ଛାମୁଙ୍କଠୁ ୬ ଗୁଣା ସରକାର ! ଗୃହହୀନଙ୍କୁ ଆବାସ ଯୋଜନାରେ ୬ ବର୍ଷରେ ମିଳିଛି ମାତ୍ର ଗୋଟିଏ କିସ୍ତି, ଖରା-ବର୍ଷାକୁ ପାଲ ଭରଷା

Published By : Prameya-News7 Bureau | September 29, 2020 IST

ଭଦ୍ରକ ୨୯।୯: ଘର ଖଣ୍ଡିଏ ନଥିଲା । ବନ୍ୟା ଆଉ ବାତ୍ୟା ଦାଉ ସାଧୁଥିଲା । ଠିକ୍ ସମୟ ରେ ଭଙ୍ଗା ଘର ସଜାଡିବା ବେଳେ ସରକାରୀ ଯୋଜନାରେ ଘର ଖଣ୍ଡିଏ ମିଳିଲା । ପୁରୁଣା ଘରର ମରାମତି ଛାଡି ସରକାରୀ ଯୋଜନାରେ ମିଳିଥିବା ଘରର କାମ ଆରମ୍ଭ କଲେ । ଗୋଟିଏ କିସ୍ତି ପରେ ଘର କାମ ଆରମ୍ଭ ହେଲା । ଧାର ଉଧାର କରି ନୂଆ ଘର କାମ ଅଧା ପର୍ଯ୍ୟନ୍ତ ନେଇଗଲେ । କିନ୍ତୁ ୬ ବର୍ଷ ବିତିଲାଣି ଆଉ ଟଙ୍କା ମିଳିଲାଣି । ଶେଷରେ ନା ପୁରୁଣା ଘର କରିପାରିଲେ, ନା ନୂଆ ଘର । ଏବେ ଅଧାତୋଳା ଘରେ ପାଲ ଟାଙ୍ଗି ରହୁଛନ୍ତି ପୁରା ପରିବାର । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଘଟଣା ।

{"id":336219,"sizeSlug":"large"}

ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅଙ୍ଗେଇପାଳ ଗାଁରେ ଶଶଧର ସାହୁଙ୍କୁ ବିଜୁ ପକ୍କା ଘର ଯୋଜନାରେ ମିଳିଥିଲା ଘର । ୨୦୧୫ ମସିହାରୁ ଘର କାମ ଆରମ୍ଭ ହେଲାଣି ଯେ ଏପର୍ଯ୍ୟନ୍ତ ସରୁ ନାହିଁ । ଘରର ପ୍ରଥମ କିସ୍ତି ଟଙ୍କା ମିଳିବାର ୬ ବର୍ଷ ବିତିଗଲାଣି । ଆଉ ଟଙ୍କା ଆସୁନି କି ଘର କାମ ମଧ୍ୟ ଆଗକୁ ଆଗେଇ ପାରୁନି । ସେହି ଅଧା ତିଆରି ଉପରେ ପଲିଥିନ ଟାଙ୍ଗି ରହୁଛନ୍ତି ପୁରା ପରିବାର ।

ତେବେ ଧାମନଗର ବ୍ଲକର କାର୍ଯ୍ୟାଦେଶ ସଂଖ୍ୟା ୧୧୯୦ ଅନୁଯାୟୀ ୨୭ ମାର୍ଚ୍ଚ ୨୦୧୫ ମସିହାରେ ଶଶଧର ସାହୁଙ୍କୁ ବିଜୁ ପକ୍କା ଘର ପାଇଁ କାର୍ଯ୍ୟାଦେଶ ମିଳିଛି । ଯୋଜନାରେ ୩ଟି କିସ୍ତିରେ ୭୦ହଜାର ଟଙ୍କା ମିଳିବା କଥା । ପ୍ରଥମେ ୨୦ ହଜାର ପରେ ୩୫ ହଜାର ଓ ୧୫ ହଜାର ଟଙ୍କା ଦିଆଯିବା କଥା । କାର୍ଯ୍ୟାଦେଶ ସହ ୨୦ ହଜାର ଟଙ୍କା ମିଳିଛି କିନ୍ତୁ ନିମଟାଲ ପରେ ୩୫ ହଜାର ଓ ଛାତ ଓ ପାଇଖାନା ପରେ ୧୫ ହଜାର ମିଳିବା କଥା । ନିମଟାଲରୁ ଉପରକୁ ଘର ହୋଇଯାଇଛି କିନ୍ତୁ ଆଉ ଟଙ୍କା ମିଳିନି ।

{"id":336223,"sizeSlug":"large"}

ଧାର ଉଧାର ଆଣି ଘର ତିଆରି କରିଥିଲେ ଶଶଧର । ଏବେ ପୁରୁଣା ଘରକୁ ମଧ୍ୟ ମରାମତି କରିପାରୁ ନାହାନ୍ତି । ଚଳିତ ବନ୍ୟାରେ ମଧ୍ୟ ଗାଁର ପଡୋଶୀଙ୍କ ଘରେ ଆଶ୍ରୟ ନେଇଥିଲେ । ପଞ୍ଚାୟତରୁ ବ୍ଲକ ପର୍ଯ୍ୟନ୍ତ ଦୌଡି ଦୌଡି ନୟାନ୍ତ ହେଲେଣି । କିନ୍ତୁ ଟଙ୍କା ମିଳୁନି । ଏବେ ଘର କରିବାର ଆଶା ଛାଡି ନିଜ ଗୁଜୁରାଣ ମେଣ୍ଟଉଛନ୍ତି । ପ୍ରଥମେ ସରକାରୀ ଯୋଜନାରେ ହିତାଧିକାରୀ ହୋଇଥିବାରୁ ପୁନଃ ଅନ୍ୟ ଯୋଜନାରେ ସାମିଲ ମଧ୍ୟ ହୋଇପାରୁନାହାନ୍ତି । 

ସେପଟେ ଧାମନଗର ବ୍ଲକ ଅଧକ୍ଷ କହିଛନ୍ତି ଯେ, ଖୁବ୍ ଶୀଘ୍ର ବକେୟା ଟଙ୍କା ମିଳିବ । ବ୍ଲକରୁ ପ୍ରାୟ ୪୦ରୁ ଅଧିକ ବକେୟା କିସ୍ତି ଟଙ୍କା ପାଇନଥିବା ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଛି । ରାଜ୍ୟ ସରକାର ଟଙ୍କା ମଧ୍ୟ ପଠାଇଛନ୍ତି । ଖୁବ ଶୀଘ୍ର ଟଙ୍କା ଦିଆଯିବ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.