କାର୍ଯ୍ୟକର୍ତ୍ତାଙ୍କୁ ଭୟ କରୁଛନ୍ତି ପୋଲିସ। ସେମାନଙ୍କୁ ଫେରିଆସିବାକୁ ପ୍ରୋତ୍ସାହିତ କରିଛି। ମୁଁ ମୋ ଛାତିରେ ଗୁଳି ନେବି ବୋଲି ସେ କହିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ସହ ସକାରାତ୍ମକ ଦୃଷ୍ଟିକୋଣରୁ ଆଲୋଚନା କରିବି। ତାଙ୍କୁ ବହୁମତ ମିଳିଛି। ତାଙ୍କୁ ଏହି ସବୁ କାର୍ଯ୍ୟକଳାପରୁ ନିବୃତ୍ତ ରହିବାକୁ ହେବ ବୋଲି ରାଜ୍ୟପାଳ ଧନଖଡ଼ କହିଛନ୍ତି। ଅନ୍ୟପଟେ ସୀତଲକୁଚି ଘଟଣାକୁ ଦୁଃର୍ଭାଗ୍ୟପୂର୍ଣ୍ଣ କହିବା ସହ ଏହାକୁ ନରସଂହାର ଏବଂ କୋଲ୍ଡ-ବ୍ଲଡ୍‌ ମର୍ଡର ବୋଲି କହିଛନ୍ତି ରାଜ୍ୟପାଳ। ଶପଥ ନେବା ପରେ ସେ (ମମତା ବାନାର୍ଜୀ) ଏସଆଇଟି ଗଠନ କଲେ ଏବଂ ଏସପିଙ୍କୁ ନିଲମ୍ବନ କଲେ। ମୁଁ ମୁଖ୍ୟମନ୍ତ୍ରୀଙ୍କୁ ପଚାରିବାକୁ ଚାହୁଁଛି ଯେତେବେଳ ପୂରା ରାଜ୍ୟ ଜଳୁଥିଲା ସେତେବେ ଆପଣଙ୍କୁ କାହିଁକି ଦେଖଗଲା ନାହିଁ ବୋଲି ମମତାଙ୍କୁ ପଚାରିଛନ୍ତି ରାଜ୍ୟପାଳ। ବେଙ୍ଗଲରୁ ଯାଇ ଆସାମରେ ଶରଣ ପଶିଥିବା ପରିବାର ଅଭିଯୋଗ କରିଛନ୍ତି ମେ’ ୨ରେ ଫଳାଫଳ ଆସିବା ପରେ ଘର ଛାଡ଼ିଦେଇଥିଲେ। ଟିଏମସି ଗୁଣ୍ଡା ସେମାନଙ୍କ ଘର ଭଙ୍ଗାରୁଜା କରିଥିବା ମଧ୍ୟ ସେମାନେ ଅଭିଯୋଗ ଆଣିଛନ୍ତି ବୋଲି କହିଛନ୍ତି ରାଜ୍ୟପାଳ ଜଗଦୀପ ଧନଖଡ଼ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.