ସଠିକ ତଦନ୍ତ କରିନଥିଲେ କିନ୍ତୁ ଦେଇଥିଲେ କ୍ଲିନ୍ଚିଟ୍: ବେଗୁନିଆର ପୂର୍ବତନ ତହସିଲଦାର ସାରୁଅ କେଳେଙ୍କାରୀ ପାଇଁ ସସ୍ପେଣ୍ଡ
24/11/2020 at 5:36 PM

ଭୁବନେଶ୍ବର୨୩/୧୧: ସାରୁଅ ଜମି କେଳେଙ୍କାରୀ ମାମଲାରେ କାର୍ଯ୍ୟାନୁଷ୍ଠାନ। ଖୋର୍ଦ୍ଧା ଜିଲ୍ଲା ବେଗୁନିଆର ପୂର୍ବତନ ତହସିଲଦାରଙ୍କୁ ସସ୍ପେଣ୍ଡ କରାଯାଇଛି। ପୂର୍ବତନ ତହସିଲଦାରଙ୍କ ତତ୍ତ୍ବାବଧାନରେ ହୋଇଥିଲା ମାପଚୁପ । ସୂଚାରୁ ରୂପେ କାର୍ଯ୍ୟ ତୁଲାଇ ନଥିବାରୁ ତାଙ୍କର ବଦଳି ହୋଇଥିଲା। ପରେ ତାଙ୍କୁ ସସ୍ପେଣ୍ଡ କରାଯାଇଛି ।
ପୂର୍ବରୁ ବଦଳି ହୋଇଥିଲା ଏବେ ସସ୍ପେଣ୍ଡ ହେଲେ । ସାରୁଅ ଜମି କେଳେଙ୍କାରୀ ମାମଲାରେ ବେଗୁନିଆର ପୂର୍ବତନ ତହସିଲଦାର ଓଏଏସ୍ ଅଧିକାରୀ ବିବେକାନନ୍ଦ ପରିଡାଙ୍କୁ ନିଲମ୍ବନ କରାଯାଇଛି । ବିବେକାନନ୍ଦ ପରିଡ଼ା ବେଗୁନିଆର ତହସିଲଦାର ଥିବା ବେଳେ ତାଙ୍କୁ ସାରୁଅ ଜମି କିଣାବିକା ନେଇ ତଦନ୍ତ କରି ରିପୋର୍ଟ ଦେବାକୁ କୁହାଯାଇଥିଲା। ସେ ଏହାର ସଠିକ ଭାବେ ତଦନ୍ତ ନ କରି କ୍ଲିନଚିଟ୍ ଦେଇଥିଲେ ବୋଲି ଅଭିଯୋଗ ରହିଛି। ସରକାରୀ କ୍ଷମତାର ଦୂରୁପଯୋଗ କରିବା ଓ କାର୍ଯ୍ୟରେ ଅବହେଳା ପ୍ରଦର୍ଶନ କରିବା ଅଭିଯୋଗରେ ତାଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି। ପୂର୍ବରୁ ତାଙ୍କୁ ବେଗୁନିଆରୁ କଟକକୁ ଡେପୁଟି କଲେକ୍ଟର ଭାବେ ବଦଳି କରାଯାଇଥିଲା।
ସୂଚନା ଅନୁସାରେ ନିଲମ୍ବନ କାଳରେ ବିବେକାନନ୍ଦ ପରିଡ଼ା ହେଡକ୍ବାର୍ଟର ବାହାରକୁ ଯାଇ ପାରିବେ ନାହିଁ। ଯଦି କିଛି ଜରୁରୀ କାମ ପଡେ ତେବେ ସେ ଅନୁମତି ନେଇ ଯିବେ । ସାରୁଅ ଜମି କେଳେଙ୍କାରୀ ମାମଲାରେ ଏହା ହେଉଛି ସରକାରୀ ସ୍ତରରେ ପ୍ରଥମ କାର୍ଯ୍ୟାନୁଷ୍ଠାନ ।
ସେପଟେ OTV ଗ୍ରପରୁ ଜଣଙ୍କ ପରେ ଜଣେ ଅଧିକାରୀ ସମ୍ପର୍କ ତୁଟାଇଲେଣି । ଓଟିଭି ସିଇିଓ ନିହାର ରଞ୍ଜନ ଭୂୟାଁ ଗତକାଲି OTV ଛାଡିବା ସହ ଓଡ଼ିଶା ଇନ୍ଫ୍ରାଟେକ୍ ପ୍ରାଇଭେଟ ଲିମିଟେଡ୍ OIPLର ନିର୍ଦେଶକ ପଦରୁ ଇସ୍ତଫା ଦେଇଛନ୍ତି। ବିଭୁ ରଥ, ମନୋରଞ୍ଜନ ଷଡ଼ଙ୍ଗୀ, ଶିବ ପ୍ରସାଦ ଶ୍ରୀଚନ୍ଦନ ଏମାନଙ୍କୁ ଓଟିଭି ତଥା OIPLର ବିଭିନ୍ନ ପଦ ପଦବୀରେ ରଖି ଜମି ଜାଲିଆତି ଚଳାଇଥିଲେ ଓଟିଭି ଏମଡି ଜଗି ମଙ୍ଗତ ପଣ୍ଡା ଏବଂ ତାଙ୍କ ସ୍ବାମୀ ବୈଜୟନ୍ତ ପଣ୍ଡା ।ଏମାନଙ୍କୁ ମୋହରା କରି କଳାକାରବାରର ସାମ୍ରାଜ୍ୟ ତିଆରି କରିଛନ୍ତି OIPLର ପ୍ରମୋଟର ପଣ୍ଡା ଦମ୍ପତି । ମନୋରଞ୍ଜନ, ଶିବପ୍ରସାଦଙ୍କ ଭଳି କର୍ମଚାରୀ ଓଟିଭି ଛାଡିଛନ୍ତି । ସେପଟେ ଦଳିତ ଆଦିବାସୀଙ୍କ ଜମିକୁ ଚଞ୍ଚକତା କରି ହଡପ କରିଥିବା ଅଭିଯୋଗରେ ପଣ୍ଡା ଦମ୍ପତିଙ୍କ ଉପରେ ଗିରଫଦାରୀର ଖଣ୍ଡା ଝୁଲୁଛି ।