ସ୍ବସ୍ତିକ ଚିହ୍ନ କଣ? କାହିଁକି ଘରର ପ୍ରବେଶ ପଥରେ ଏହା ଅଙ୍କା ଯାଇଥାଏ ଜାଣନ୍ତୁ…

Published By : Prameya-News7 Bureau | November 12, 2019 IST

ଭଗବାନଙ୍କ ସୃଷ୍ଟିରେ ପ୍ରତ୍ୟେକ ବସ୍ତୁ, ଜୀବ, ନିର୍ଜୀବ, ଆକୃତି ଓ ପ୍ରକୃତିର ଭିନ୍ନ ଭିନ୍ନ ଶକ୍ତି ରହିଛି । ଏହି ଶକ୍ତିକୁ ଚିହ୍ନି ଏହାର ସୁବିନିଯୋଗ ବା ଉଚିତ ପ୍ରୟୋଗ କରିପାରିଲେ ଜୀବନ ସୁଖ ସମୃଦ୍ଧିରେ ପରିପୂର୍ଣ୍ଣ ହେବ ।ଆଜି ଆମେ ଏକ ପବିତ୍ର ତଥା ଶୁଭ ଚିହ୍ନ ବା ଅଂକନ ବିଷୟରେ ଜାଣିବା ଯାହା ଅତ୍ୟନ୍ତ ଉପାଦେୟ । ଏହି ଚିହ୍ନଟି ଭାରତରେ ସ୍ବସ୍ତିକ ଚିହ୍ନଭାବେ ବେଶ ଖ୍ୟାତ । ଆସନ୍ତୁ ଜାଣିବା ଏହି ଚିହ୍ନର ଅର୍ଥ କଣ ଏବଂ ଏହା କି କି ଫଳ ପ୍ରଦାନ କରିଥାଏ ।  

‘ସ୍ବସ୍ତିକ’ ଅର୍ଥାତ୍‌ ସୁ+ଅସ୍ତିତ୍ବ। ଏହାର ଅର୍ଥ କଲ୍ୟାଣକାରୀ ଶ୍ରେଷ୍ଠତ୍ବର ଅସ୍ତିତ୍ବ। ଯେଉଁଠାରେ ପ୍ରେମ ଓ ଉଲ୍ଲାସପୂର୍ଣ୍ଣ ବାତାବରଣ ସେଠାରେ ହିଁ ସ୍ବସ୍ତିକର ଭାବନା। ସ୍ବସ୍ତିକ ଚିହ୍ନ ମାନବର ବିକାଶ ଓ ସୁରକ୍ଷା ପାଇଁ ଏକ ମୁଖ୍ୟ କବଚ ଅଟେ।କେତେକ ସ୍ଥାନରେ ସଧବା ସ୍ତ୍ରୀମାନେ ସୌଭାଗ୍ୟ ଲାଭ ପାଇଁ ସ୍ବସ୍ତିକ ବ୍ରତ କରନ୍ତି। ଗୁଜୁରାଟରେ ପ୍ରତ୍ୟେକ ଗୃହର ପ୍ରବେଶ ଦ୍ବାରରେ ସ୍ବସ୍ତିକ ଚିହ୍ନ ଅଙ୍କାଯାଏ। ଆହୁରି ମଧ୍ୟ ସ୍ବସ୍ତିକ ଭଗବାନ ଗଣେଶଙ୍କର ପ୍ରତିନିଧି ବୋଲି ବିଶ୍ବାସ ରହିଛି।

କେବଳ ଯେ, ହିନ୍ଦୁ ଧର୍ମରେ ସ୍ବସ୍ତିକ   ଚିହ୍ନର ମହତ୍ବ ରହିଛି ତା’ ନୁହେଁ, ବିଶ୍ବର ସମସ୍ତ ଧର୍ମରେ ଏହାର ମହତ୍ବ ରହିଛି। ଏପରିକି ବିଶ୍ବର ଅନ୍ୟଦେଶର ଲୋକମାନେ ମଧ୍ୟ ଏହି ସ୍ବସ୍ତିକ ଚିହ୍ନର ଆଦର କରନ୍ତି। ନେପାଳରେ ସ୍ବସ୍ତିକକୁ ‘ହେରମ୍ବ’ ନାମରେ ପୂଜା କରାଯାଏ। ୟୁନାନୀମାନେ ‘ଓରେନ୍ସ’ ନାମରେ ସ୍ବସ୍ତିକ ଚିହ୍ନକୁ ପୂଜା କରନ୍ତି। ବର୍ମାରେ ‘ପିୟେନ୍ନେ’ ନାମରେ ଏହା ପ୍ରସିଦ୍ଧ । ଚୀନରେ ‘ଫକିଙ୍ଗିୟନ’ ନାମରେ ସ୍ବସ୍ତିକ ଆଦୃତ ।

ସ୍ବସ୍ତିକର ମହିମା ପଛରେ ମଧ୍ୟ ବୈଜ୍ଞାନିକ କାରଣ ରହିଛି। ବିଦ୍ୟୁତ୍‌ ଶକ୍ତିର ଦୁଇଟି ପ୍ରବାହ ଥାଏ, ଯଥା- ଧନାତ୍ମକ ଓ ଋଣାତ୍ମକ। ଏହି ଦୁଇ ଧାରା ପରସ୍ପର ପ୍ରତି ଆକୃଷ୍ଟ ହୁଅନ୍ତି। ଉକ୍ତ ଦୁଇ ଶକ୍ତି ପ୍ରବାହରେ ମିଳନରୁ କାର୍ଯ୍ୟକାରୀ ଶକ୍ତି ସୃଷ୍ଟି ହୁଏ।ଉତ୍ପନ୍ନ ଶକ୍ତି ହିଁ ସୃଷ୍ଟିର ଆଧାର। ସ୍ବସ୍ତିକ ହେଉଛି ଏହି ଦୁଇ ଶକ୍ତିର ମିଳନର ପ୍ରତୀକ।

ସ୍ବସ୍ତିକ ମଧ୍ୟରେ ଥିବା ଦୁଇ ରେଖା ମଧ୍ୟରୁ ଦଣ୍ଡାୟମାନ ରେଖାକୁ ଶିବ ଓ ଆଡ ରେଖାକୁ ଶକ୍ତି ରୂପେ ଗ୍ରହଣ କରାଯାଏ। ଶିବ ଓ ଶକ୍ତିଙ୍କ ମିଳନରୁ ହିଁ ସୃଷ୍ଟି ସମ୍ଭବ ହୁଏ। ସ୍ବସ୍ତିକର ଚାରିଗୋଟି ଭୂଜ ବିଷ୍ଣୁଙ୍କ ଚାରିଭୂଜର ସୂଚକ ଅଟେ। ବିନ୍ଦୁକୁ ବିଷ୍ଣୁଙ୍କର ନାଭି କୁହାଯାଏ। ଯେକୌଣସି ଶୁଭକର୍ମର ଆରମ୍ଭରେ କିମ୍ବା ତିଳକ ଧାରଣ ସମୟରେ ସ୍ବସ୍ତିବାଚକ ପାଠକରାଯାଏ।

ସ୍ବସ୍ତି ବଚନ-

ସ୍ବସ୍ତିନୋ ଇନ୍ଦ୍ରୋ ବୃଦ୍ଧଶ୍ରବା ସ୍ବସ୍ତିନଃ ପୁଷ୍ୟ ବିଶ୍ବଦେବାଃ।

ସ୍ବସ୍ତିନୋ ସ୍ତାର୍ଯ୍ୟୋ ଅଭିଷ୍ଟନେମିଃ ସ୍ବସ୍ତିକୋଃ ବୃହସ୍ପର୍ତଥାଚୁ।।

ରାଶି ଚକ୍ରର ମୋଟ ୨୭ଟି ନକ୍ଷତ୍ର ମଧ୍ୟରୁ ମଧ୍ୟତମ ନକ୍ଷତ୍ର ହେଉଛି ‘ଚିତ୍ରା’ ।‘ଚିତ୍ରା’ ନକ୍ଷତ୍ରର ଅଧିପତି ହେଉଛନ୍ତି ଇଦ୍ର। ଏହାର ତାରାମାନଙ୍କ ଆକାର ପାଇଁ ଏହାକୁ ବୃଦ୍ଧଶ୍ରବା କୁହାଯାଉଛି। ‘ଚିତ୍ରା’ ନକ୍ଷତ୍ରର ସାମ୍ନାରେ ବା ୧୮୦ ଡିଗ୍ରି ଦୂରରେ ରହିଛି ରେବତୀ ନକ୍ଷତ୍ର। ଏହାର ଅଧିପତି ପୂଷ୍ୟା ଅଟନ୍ତି। ରାଶି ଚକ୍ରର ଶେଷ ନକ୍ଷତ୍ର ହୋଇଥିବାରୁ ଏହାକୁ ବିଶ୍ବଦେବା କୁହାଯାଇଛି। ‘ଚିତ୍ରା’ ନକ୍ଷତ୍ରର ୯୦ ଡିଗ୍ରି ଦୂରରେ ରହିଛି ଶ୍ରବଣା ନକ୍ଷତ୍ର।ଶ୍ରବଣା ନକ୍ଷତ୍ରରେ ତିନୋଟି ତାରା ଥିବାରୁ ଏହାକୁ ତ୍ରାକ୍ଷ କୁହାଯାଇଛି। ଏହାର ଅଧିପତି ହେଉଛନ୍ତି ଭଗବାନ ବିଷ୍ଣୁ ବା ଅରିଷ୍ଟନେମି। ଶ୍ରବଣା ନକ୍ଷତ୍ର ସିଧାରେ ରହିଛି ପୁଷ୍ୟା ନକ୍ଷତ୍ର। ଏହାର ଅଧିପତି ହେଉଛନ୍ତି ବୃହସ୍ପତି।ତେଣୁ ସ୍ବସ୍ତିକ ଚିହ୍ନ ହେଉଛି ସମସ୍ତ ରାଶିଚକ୍ର ବା ବିଶ୍ବର ପ୍ରତୀକ।

ତାରା ମାନଙ୍କ ମଧ୍ୟରେ ଶ୍ରେଷ୍ଠ ସପ୍ତର୍ଷି ମଣ୍ଡଳର ମରିଚୀ, ଅରୁନ୍ଧତୀ, ବଶିଷ୍ଠ, ଅଙ୍ଗୀରା, ଅତ୍ରୀ, ପୁଲହ ଓ କୃତୀଙ୍କ ଆଶୀର୍ବାଦ ଗ୍ରହଣ କରିବା ପାଇଁ ଶୁଭକର୍ମର ପ୍ରାରମ୍ଭରେ ସ୍ବସ୍ତିକ ଚିହ୍ନ ଅଙ୍କାଯାଏ।

ବାସ୍ତୁଶାସ୍ତ୍ରରେ ମଧ୍ୟ ସ୍ବସ୍ତିକ ଚିହ୍ନର ଗୁରୁତ୍ବ ରହିଛି। ମୁଖ୍ୟ ଦ୍ବାର ଉପରେ ଦୁଇ ପଟେ ଦୁଇଟି ଏବଂ ଗୃହର ପ୍ରତି କକ୍ଷର ପୂର୍ବପଟ କାନ୍ଥରେ ଗୋଟିଏ ଲେଖା ସ୍ବସ୍ତିକ ଚିହ୍ନ ଅଙ୍କନ କଲେ ବାସ୍ତୁ ଦୋଷ ଖଣ୍ଡନ ହୁଏ। ପରିବାରରେ ଅଶାନ୍ତି ଦୂରୀଭୂତ ଦୁଏ। ସର୍ବପରି ସର୍ବବିଧ ମଙ୍ଗଳ ହୁଏ।         

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.