ବେଙ୍ଗଲ ହିଂସାକୁ ନେଇ NHRCଙ୍କ ରିପୋର୍ଟ ଲିକ୍, ମମତା ଖପ୍ପା, ଜାଣନ୍ତୁ କହିଛନ୍ତି କ’ଣ?

Published By : Prameya-News7 Bureau | July 15, 2021 IST

କୋଲକାତା ୧୫।୭: ଜାତୀୟ ମାନବାଧିକାର ଆୟୋଗ(ଏନଏଚଆରସି)ଙ୍କର ନ୍ୟାୟପାଳିକାଙ୍କ ପ୍ରତି ସମ୍ମାନ ରହିବା ଦରକାର। ଏଣୁ ପଶ୍ଚିମବଙ୍ଗ ନିର୍ବାଚନ ପରବର୍ତ୍ତି ହିଂସା ସମ୍ପର୍କିତ ରିପୋର୍ଟ ଆୟୋଗ ଲିକ୍‌ କରିବାର ନଥିଲା । ଏହି ରିପୋର୍ଟ ଉଚ୍ଚନ୍ୟାୟାଳୟରେ ଉପସ୍ଥାପନ କରାଯିବା କଥା । ହେଲେ ଆୟୋଗ ତା ପୂର୍ବରୁ ରିପୋର୍ଟ ଲିକ୍‌ କରିଦେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ଅଭିଯୋଗ କରିଛନ୍ତି।  ତେବେ ରିପୋର୍ଟ ଲିକ୍‌ ହେବ କେମିତି? କେବଳ ବେଙ୍ଗଲକୁ ବଦନାମ କରିବା ଲାଗି ଆୟୋଗଙ୍କ ଏହା ଏକ ଚାଲ ବୋଲି କହିଛନ୍ତି ମମତା।

ସେପଟେ ଆୟୋଗ ଗୁରୁବାର କୋଲକାତା ହାଇକର୍ଟରେ ହିଂସା ରିପୋର୍ଟ ଉପସ୍ଥାପନ କରିଛନ୍ତି। ଯେଉଁଥିରେ ହିଂସା ପ୍ରତି ରାଜ୍ୟ ସରକାରଙ୍କ ଉଦାସୀନତାକୁ ଦାୟି କରାଯାଇଛି। ହାଇକୋର୍ଟଙ୍କ ପାଞ୍ଚ ସଦସୀୟ ପୀଠରେ ଉପସ୍ଥାପିତ ଏହି ରିପୋର୍ଟରେ ଆୟୋଗ ମୁଖ୍ୟ ବିରୋଧୀ ଦଳଙ୍କ ସମର୍ଥକଙ୍କ ବିରୋଧରେ ଶାସକ ଦଳ ସମର୍ଥକ ପ୍ରତିଶୋଧାତ୍ମକ ହିଂସା ଭିଆଇଥିବାର ଉଲ୍ଲେଖ କରିଛନ୍ତି। ଯେଉଁଥିରେ ରାଜ୍ୟର ହଜାର ହଜାର ଲୋକଙ୍କ ଜୀବନ ଓ ଜୀବିକା ଉଜୁଡି ଯାଇଥିବା ଦର୍ଶାଇଛନ୍ତି।

ତେବେ ହାଇକୋର୍ଟ ବେଞ୍ଚଙ୍କ ନିକଟରେ ଆୟୋଗ ରିପୋର୍ଟ ଉପସ୍ଥାପନ କରିବା ପୂର୍ବରୁ ଏହା ଲିକ୍ ହେଲା କିପରି ବୋଲି ମମତାଙ୍କ ପ୍ରଶ୍ନ ଏବେ ଆୟୋଗଙ୍କ କାର୍ଯ୍ୟକଳାପ ସମେତ ରିପୋର୍ଟ ଉପରେ ପ୍ରଶ୍ନବାଚୀ ଲଗାଇଛି। ରିପୋର୍ଟ କୋର୍ଟରେ ପହଞ୍ଚିବା ପୂର୍ବରୁ ଏହାର ଗଣମାଧ୍ୟମରେ ତର୍ଜମା କରାଯାଇଥିଲା। କେବଳ ଏତିକି ନୁହେଁ ଏଥିରେ ଏନଏଚଆରସି ନିର୍ବାଚନ ପରବର୍ତ୍ତି ହିଂସା କାଳରେ ଘଟିଥିବା ଦୁଷ୍କର୍ମ ଓ ହତ୍ୟା ମାମଲାର ସିବିଆଇ ତଦନ୍ତ ଦାବି ମଧ୍ୟ କରାଯାଇଛି।

ଏନଏଚଆରସି ବେଙ୍ଗଲରେ ଆଇନର ଶାସନ ନୁହେଁ ଶାସକଙ୍କ ଆଇନରେ ଚାଲିଥିବାର ମଧ୍ୟ ଅଭିଯୋଗ କରିଛନ୍ତି। ତେବେ ଏତେ ସବୁ କଥା ବଖାଣିବା ପୂର୍ବରୁ ଆୟୋଗ ନିଜେ ଏକ ବୈଧାନିକ ଅନୁଷ୍ଠାନ ବୋଲି ବୁଝିବାର ଥିଲା ଓ କୋର୍ଟଙ୍କୁ କିପରି ବିଶ୍ୱାସକୁ ନ ନେଲେ ସେ ନେଇ ମଧ୍ୟ ମମତା ପ୍ରଶ୍ନ ଉଠାଇଛନ୍ତି। ଆୟୋଗଙ୍କର ଅନୁନ୍ୟ କୋର୍ଟଙ୍କ ପ୍ରତି ସମ୍ମାନ ରହିବା ଦରକାର ବୋଲି ମମତା ଏଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.