ହଜିଗଲା ଏଟିଏମ୍ କାର୍ଡ: ବ୍ଲକ୍‌ ପୂର୍ବରୁ ୪୦ ହଜାର ଟଙ୍କା ଲୁଟି ନେଲା ଦୁର୍ବୃତ୍ତ

Published By : Prameya-News7 Bureau | August 14, 2020 IST

କଟକ୧୪/୮: କଟକ କାଳୀଗଳିର ଜଣେ ବ୍ୟକ୍ତିଙ୍କର ଏଟିଏମ୍‌ କାର୍ଡ ହଜିଯିବା ପରେ ଉକ୍ତ କାର୍ଡ ବ୍ୟବହାର କରି କେହି ଦୁର୍ବୃତ୍ତ ୪୦ ହଜାର ଟଙ୍କା ଉଠାଇନେଇଛି । ଏନେଇ ଲାଲବାଗ୍‌ ଥାନାରେ ଏତଲା ଦାୟର ହୋଇଛି । ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ସୂଚନା ମୁତାବିକ, କାଳୀଗଳି ଅଞ୍ଚଳରେ ସାଗରମଲ୍‌ ଅଗ୍ରୱାଲ୍‌ ନାମକ ଜଣେ ବ୍ୟକ୍ତି ରହନ୍ତି । ସେଗତ ସପ୍ତାହରେ ଘରୁ କେଉଁଆଡ଼େ ବାହାରକୁ ଯିବା ବାଟରେ ତାଙ୍କର ଏଟିଏମ୍‌ କାର୍ଡଟି ହଜିଯାଇଥିଲା । ତେବେ ସେ ବ୍ୟାଙ୍କ୍‌ ଯାଇ କାର୍ଡକୁ ବ୍ଲକ୍‌ କରିବା ପୂର୍ବରୁ ଉକ୍ତ କାର୍ଡକୁ କେହି ବ୍ୟବହାର କରି ୪୦ ହଜାର ଟଙ୍କା ଉଠାଇ ନେଇଛନ୍ତି । ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଏଟିଏମ୍‌ କାର୍ଡ ଉପରେ ଶ୍ରୀ ଅଗ୍ରୱାଲ୍‌ ପାସ୍‌ୱାର୍ଡ ଲେଖି ରଖିଥିଲେ । ତେଣୁ ଦୁର୍ବୃତ୍ତ ଜଣକ ଅତି ସହଜରେ ଟଙ୍କା ଉଠାଇ ନେଇଛି ।

ତେବେ ପୁଲିସକୁ ଭ୍ରମିତ କରିବା ପାଇଁ ଦୁର୍ବୃତ୍ତଜଣକ ପ୍ରଥମେ ଭୁବନେଶ୍ୱର ଅଞ୍ଚଳର ଏକ ଏଟିଏମ୍‌ ବ୍ୟବହାର କରି ୨୦ ହଜାର ଟଙ୍କା ଉଠାଇଛି । ପରେ ସେଠାରୁ ଜଗତସିଂହପୁର ଯାଇ ପୁଣି ୨୦ ହଜାର ଟଙ୍କା ଉଠାଇଛି । ୪୦ ହଜାର ଉଠିବା ପରେ ଏବେ କାର୍ଡଟି ବ୍ଲକ୍‌ ହୋଇଯାଇଛି । ଏନେଇ ପୁଲିସ ନିକଟରେ ଅଭିଯୋଗ ହେବା ପରେ ଲାଲବାଗ ଥାନାରେ ଏକ ମାମଲା ରୁଜୁ ହୋଇଛି । ଏହାର ତଦନ୍ତ ଜାରି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.