ବାଇଡେନ୍‌ଙ୍କ ଐତିହାସିକ ଭାଷଣ ପଛରେ ତେଲେଙ୍ଗାନା କନେକ୍ସନ, ଜାଣନ୍ତୁ ରାଷ୍ଟ୍ରପତିଙ୍କ ସ୍ପିଚ୍ ଲେଖିଥିବା କିଏ ଏହି ଭାରତୀୟ ?

Published By : Prameya-News7 Bureau | January 21, 2021 IST

ଓ୍ଵାଶିଂଟନ ୨୧।୦୧: ଆମେରିକାରେ ଆରମ୍ଭ ହୋଇ ଯାଇଛି ବାଇଡେନ୍ ଯୁଗ। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଶପଥ ଗ୍ରହଣ ପରେ ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ। ନିଜର ଆକ୍ରମଣାତ୍ମକ ଭାଷଣରେ ଆମେରିକା ନାଗରିକଙ୍କ ହୃଦୟ ଜିତିଛନ୍ତି। ସେ କହିଥିଲେ ଯେ, ମୁଁ ଏମିତି ଜଣେ ରାଷ୍ଟ୍ରପତି ଭାବେ ପ୍ରତିଜ୍ଞା କରୁଛି ଯେ, ଯିଏ ବିଭାଜନ ରାଜନୀତି କରନ୍ତି ନାହିଁ ଏବଂ ଲୋକଙ୍କୁ ଏକଜୁଟ୍ କରନ୍ତି। ଯିଏ ଲାଲ୍ ରାଜ୍ୟ ଓ ନୀଳ ରାଜ୍ୟ ଦେଖନ୍ତି ନାହିଁ। ଦେଶରେ ଗଣତନ୍ତ୍ର ସଶକ୍ତ ପାଇଁ ଆମେ ସମସ୍ତେ ଏକତ୍ର ଅଛୁ। ହିଂସା ରାଜନୀତି ବିରୋଧରେ ଆମର ଲଢେଇ ଜାରି ରହିବ। ମୁଁ କୌଣସି ଦଳର ନୁହେଁ ସମଗ୍ର ଆମେରିକାର ରାଷ୍ଟ୍ରପତି। ଦେଶର ଏକତା ପ୍ରତି ମୁଁ ପ୍ରତିଶ୍ରୁତିବଦ୍ଧ। ତାଙ୍କର ଏହି ଐତିହାସିକ ଭାଷଣରେ ରହିଛି ତେଲେଙ୍ଗାନା କନେକ୍ସନ।

ବାଇଡେନଙ୍କ ଏହି ଐତିହାସିକ ଏବଂ ମର୍ମସ୍ପର୍ଶୀ ଭାଷଣରେ ପଛରେ ଯେଉଁ ବ୍ୟକ୍ତି ରହିଛନ୍ତି ସେ ହେଉଛନ୍ତି ବିନୟ ରେଡ୍ଡୀ ଚୋଲ୍ଲେଟି। ସେ ତେଲେଙ୍ଗାନାର କରିମନଗର ଜିଲ୍ଲାର ପୋଥିରେଡ୍ଡୀପେଟାର ବାସିନ୍ଦା। ତାଙ୍କ ପିତା ନାରାୟଣ ରେଡ୍ଡୀ ୧୯୭୦ ଦଶନ୍ଧିରେ ଆମେରିକା ଚାଲି ଯାଇଥିଲେ ଏବଂ ହାଇଦ୍ରାବାଦରେ ଏମବିବିଏସ ପୂରା କରିବା ପରେ କାର୍ଡିଓଲୋଜିଷ୍ଟ ବା ହୃଦରୋଗ ବିଶେଷଜ୍ଞ ହେବାର ସ୍ଵପ୍ନ ପୂରଣ କରିଥିଲେ। ବାଇଡେନ୍‌ଙ୍କ ଭାଷଣର ମୁଖ୍ୟ ଲେଖକ ବିନୟ ଆମେରିକାର ଓହିଅର ଡେଟନରେ ଜନ୍ମ ଗ୍ରହଣ କରିଥିଲେ। ବୋଧହୁଏ ସେ ଦାଦା ତିରୁପତି ରେଡ୍ଡୀଙ୍କଠୁ ରାଜନୈତିକ କୌଶଳ ଶିଖିଥିଲେ ଯିଏ ୩୦ ବର୍ଷ ପର୍ଯ୍ୟନ୍ତ ଗାଁରେ ସରପଞ୍ଚ ଭାବେ ସେବା କରିଛନ୍ତି।

ବିନୟଙ୍କ କକା କିଶନ ରେଡ୍ଡୀ କୁହନ୍ତି ଯେ, ରାଜନୈତିକ ସମ୍ବେଦନଶୀଳତା, ନିର୍ଣ୍ଣୟ ଓ ବୁଦ୍ଧିମତା ବୋଧହୁଏ ତାଙ୍କ ରକ୍ତରେ ହିଁ ପ୍ରବାହିତ ହେଉଛି। କିଶନ ରେଡ୍ଡୀ ମଧ୍ୟ ଅନେକ ବର୍ଷ ପର୍ଯ୍ୟନ୍ତ ସରପଞ୍ଚ ଭାବେ ଗାଁରେ ଅନେକ ଉନ୍ନତିମୂଳକ କାମ କରିଛନ୍ତି। ଲୟର ମନେରୁ ଡ୍ୟାମର ପୂର୍ବତନ ଅଧ୍ୟକ୍ଷ କିଶନ କହିଛନ୍ତି ଯେ, ଆମ ପରିବାରର ଲୋକ ଏବଂ ସମସ୍ତ ଗାଁ ଲୋକଙ୍କ ସମ୍ମାନ ଯୋଗୁଁ ଆମ ଗାଁ ଆଜି ବିଶ୍ଵ ମ୍ୟାପ୍‌ରେ ପରିଚିତ ହୋଇଛି। ସେ କହିଛନ୍ତି ଯେ, ଓବାମା ପ୍ରଶାସନ ଅମଳରେ ଉପ ରାଷ୍ଟ୍ରପତି ରହିଥିବା ବାଇଡେନଙ୍କ ସେହି ସମୟର ଭାଷଣକୁ ମଧ୍ୟ ବିନୟ ଲେଖିଥିଲେ।

ପ୍ରାୟ ଅଧା ଶତାବ୍ଦୀ ଅର୍ଥାତ ୫୦ ବର୍ଷ ପର୍ଯ୍ୟନ୍ତ ଆମେରିକାରେ ରହିବା ପରେ ମଧ୍ୟ ପରିବାର ଗାଁ ସହିତ ନିଜର ସମ୍ବନ୍ଧ ଜାରି ରଖିଛନ୍ତି। ବିନୟଙ୍କ ପିତା ଡ. ନାରାୟଣ ରେଡ୍ଡୀ ଏବଂ ମା ବିଜୟା ରେଡ୍ଡୀ ନିୟମିତ ଗାଁକୁ ଆସନ୍ତି ଏବଂ ଗାଁ ବିକାଶରେ ଉଲ୍ଲେଖନୀୟ ଯୋଗଦାନ ଦିଅନ୍ତି। ସେମାନେ ଗାଁରେ ନିଜ ପୂର୍ବ ଅମଳ କୃଷି ଜମିକୁ ମଧ୍ୟ ରଖିଛନ୍ତି, ଯଦ୍ଵାରା ଗାଁ ସହିତ ସୁ ସଂପର୍କ ଜାରି ରହିବ।

ଡ ନାୟାରଣ ରେଡ୍ଡୀ ନିଜ ଗାଁକୁ ବହୁତ ଭଲ ପାଆନ୍ତି। ନିକଟରେ ସେ ଗାଁରେ ପୋଚମ୍ମା ମନ୍ଦିର ପାଇଁ ୧ ଲକ୍ଷ ଟଙ୍କା ଦାନ କରିଥିବା କିଶନ ରେଡ୍ଡୀ କହିଛନ୍ତି। ବିନୟ ନାରାୟଣ ରେଡ୍ଡୀଙ୍କ ତିନି ପୁଅଙ୍କ ମଧ୍ୟରେ ଦ୍ଵିତୀୟ। ସେ ଓହିଅ ଡେଟନରେ ନିଜର ପ୍ରାଥମିକ ଶିକ୍ଷା ପୂରା କରିଥିଲେ ଏବଂ ଓହିଅ ଷ୍ଟେଟ୍ ୟୁନିଭର୍ସିଟି କଲେଜ୍ ଅଫ୍ ଲରୁ ଡିଗ୍ରୀ ହାସଲ କରିଥିଲେ। ବିନୟ ଜଣେ ତେଲୁଗୁ ମହିଳାଙ୍କୁ ବିବାହ କରିଛନ୍ତି, ଯିଏ ଏବେ ନ୍ୟୁୟର୍କରେ ରହୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.