ସବ ଇନ୍ସପେକ୍ଟର ରହି ମୁଲାୟମ ସିଂହଙ୍କୁ ଦେଉଥିଲେ ସୁରକ୍ଷା, ଆଜି ମୋଦୀ କ୍ୟାବିନେଟ୍‌ରେ ମିଳିଲା ଗୁରୁ ଦାୟିତ୍ଵ

Published By : Prameya-News7 Bureau | July 07, 2021 IST

ନୂଆଦିଲ୍ଲୀ ୦୭।୦୭: ଆଗ୍ରା ଲୋକସଭା ଆସନରୁ ସାଂସଦ ପ୍ରଫେସର ସତ୍ୟପାଲ ସିଂହ ବଘେଲଙ୍କୁ ଦୀର୍ଘ ଅପେକ୍ଷା ପରେ ମୋଦୀ କ୍ୟାବିନେଟ୍‌ରେ ସ୍ଥାନ ମିଳିଛି। ଏଥିରେ ତାଙ୍କ ସମର୍ଥକଙ୍କ ଗହଣରେ ଖୁସିର ମାହୋଲ ଖେଳି ଯାଇଛି। ରାଜ୍ୟ ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ପଦ ଛାଡି ଲୋକସଭା ନିର୍ବାଚନ ଜିତିଥିବା ଏସପି ସିଂହ ବଘେଲଙ୍କୁ ମଧ୍ୟ ୨୦୧୯ରେ ମନ୍ତ୍ରୀ ପଦ ମିଳିବ ବୋଲି ଆଶା କରାଯାଉଥିଲା। ହେଲେ ତାଙ୍କୁ ଆହୁରି ସମୟ ଅପେକ୍ଷା କରିବାକୁ ପଡିଥିଲା। ବୁଧବାର ସନ୍ଧ୍ୟାରେ ସେ ମନ୍ତ୍ରୀ ପଦର ଶପଥ ନେଇଛନ୍ତି। ତାଙ୍କୁ ମୋଦୀ ମନ୍ତ୍ରିମଣ୍ଡଳରେ ରାଷ୍ଟ୍ର ମନ୍ତ୍ରୀ ପଦ ମିଳିଛି।

କଠେରିଆଙ୍କ ଟିକେଟ୍ କାଟି ବଘେଲଙ୍କୁ ପ୍ରାର୍ଥୀ କରାଯାଇଥିଲା

ମୋଦୀ ସରକାରରେ ମନ୍ତ୍ରୀ କରାଯାଇଥିବା ପ୍ରଫେସର ଏସପି ସିଂହ ବଘେଲଙ୍କ ରାଜନୈତିକ କାହାଣୀ ବହୁତ ରୋଚକ ରହିଛି। ଉତ୍ତର ପ୍ରଦେଶରେ ସବ ଇନ୍ସପେକ୍ଟର ରହିଥିବା ପ୍ରଫେସର ଏସପି ସିଂହ ବଘେଲ ଆଜି ରାଜନୀତି ଜଗତରେ ବଡ ନାମ। ୟୁପି ପୋଲିସରେ ଥିବା ବେଳେ ସେ ମୁଲାୟମ ସିଂହ ଯାଦବଙ୍କ ସୁରକ୍ଷା ଦାୟିତ୍ଵ ମିଳିଥିଲା। ବାସ୍ ଏଠାରୁ ତାଙ୍କ ଭାଗ୍ୟ ବଦଳିବା ଆରମ୍ଭ ହୋଇଥିଲା। ମୁଖ୍ୟମନ୍ତ୍ରୀଙ୍କ ପିଏସଓ ଥିଲେ ଏବଂ ଏହାପରେ ଲୋକସଭା ଓ ରାଜ୍ୟସଭାର ସାଂସଦ ରହିଥିଲେ।

୨୦୧୭ ବିଧାନସଭା ନିର୍ବାଚନରେ ଟୁଣ୍ଡଲାରୁ ବିଜୟ ପରେ ତାଙ୍କୁ ଉତ୍ତର ପ୍ରଦେଶ କ୍ୟାବିନେଟ୍ ମନ୍ତ୍ରୀ କରାଯାଇଥିଲା। ଏହା ପରେ ଆଗ୍ରା ସଂସଦୀୟ କ୍ଷେତ୍ରରୁ ବଘେଲଙ୍କୁ ବିଜେପିରୁ ଟିକେଟ୍ ମିଳିଥିଲା। ଏଠାରେ ମଧ୍ୟ ପ୍ରଫେସର ବଘେଲ ଦମଦାର ବିଜୟ ହାସଲ କରିଥିଲା। ପାର୍ଟିର ବରିଷ୍ଠ ସାଂସଦ ତଥା ଜାତୀୟ ଅନୁସୂଚିତ ଜାତି ଆୟୋଗର ରାଷ୍ଟ୍ରୀୟ ସଭାପତି ଡ. ରାମଶଙ୍କର କଠେରିଆଙ୍କ ଟିକେଟ୍ କାଟି ଏସପି ସିଂହ ବଘେଲଙ୍କୁ ନିର୍ବାଚନ ମଇଦାନକୁ ଓହ୍ଲା ଯାଇଥିଲା।

ବାପା ଥିଲେ ପୋଲିସ ବିଭାଗରେ

ପ୍ରଫେସର ଏସପି ସିଂହ ବଘେଲ ଉତ୍ତର ପ୍ରଦେଶର ଅରେୟା ଜିଲ୍ଲାର ଭଟପୁରାରର ମୂଳ ବାସିନ୍ଦା। ତାଙ୍କ ବାପା ରାମଭରୋସେ ସିଂହ ମଧ୍ୟପ୍ରଦେଶ ପୋଲିସ ବିଭାଗରେ କାର୍ଯ୍ୟରତ ଥିଲେ। ସତ୍ୟପାଲ ବଘେଲଙ୍କ ଜନ୍ମ ମଧ୍ୟ ପ୍ରଦେଶର ଇନ୍ଦୋର ସ୍ଥିତ ଯଶବନ୍ତରାଓ ହୋଲକର ହସ୍ପିଟାଲରେ ହୋଇଥିଲା। ବାପା ମଧ୍ୟ ପ୍ରଦେଶରେ ଚାକିରି କରୁଥିବାରୁ ତାଙ୍କର ସମସ୍ତ ଶିକ୍ଷା ମଧ୍ୟପ୍ରଦେଶରେ ହୋଇଥିଲା। ଉତ୍ତର ପ୍ରଦେଶ ପୋଲିସ ସେବାରେ ସବ ଇନ୍ସପେକ୍ଟର ଭାବେ ଭର୍ତ୍ତି ହେବା ପରେ ଏସପି ସିଂହ ବଘେଲଙ୍କୁ ପ୍ରଥମ ଗୁରୁତ୍ଵପୂର୍ଣ୍ଣ ଦାୟିତ୍ଵ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନାରାୟଣ ଦତ୍ତ ତିଓ୍ଵାରୀଙ୍କ ସୁରକ୍ଷା ଗାର୍ଡ ଭାବେ ନିଯୁକ୍ତି ମିଳିଥିଲା।

ବିଜେପିର ପଛୁଆ ବର୍ଗର ଜାତୀୟ ସଭାପତି ଥିଲେ

୧୯୮୯ରେ ମୁଲାୟମ ସିଂହ ଯାଦବଙ୍କ ମୁଖ୍ୟମନ୍ତ୍ରୀ ହେବା ପରେ ବଘେଲଙ୍କୁ ମୁଲାୟମଙ୍କ ସୁରକ୍ଷା ଦାୟିତ୍ଵରେ ନିୟୋଜିତ କରାଯାଇଥିଲା। ଏହା ପରେ ତାଙ୍କୁ ମୁଲାୟମଙ୍କ ନିକଟତର ହେବାର ସୁଯୋଗ ମିଳିଥିଲା। ବଘେଲ ୧୯୯୮ରେ ପ୍ରଥମ ଥର ରାଜନୈତିକ ମଇଦାନକୁ ଓହ୍ଲାଇଥିଲେ। ମୁଲାୟମ ତାଙ୍କୁ ଜଲେସର ଆସନରୁ ସମାଜବାଦୀ ପାର୍ଟିର ପ୍ରାର୍ଥୀ  କରିଥିଲେ। ସେ ପ୍ରଥମ ନିର୍ବାଚନ ଜିତିବା ପରେ ଦୁଇ ଥର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ୨୦୧୦ରେ ବହୁଜନ ସମାଜ ପାର୍ଟିରୁ ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ଏହା ସହ ଜାତୀୟ ସାଧାରଣ ସଂପାଦକ ଦାୟିତ୍ଵ ସମ୍ଭାଳିଥିଲେ। ୨୦୧୪ରେ ଫିରୋଜାବାଦ ଲୋକସଭା ଆସନରୁ ପରାଜିତ ହୋଇଥିଲେ। ଏହା ପରେ ସେ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଥିଲେ। ବିଜେପିରେ ସାମିଲ ହେବା ପରେ ତାଙ୍କୁ ବିଜେପି ପଛୁଆ ମୋର୍ଚ୍ଚାର ଜାତୀୟ ସଭାପତି ଭାବେ ନିଯୁକ୍ତ କରାଯାଇଥିଲା। ବିହାର ବିଧାନସଭା ନିର୍ବାଚନରେ ବିଜେପି ଷ୍ଟାର ପ୍ରଚାରକ ଭାବେ ତାଙ୍କୁ ଦାୟିତ୍ଵ ମିଳିଥିଲା। ତାଙ୍କୁ ଅମିତ୍ ଶାହାଙ୍କ ଘନିଷ୍ଠ ଥିବା କୁହାଯାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.