‘ଲକ୍‌ଡାଉନ୍‌ରେ ଯାହା କିଛି ଲାଭ ମିଳିଥିଲା, ଅନଲକ୍ ସବୁ ଶେଷ କରି ଦେଲା’

Published By : Prameya-News7 Bureau | June 10, 2020 IST

ବେଙ୍ଗାଲୁରୁ ୧୦।୦୬: କରୋନା ଭାଇରସ୍‌ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଅନଲକ-୧ ପରେ ସଂକ୍ରମିତଙ୍କ ସଂଖ୍ୟା ସାଙ୍ଘାତିକ ଭାବେ ବଢିବାରେ ଲାଗିଛି। ଇଣ୍ଡିଆନ ଇନଷ୍ଟିଚ୍ୟୁୟଟ୍ ଅଫ୍ ପବ୍ଲିକ୍ ହେଲ୍‌ଥ, ହାଇଦ୍ରାବାଦ, ପବ୍ଲିକ ହେଲ୍‌ଥ ଫାଉଣ୍ଡେସନ ଅଫ ଇଣ୍ଡିଆର ପ୍ରଫେସର ଭି ରମଣ ଧର କହିଛନ୍ତି, ଅନଲକ୍ ହେବାରୁ ଲୋକେ କୋଭିଡ୍-୧୯ର ନିୟମ କାନୁନ ଭୁଲିଗଲେ। ପୁଣି ଥରେ ପୁରୁଣା ଅଭ୍ୟାସ୍ ଆରମ୍ଭ କରି ଦେଲେ। ଏହି ଖରାପ ଅଭ୍ୟାସ୍ ହେଉଛି ପରସ୍ପର ମଧ୍ୟରେ ଦୂରତା ନରଖିବା ଏବଂ ମାସ୍କ  ନ ପିନ୍ଧିବା।

ଗ୍ରାମାଞ୍ଚଳରେ ସଂକ୍ରମଣର ବିପଦ

ରମଣ ଧର କହିଛନ୍ତି, ଗ୍ରାମାଞ୍ଚଳରେ ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ ଘର ନିକଟରୁ ପୃଥକ କରିବା ଉଚିତ୍। ଦୁର୍ଭାଗ୍ୟ ଏହା ଯେ, ସେଠାରେ ସଂକ୍ରମଣ ବଢିବା ସ୍ଥିତିରେ ଯାଞ୍ଚ ଓ ଚିକିତ୍ସାର ପର୍ଯ୍ୟାପ୍ତ ସୁବିଧା ନାହିଁ। ରମଣ କହିଛନ୍ତି ଲକ୍‌ଡାଉନ୍‌ରେ ମିଳିଥିବା ଲାଭ ସମ୍ଭବତଃ ଏବେ ଅନଲକ୍‌ ସମାପ୍ତ କରି ଦେଲା।

କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ବୁଧବାର ସକାଳ ୮ଟା ସୁଦ୍ଧା ଗତ ୨୪ ଘଣ୍ଟାରେ ଦେଶରେ କରୋନାରେ ୨୭୯ ଲୋକଙ୍କ ମୃତ୍ୟୁ ଘଟିଛି। ଏହା ପରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭,୭୪୫ରେ ପହଞ୍ଚିଛି। ଏହି ୨୪ ଘଣ୍ଟାରେ ୯,୯୮୫ ନୂତନ ସଂକ୍ରମିତ ମାମଲା ସାମ୍ନାକୁ ଆସିଛି। ଏହାକୁ ମିଶାଇ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୨, ୭୬, ୫୮୩କୁ ବୃଦ୍ଧି ଘଟିଛି। ଭାରତ କେବେ ସଂକ୍ରମଣ ମାମଲାରେ ଶୀର୍ଷରେ ରହିବ ଏହି ପ୍ରଶ୍ନର ଉତ୍ତରରେ ସେ ରମଣ ଧର କହିଛନ୍ତି ଏହି ପୂର୍ବାନୁମାନ କରିବା ମୁସ୍କିଲ।

ଯାଞ୍ଚ ଯେତିକି ଶୀଘ୍ର ବଢିବ, ଆମେ ସେତିକି ଶୀଘ୍ର ଜିତିବା

ସେ କହିଛନ୍ତି, ଭାରତରେ କେତେ ଲୋକ ସଂକ୍ରମଣର ଶିକାର ହୋଇଛନ୍ତି ତାର ସଠିକ୍ ତଥ୍ୟ ଜାଣିବା ଲାଗି ଆକ୍ରମଣାତ୍ମକ ଭାବେ ଯାଞ୍ଚ କରିବା ଜରୁରୀ। ଭାରତରେ କେଉଁ ପ୍ରକାରେ  ମୃତ୍ୟୁ ହାରକୁ କମ ରଖାଯାଇ ପାରିବ। ଉତ୍ତରରେ ସେ କହିଛନ୍ତି ସଂକ୍ରମିଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚିହ୍ନଟ କରି, ସଂକ୍ରମିତଙ୍କୁ ପୃଥକ କରି, ଗମ୍ଭୀର  ରୋଗୀଙ୍କ ଚିକିତ୍ସା ଲାଗି ହସ୍ପିଟାଲ ପ୍ରସ୍ତୁତ ରଖିବାକୁ ପଡିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.