ଭାରତ ଗସ୍ତ ପୂର୍ବରୁ ବଡ ଭୁଲ କରି ଦେଲା ଇଂଲଣ୍ଡ ଦଳ, ପ୍ରଶ୍ନ ଉଠାଇଲେ ନାସିର ହୁସେନ
24/01/2021 at 3:57 PM

ଲଣ୍ଡନ ୨୪।୦୧: ଆସନ୍ତା ଫେବୃଆରୀ ୫ରୁ ଭାରତ ଓ ଭ୍ରମଣକାରୀ ଇଂଲଣ୍ଡ ମଧ୍ୟରେ ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଆରମ୍ଭ ହେବାକୁ ଯାଉଛି। ଏହା ମଧ୍ୟରେ ଇଂଲଣ୍ଡ ଦଳର ପୂର୍ବତନ ଅଧିନାୟକ ନାସିର ହୁସେନଙ୍କ ମତରେ ଇଂଲଣ୍ଡ ଚୟନକର୍ତ୍ତା ଭାରତ ବିପକ୍ଷରେ ଚାରି ଟିକିଆ ମ୍ୟାଚ୍ ଟେଷ୍ଟ ସିରିଜ୍ର ପ୍ରଥମ ଦୁଇଟିରୁ ଜନି ବେୟାରଷ୍ଟୋଙ୍କୁ ବିଶ୍ରାମ ଦେଇ ବଡ ଭୁଲ କରିଛନ୍ତି। ନାସିର ହୁସେନ ଇଂଲଣ୍ଡର ଚୟନକର୍ତ୍ତାଙ୍କୁ ଏହି ନିଷ୍ପତ୍ତି ଉପରେ ପୁନିର୍ବାର ବିଚାର କରିବାକୁ କହିଛନ୍ତି। ଜନି ବେୟାରଷ୍ଟୋ ଶ୍ରୀଲଙ୍କା ବିପକ୍ଷ ଗତ ଗାଲେରେ ଖେଳା ଯାଇଥିବା ପ୍ରଥମ ଟେଷ୍ଟରେ ୪୭ ଓ ଅପରାଜିତ ୩୫ ରନ କରିଥିଲେ।
ବ୍ୟସ୍ତ କାର୍ଯ୍ୟସୂଚୀକୁ ଦୃଷ୍ଟିରେ ରଖି ଜନି ବେୟାରଷ୍ଟୋଙ୍କୁ ପ୍ରଥମ ଦୁଇଟି ଟେଷ୍ଟରୁ ବିଶ୍ରାମ ଦେଇଛନ୍ତି ଇଂଲଣ୍ଡ ଚୟନକର୍ତ୍ତା। ଖେଳାଳିଙ୍କୁ ଗସ୍ତ ମଝିରେ ବିଶ୍ରାମ ଦେବା ଏହା ଦଳର ରଣନୀତିର ଏକ ଅଂଶ। ଇଂଲଣ୍ଡକୁ ଚଳିତ କ୍ୟାଲେଣ୍ଡରରେ ୧୭ ଟେଷ୍ଟ ଓ ଆଇସିସି ଟି ୨୦ ବିଶ୍ଵ କପ୍ ଖେଳିବାର ଅଛି।
ନାସିର ହୁସେନ କହିଛନ୍ତି, ଏହା ଚିନ୍ତାର ବିଷୟ, କାରଣ ଜନି ବେୟାରଷ୍ଟୋ ସ୍ପିନ ବିରୋଧରେ ଇଂଲଣ୍ଡର ତିନି ସର୍ବଶ୍ରେଷ୍ଠ ବ୍ୟାଟସମ୍ୟାନଙ୍କ ମଧ୍ୟରୁ ଜଣେ। ଏହି ତିନି ଖେଳାଳି ହେଉଛନ୍ତି ଜୋ ରୁଟ୍, ବେନ ଷ୍ଟୋକ୍ସ ଓ ବେୟାରଷ୍ଟୋ। ହେଲେ ତାଙ୍କୁ ସ୍ଵଦେଶ ଫେରି ଆସିବାକୁ କୁହାଯାଇଛି ଏବଂ ବାକି ଦଳ ଚେନ୍ନାଇ ଗସ୍ତ କରୁଛି।
ସେ କହିଛନ୍ତି ଯେ, ଦଳ ଚୟନକର୍ତ୍ତାଙ୍କୁ ପୁଣି ଥରେ ବିଚାର କରିବାକୁ ପଡିବ। ବେୟାରଷ୍ଟୋଙ୍କୁ ଗତ ଗ୍ରୀଷ୍ମରେ ଏବଂ ଆଇପିଏଲରେ ଜୈବ ନିରାପତ୍ତା ବଳୟରେ ଦିନ କାଟିବାକୁ ପଡିଥିଲା। ଏହା ପରେ ଖେଳାଳି ଦକ୍ଷିଣ ଆଫ୍ରିକା ଗସ୍ତ କଲେ। ଏବେ ଶ୍ରୀଲଙ୍କା ବିପକ୍ଷରେ ଟେଷ୍ଟ ସିରିଜ୍ ଚାଲିଛି। ପୁଣି ଦଳ ଭାରତ ଗସ୍ତ କରିବ ଏବଂ ଏହା ପରେ ଆଇପିଏଲ ଖେଳିବ।
ଏହି ପୂର୍ବତନ ଅଧିନାୟକ କହିଛନ୍ତି, ଏମିତି ସ୍ଥିତିରେ ଚୟନକର୍ତ୍ତାଙ୍କ ପାଇଁ ମୁସ୍କିଲ କାମ, ମାତ୍ର ଭାରତ ବିପକ୍ଷରେ ପ୍ରଥମ ଦୁଇଟି ଟେଷ୍ଟ ପାଇଁ ଆପଣଙ୍କୁ ସର୍ବଶ୍ରେଷ୍ଠ ଦଳ ଦରକାର। ନାସିର କହିଛନ୍ତି, ଆପଣଙ୍କୁ ଭାରତ ଗସ୍ତ ପାଇଁ ରୋଟେସନ କିମ୍ବା ବିଶ୍ରାମ ଦେବା ଉପରେ ଧ୍ୟାନ ଦେବା ଉଚିତ୍ ନା ଏହି ଗୁରୁତ୍ଵପୂର୍ଣ୍ଣ ସିରିଜ୍ର ପ୍ରଥମ ଟେଷ୍ଟ ମ୍ୟାଚ୍କୁ ଦୃଷ୍ଟିରେ ରଖି ନିଜର ସର୍ବଶ୍ରେଷ୍ଠ ଦଳ ଚୟନ କରିବା ଉଚିତ୍।