ଚେନ୍ନାଇ ପରେ ରାଜସ୍ଥାନ ରୟାଲ୍ସକୁ ଝଟକା, ଆଇପିଏଲର କିଛି ମ୍ୟାଚ୍ ଖେଳିବେ ନାହିଁ ବେନ ଷ୍ଟୋକ୍ସ !
7/09/2020 at 10:39 PM

ନୂଆଦିଲ୍ଲୀ ୦୭।୦୯: ଇଣ୍ଡିଆନ ପ୍ରିମିୟର ଲିଗ୍ ୨୦୨୦ରେ ଚେନ୍ନାଇ ସୁପରକିଙ୍ଗ୍ସ ନିଜର ଦୁଇ ବରିଷ୍ଠ ଖେଳାଳି ସୁରେଶ ରୈନା ଓ ହରଭଜନ ସିଂହଙ୍କୁ ହରାଇ ସାରିଛି। ଏହି ଦୁଇ ଖେଳାଳି କରୋନା ଭାଇରସ୍କୁ ଦୃଷ୍ଟିରେ ରଖି ନଖେଳିବାକୁ ନିଷ୍ପତ୍ତି ନେଇଛନ୍ତି। ଏମିତି କିଛି ନିଷ୍ପତ୍ତି ମୁମ୍ବାଇ ଇଣ୍ଡିଆନ୍ସର ବରିଷ୍ଠ ଖେଳାଳି ଲସିଥ ମାଲିଙ୍ଗା ନେଇଛନ୍ତି। ଏବେ ରାଜସ୍ଥାନ ରୟାଲ୍ସ ଦଳରୁ ଖବର ଆସୁଛି ଯେ ସଂପ୍ରତି ଦୁନିଆର ସର୍ବଶ୍ରେଷ୍ଠ ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ ଆଇପିଏଲ ୨୦୨୦ର ପ୍ରାରମ୍ଭିକ କିଛି ମ୍ୟାଚ୍ ଖେଳି ପାରିବେ ନାହିଁ।
ଆଇପିଏଲ ଫ୍ରାଞ୍ଚାଇଜି ରାଜସ୍ଥାନ ରୟାଲ୍ସ ଆଗାମୀ ସିଜିନରେ ନିଜର ପ୍ରାରମ୍ଭିକ ମ୍ୟାଚ୍ରେ ଷ୍ଟୋକ୍ସଙ୍କ ଅନୁପସ୍ଥିତି ଅନୁଭବ କରିପାରେ। ଷ୍ଟୋକ୍ସ ବର୍ତ୍ତମାନ ନିଜ ପିତା ଗ୍ରେଡ୍ଙ୍କ ସହିତ ନ୍ୟୁଜିଲାଣ୍ଡରେ ଅଛନ୍ତି। ବିଶ୍ଵକପ ବିଜେତା ଦଳର ସଦସ୍ୟ ଷ୍ଟୋକ୍ସଙ୍କୁ ବର୍ତ୍ତମାନ ବିଶ୍ଵର ସର୍ବଶ୍ରେଷ୍ଠ ଅଲରାଉଣ୍ଡର କୁହାଯାଏ। ସେ ପାକିସ୍ତାନ ଟେଷ୍ଟ ଶୃଙ୍ଖଳା ମଧ୍ୟରେ ନ୍ୟୁଜିଲାଣ୍ଡ ଫେରି ଯାଇଥିଲେ। ଏଠାରେ ତାଙ୍କ ବାପାଙ୍କ କ୍ୟାନସର ଚିକିତ୍ସା ଜାରି ରହିଛି।
ଏହି ମାମଲାରେ ସୂଚନା ରଖୁଥିବା ଫ୍ରାଞ୍ଚାଇଜିର ଏକ ସୂତ୍ର ଅନୁଯାୟୀ ନ୍ୟୁଜିଲାଣ୍ଡରେ କ୍ଵାରେଣ୍ଟାଇନ୍ ନିୟମ ଅନୁଯାୟୀ, ଷ୍ଟୋକ୍ସ ସେଠାରେ ପହଞ୍ଚିବା ପରେ ୧୪ ଦିନ ଦିନ ଏକାକୀ ରହିଛନ୍ତି। ଏବେ ସେ ନିଜ ବାପାଙ୍କୁ ଭେଟିବେ। ଏହି ମୁସ୍କିଲ ସମୟରେ ସେ ନିଜର ପରିବାର ସହିତ କିଛି ସମୟ ବିତାଇବାକୁ ଚାହିଁବେ। ଷ୍ଟୋକ୍ସଙ୍କୁ ରୟାଲ୍ସ ୧୨.୫ କୋଟି ଟଙ୍କାରେ କ୍ରୟ କରିଛି।