ବେରୁଟ ବିସ୍ଫୋରଣର ଭୟଙ୍କର ସ୍ଥିତି ସ୍ପଷ୍ଟ, ହିରୋସୀମାରେ ପଡିଥିବା ପରମାଣୁ ବୋମାର ୫ ଗୁଣ ଭଳି ଲାଗୁଛି

Published By : Prameya-News7 Bureau | August 05, 2020 IST

ବେରୁଟ୍, ୦୫|୦୮: ବେରୁଟରେ ହୋଇଥିବା ଭୟଙ୍କର ବିସ୍ଫୋରଣରେ ପ୍ରାୟ ଶତାଧିକ ଲୋକ ପ୍ରାଣ ହରାଇଛନ୍ତି । ଏହାସହ ୪ ହଜାରରୁ ଅଧିକ ଆହତ ହୋଇଛନ୍ତି । ବିସ୍ଫୋରଣ ମାତ୍ରା ଏତି ଅଧିକ ଥିଲା ଯେ ସ୍ଥାନୀୟ ଅଞ୍ଚଳ ଥରି ଉଠିବା ସହ କୋଠା ଗୁଡିକ ତାସଘର ଭଳି ଭୁଶୁଡ଼ି ପଡ଼ିଛି । ଏପରିକି ଏହାର ଫଟୋ ଓ ଭିଡିଓରୁ ଏହା ହିରୋସୀମାରେ ପଡିଥିବା ପରମାଣୁ ବୋମାର ୫ ଗୁଣ ଭଳି ଲାଗୁଥିବା ସ୍ପଷ୍ଟ ହୋଇଛି ।

ପ୍ରଥମେ କୁହାଯାଇଥିଲା ଏକ ବାଣ ଗୋଦାମ କିମ୍ବା ବାଣ ଭର୍ତ୍ତି ଜାହାଜରେ ନିଆଁ ଲାଗିଥିଲା। ମିଳିଥିବା ସୂଚନା ଅନୁସାରେ ମାରାତ୍ମକ ବିସ୍ଫୋରକ ଆମୋନିୟମ ନାଇଟ୍ରେଟ ଏହି ବିସ୍ଫୋରଣର କାରଣ। ଏକ ହ୍ୟାଙ୍ଗରରେ ୨୭୫୦ ଟନ ଆମୋନିୟମ ନାଇଟ୍ରେଟ ଷ୍ଟୋର କରାଯାଇଥିଲା। ସାର କିମ୍ବା ବୋମା ମାଧ୍ୟମରେ ପ୍ରଥମ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ଏପରିକି ଲେବାନନ ୧୨ଟି ପୋର୍ଟ ହ୍ୟାଙ୍ଗରରେ ବିପୁଳ ଆମୋନିୟମ ନାଇଟ୍ରେଟ ରଖାଯାଇଥିବା ନେଇ ପୂର୍ବରୁ ମଧ୍ୟ ଅନେକ ଚିନ୍ତା ପ୍ରକଟ କରିଥିଲେ। ୬ ବର୍ଷ ଧରି ଲେବାନନ ସରକାର ଏନେଇ କୁଆଡ଼େ ଅବଗତ ଥିଲେ ।   

ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁସାରେ ଯେଉଁଠାରେ ବିସ୍ଫୋରଣ ଘଟିଛି ସେହି ଆମୋନିୟମ ନାଇଟ୍ରେଟ ସେପ୍ଟେମ୍ବର ୨୦୧୩ରେ ରୁଷ ଜାହାଜରେ ଆସିଥିଲା। ଯାହାକି ଜର୍ଜିଆରୁ ମୋଜାମ୍ବିକ ଯାଉଥିଲା। ଯାନ୍ତ୍ରିକ ତ୍ରୁଟି ପାଇଁ ଏହାକୁ ଲେବାନନରେ ଅଟକିବାକୁ ପଡ଼ିଥିଲା। ତେବେ ନ୍ୟାୟିକ ଝାମେଲା ପାଇଁ ଏହାକୁ ଜାହାଜ କର୍ମଚାରୀ ଛାଡ଼ି ଚାଲିଯାଇଥିଲେ। ଏହାକୁ ଖାଲି କରିବା ଲାଗି ଲେବାନନ କଷ୍ଟମସ ବାରମ୍ବାର ଚିଠି ଲେଖିଥିଲା। ଲେବାନନ ସେନାକୁ ଏହାକୁ ହସ୍ତାନ୍ତର କରିବାକୁ ଅନୁରୋଧ କରାଯାଇଥିଲା। ଏପରିକି ଏହାକୁ ଅନ୍ୟତ୍ର ପଠାଇଦେବାକୁ ମଧ୍ୟ କୁହାଯାଇଥିଲା।  କିନ୍ତୁ ଏହାକୁ କେହି ଧ୍ୟାନ ଦେଇନଥିଲେ।

ଏବେ ବିସ୍ଫୋରଣ ପରେ ତଦନ୍ତ କଥା ଉଠୁଛି । ଲାବେନିଜ୍ ଟିଭିର ପ୍ରାଥମିକ ତଦନ୍ତରୁ ଓ୍ୱେଲ୍ଡିଂ ସମୟରେ ନିଆଁ ଲାଗି ଏପରି ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଥିବା ଜଣାପଡୁଛି । ଆକ୍ସନର କଥା ଉଠୁଛି। କିନ୍ତୁ ଯେତିକି ଜୀବନ ଗଲା ସେଥିପାଇଁ କିଏ ଦାୟୀ ରହିବ। ଦେଶବ୍ୟାପୀ ଜରୁରୀ ସ୍ଥିତି ଘୋଷଣା କରାଯାଇଛି। ବିଭିନ୍ନ ଦେଶର ନାଗରିକ ଏଥିରେ ପ୍ରାଣ ହରାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.