Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଭିକାରୀଙ୍କ ମଧ୍ୟରେ ଅମ୍ବାନୀ ହେଉଛନ୍ତି ଏହି ୧୦ ଜଣ, କୋଟିକୋଟି ଟଙ୍କାର ମାଲିକ ସମସ୍ତେ

24/08/2019 at 9:45 PM

ମୁମ୍ବାଇ:  ଦୈନନ୍ଦିନ ଜୀବନରେ ଆମେ ଅନେକଙ୍କୁ ହାତ ପତେଇ ଭିକ ମାଗୁଥିବାର ଦେଖିଛେ। କେବେ କେବେ ସେମାନଙ୍କ ଅବସ୍ଥା ଦେଖି ପକେଟ ଅଣ୍ଡାଳି ଆଠଣା ଟଙ୍କାଟେ ବି ଦେଇଛେ। ହେଲେ ଆଖିକୁ ଭିକାରୀ ଦେଖାଯାଉଥିବା ଲୋକଟି ଯେ କୋଟିପତି ହୋଇଥାଇପାରେ ତା ହୁଏତ ଆମେ କେବେ କଳନା ବି କରିନେ। ଚାଲନ୍ତୁ ଜାଣିବା ସେହି ଭିକାରୀମାନଙ୍କ ସମ୍ପର୍କରେ ଯେଉଁମାନେ ଭିକ୍ଷାକୁ ସେମାନଙ୍କ ବୃତ୍ତି କରିଛନ୍ତି ସତ ହେଲେ ବାସ୍ତବରେ ସେମାନେ ଅମ୍ବାନୀଙ୍କଠୁ କମ ନୁହନ୍ତି।

ଏମିତି ଜଣେ ଭିକାରୀ ହେଉଛନ୍ତି କୃଷ୍ଣ କୁମାର ଗୀତେ। ମୁମ୍ବାଇ ସହରର ସେପି ଟ୍ୟାଙ୍କ ନିକଟରେ ପ୍ରାୟତଃ କୃଷ୍ଣ ନଜରରେ ପଡନ୍ତି। ଯେତେ ଗାଡିମଟର ଯାଏ ହାତ ପତେଇ ଭିକ ମାଗନ୍ତି। ସେ ଭିକ ମାଗି ଆୟ କରିଥିବା ଟଙ୍କାରେ ସହରର ବ୍ୟୟବହୁଳ ଅଞ୍ଚଳ ନାଲାସୋପାରାରେ ନିଜ ପାଇଁ ଏକ ପ୍ଲଟ କିଣି ରଖିଛନ୍ତି। କେବଳ କୃଷ୍ଣ ନୁହନ୍ତି ତାଙ୍କ ଭଳି ଆଉ ଜଣେ ଅମୀର ଭିକାରୀ ହେଲେ ଭରତ ଜୈନ। ଭରତ ଭିକ୍ଷା କରି ଦୈନିକ କେତେ ଆମଦାନୀ କରନ୍ତି ତାଙ୍କର ଘର ଦେଖିଲେ ଜଣା ପଡିଯାଏ। ମୁମ୍ବାଇରେ ଭିକ୍ଷାବୃତ୍ତି କରୁଥିବା ଭରତଙ୍କର ଗୋଟିକ ୭୦ ଲକ୍ଷ ଟଙ୍କା ମୂଲ୍ୟର ୨ଟି ଘର ରହିଛି। ଘରୁ ଭଡା ପାଉଥିବା ବେଳେ ଦୈନିକ ଭିକ ମାଗି ବେଶ ପଇସା ଆୟ କରୁଛନ୍ତି ଭରତ।

ତେବେ ଆମେରିକାର ଟେଡ ୱିଲିୟମସଙ୍କ କଥା ପଡିଲେ ଆପଣଙ୍କ ଡୋଳା ଲେଉଟି ପଡିବ। ଏକଦା ଓହିଓ ସହରରେ ଭିକମାଗି ପେଟ ପୁରାଉଥିବା ଟେଡଙ୍କର ସଙ୍ଗୀତ ପ୍ରତି ଖୁବ ଋଚି ଥିଲା। ଆଜି ତାଙ୍କର ୟୁଟ୍ୟୁବ୍ ଚାନେଲ ରହିଛି। ଯେଉଁଥିରୁ ତାଙ୍କର ବେଶ ଆୟ ହେଉଛି। ଟେଡଙ୍କ ଭଳି ଆଉ ଜଣେ ଭିକାରୀ ହେଉଛନ୍ତି ସାଇମନ୍ ରାଇଟ୍ । ତାଙ୍କ ସମ୍ପତ୍ତି ଓ ପ୍ରାଚୁର୍ଯ୍ୟ ଦେଖି ଆମେରିକା ପୋଲିସ ଏକଦା ତାଙ୍କ ଭିକ୍ଷାବୃତ୍ତି ଉପରେ କଟକଣା ଜାରି କରିଥିଲା। ହେଲେ ହାତ ପତାଇବାର ପ୍ରକୃତି ଛାଡି ନଥିଲେ ସାଇମନ। ଲୁଚିଛପି ଭିକ ମାଗୁଥିଲେ। ଦେଶର ଅମୀର ଲୋକଙ୍କ ସୂଚୀରେ ଏବେ ଗଣାଯାଉଛନ୍ତି ସାଇମନ। ସେହିପରି ନ୍ୟୁୟର୍କର କୋରି ମଧ୍ୟ ଜଣେ ଭିକାରୀ। ସେ ଭିକମାଗି ଯାହା ଆୟ କରନ୍ତି ସେଥିରେ ଖବର କାଗଜ କିଣି ବିକନ୍ତି। ଏଥିରୁ ହେଉଥିବା ଆୟରୁ ସେ ଏବେ ବିପୁଳ ପାଚୁର୍ଯ୍ୟର ଅଧିକାରୀଣୀ।

ସେହିପରି ଚୀନର ରୋଙ୍ଗଫେଙ୍ଗ ଭିକମାଗି ଜୀବନ ଅତିବାହିତ କରୁଥିଲେ ହେଁ ଭିକ୍ଷାବୃତ୍ତିରୁ ହେଉଥିବା ଆୟରେ ଭଲ ବ୍ୟବସାୟ କରି ଏବେ ବସିଯାଇଛନ୍ତି। ହେଲେ ଲୋକେ ତାଙ୍କୁ ଆଜିବି ଜାଣନ୍ତି ଭିକାରୀ ବୋଲି। ତେବେ ଜଣେ ଭିକାରୀ ଜୀବନ ଜାକର ଆୟକୁ ଏବେ ସର୍ବସାଧାରଣଙ୍କ ଲାଗି ଛାଡିଯାଇଛନ୍ତି। ସାଉଦି ଆରବର ଏହି ମହିଳା ଭିକାରୀ ହେଉଛନ୍ତି ଇଶା। ପ୍ରାୟ ୧ଶହ ବର୍ଷ ବୟସ ପର୍ଯ୍ୟନ୍ତ ଜୀବିତ ଥିବା ଇଶା ତାଙ୍କ ଜୀବନ କାଳରେ କୋଟି କୋଟି ଟଙ୍କା ଭିକମାଗି ଜମା କରିଥିଲେ। ହେଲେ ମୃତ୍ୟୁ ପରେ ସେ ସବୁ ସରକାରଙ୍କ ରାଜକୋଷକୁ ଚାଲିଯାଇଛି।

ବିହାର ରାଜଧାନୀ ପାଟନାର ସର୍ବତିୟା ଦେବୀ ଭିକମାଗି ଏବେ କୋଟି କୋଟି ଟଙ୍କାର ଅଚଳାଚଳ ସମ୍ପତ୍ତିର ମାଲିକ। ପ୍ରତିବର୍ଷ ସେ ଜମା କରୁଥିବା ଜୀବନ ବୀମା କିସ୍ତିର ପରିମାଣ କେତେ ଜାଣନ୍ତି ୩୫ ହଜାର ଟଙ୍କା। ଏଥିରୁ ତାଙ୍କର ସମ୍ପତ୍ତି ଓ ପାରିବାରିକ ଆର୍ଥିକସ୍ଥିତିର କେବଳ ଅନ୍ଦାଜ କରାଯାଇପାରେ। ଦିନ ତମାମ ରାସ୍ତାଘାଟ ବୁଲି ଭିକମାଗୁଥିବା ମହିଳା ପାଟନା ଅଶୋକ ସିନେମା ହଲ ପଛପଟ ଗଳିରେ ଥିବା ବିଳାଶମୟ ଆପାର୍ଟମେଣ୍ଟରେ ରହନ୍ତି।

   Related Posts