ନିର୍ଭୟା ଦୋଷୀଙ୍କ ପୂର୍ବରୁ ଫାଶୀରେ ଝୁଲିଥିଲେ ଏହି ବ୍ୟକ୍ତି, ଦଶମ ଶ୍ରେଣୀ ଛାତ୍ରୀଙ୍କ ସହ କରିଥିଲେ ପାଶବିକ କାଣ୍ଡ
21/03/2020 at 8:31 PM

ଭୁବନେଶ୍ୱର, ୨୧|୦୩: ନିର୍ଭୟା ଦୋଷୀ ପଓ୍ୱନ, ବିନୟ, ଅକ୍ଷୟ ଓ ମୁକେଶକୁ ଶୁକ୍ରବାର ସକାଳ ୫ଟା ୩୦ରେ ଫାଶୀ ଦିଆଯାଇଛି। ନିର୍ଭୟାଙ୍କ ଆତ୍ମା ଶାନ୍ତି ପାଇଥିବା ତାଙ୍କ ପରିବାର ଲୋକେ କହିଛନ୍ତି। ଏହାସହ ଦୀର୍ଘ ୭ ବର୍ଷ ଧରି ଚାଲିଥିବା ଯୁଦ୍ଧ ଶେଷ ହୋଇଛି। ଏହି ଯୁଦ୍ଧରେ ସତ୍ୟର ବିଜୟ ହେବା ସହ ବିଳମ୍ବିତ ହେଲେ ମଧ୍ୟ ଆଇନ ଉପରେ ଲୋକଙ୍କ ଆସ୍ଥା ଅତୁଟ ରହିଛି। ତେବେ ଏହି ୪ ଦୋଷୀଙ୍କ ପୂର୍ବରୁ ୧୫ ବର୍ଷ ତଳେ ଆଉଜଣେ ବ୍ୟକ୍ତିଙ୍କୁ ଫାଶୀ ଦିଆଯାଇଥିଲା।

ଏକ ଦୁଷ୍କର୍ମ ମାମଲାରେ ୨୦୦୪ ମସିହାରେ ଜଣେ ଦୁଷ୍କର୍ମକାରୀକୁ ଫାଶୀ ଦିଆଯାଇଥିଲା। ଧନଞ୍ଜୟ ନାମକ ଜଣେ ବ୍ୟକ୍ତି ୧୪ ବର୍ଷର ଝିଅକୁ ଦୁଷ୍କର୍ମକରି ନିର୍ମମ ଭାବେ ହତ୍ୟା କରିଥିଲା। ଦୁଷ୍କର୍ମ ମାମଲାରେ ୨୦୦୪ ମସିହା ଅଗଷ୍ଟ ୧୪ ତାରିଖରେ କୋଲକୋତାର ଅଲିପୋର ସେଣ୍ଟ୍ରାଲ ଜେଲରେ ଧନଞ୍ଜୟକୁ ଫାଶୀ ଦିଆଯାଇଥିଲା। ସେହି ଦିନ ଅଭିଯୁକ୍ତ ଜନ୍ମଦିନ ଥିଲା। ୧୯୯୧ ମସିହା ପରେ ପଶ୍ଚିମବଙ୍ଗର ଏହା ପ୍ରଥମ ଫାଶୀ ଥିଲା। ତାଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଫାଶୀ ଦିଆଯାଇଥିଲା।
ଧନଞ୍ଜୟ ଭିଆଇଥିବା କାଣ୍ଡ ଏତେ ପାଶବିକ ଥିଲା ଯେ ତତ୍କାଳୀନ ରାଷ୍ଟ୍ରପତି ଏପିଜେ ଅବ୍ଦୁଲ କଲାମ ମଧ୍ୟ ରାଜକ୍ଷମା ଆବେଦନକୁ ଖାରଜ କରିଦେଇଥିଲେ।
କେଉଁ ଦୋଷ ପାଇଁ ଫାଶୀ ପାଇଥିଲେ ଧନଞ୍ଜୟ
ଧନଞ୍ଜୟ ଜଣେ ଦଶମ ଶ୍ରେଣୀ ସ୍କୁଲ ଛାତ୍ରୀଙ୍କୁ ଦୁଷ୍କର୍ମ କରିବା ସହ ହତ୍ୟା କରିଥିଲେ। ଏହି ଛାତ୍ରୀଜଣଙ୍କ କୋଲକାତାର ଭବାନୀପୁରରେ ରହୁଥିଲେ। ସେ ବୋର୍ଡ ପରୀକ୍ଷା ପାଇଁ ଘର ସାମ୍ନାରେ ଥିବା ଏକ ଆପାର୍ଟମେଣ୍ଟକୁ ପାଠ ପଢିବାକୁ ଯାଉଥିଲେ। ମାର୍ଚ୍ଚ ୧୯୯୦ରେ ସେ ପରୀକ୍ଷା ଶେଷ ଦିନ ତାଙ୍କୁ ଦୁଷ୍କର୍ମ ଓ ହତ୍ୟା କରାଯାଇଥିଲା। ସେଠାରେ ଧନଞ୍ଜୟ ଏକ ସିକ୍ୟୁରିଟୀ ଗାର୍ଡ ଭାବେ କାମ କରୁଥିଲେ।ସେହି ସମୟରେ ଧନଞ୍ଜୟଙ୍କୁ ଫାଶୀ ଦାବି ଜୋର ଧରିଥିଲା।