ବିୟର କାହିଁକି ମହଙ୍ଗା ? ୧୧ ବର୍ଷ ହେଲା ଚଢ଼ା ଦାମ ଦେଉଛନ୍ତି ଗ୍ରାହକ, ରିପୋର୍ଟ ଖୋଲିଲା ରହସ୍ୟ
11/12/2020 at 3:54 PM

ନୂଆଦିଲ୍ଲୀ ୧୧/୧୨: ମଦ୍ୟପାନ ଶରୀର ପ୍ରତି ହାନିକାରକ। ଏହା ସତ ଯେ ମଦ୍ୟପାନ କରିବା ଦ୍ବାରା ଶରୀର କ୍ଷତିଗ୍ରସ୍ତ ହୋଇଥାଏ। କିନ୍ତୁ ବଜାରରେ ବିଭିନ୍ନ କମ୍ପାନୀର ମଦ ଉପଲବ୍ଧ । ଏନେଇ ଗ୍ରାହକ ଯଥାମୂଲ୍ୟ ଦେଇ କ୍ରୟ ମଧ୍ୟ କରୁଛନ୍ତି। ତେବେ ସରକାରଙ୍କ ଅନୁମତିରେ ମଦ ବିକ୍ରି ହେଉଥିବା ବେଳେ ଗ୍ରାହକ ମଧ୍ୟ କ୍ରୟ କରୁଛନ୍ତି। କିନ୍ତୁ ଯଦି ଆମେ ବିୟର କଥା କହିବା ତେବେ ଗ୍ରାହକ ଦୀର୍ଘ ବର୍ଷ ଧରି ଅଧିକ ଦାମ ଦେଇ ଏହାକୁ କିଣୁଛନ୍ତି। ଏନେଇ ଏକ ରିପୋର୍ଟ ପ୍ରକାଶ ପାଇବା ପରେ ଜଣାପଡ଼ିଛି।
କାହିଁକି ବିୟର ମହଙ୍ଗା ? ଗ୍ରାହକ ଭାବୁଛନ୍ତି ଦରଦାମ ବୃଦ୍ଧି ପାଉଥିବାରୁ ବିୟର ରେଟ୍ ମଧ୍ୟ ବଢ଼ୁଛି। କିନ୍ତୁ ଏହା ସମ୍ପୂର୍ଣ୍ଣ ମିଥ୍ୟା। ଅନ୍ତର୍ଜାତୀୟ କମ୍ପାନୀ ଓ ଭାରତୀୟ କମ୍ପାନୀଙ୍କ ମନମାନୀ ଯୋଗୁ ଗ୍ରାହକ ବିୟର ଅଧିକ ଦାମରେ କ୍ରୟ କରୁଛନ୍ତି। ଜାତୀୟ ଗଣମାଧ୍ୟ ଆଜତକ୍ରେ ପ୍ରକାଶିତ ଏକ ଖବର ଅନୁଯାୟୀ, ଅନ୍ତର୍ଜାତୀୟ ବିୟର କମ୍ପାନୀ Carlsberg, SABMiller ଓ ଭାରତୀୟ କମ୍ପାନୀ United Breweries ମଧ୍ୟରେ ହୋଇଥିବା ଫିକ୍ସିଂ ପାଇଁ ୧୧ ବର୍ଷ ହେଲା ବିୟର ଦାମ ମାମଲାରେ ମନମାନୀ ହେଉଥିବା ଖୁଲାସା ହୋଇଛି। ତେବେ ଏନେଇ ସିସିଆଇ ରିପୋର୍ଟରୁ ଜଣାପଡ଼ିଛି।
ନ୍ୟୁଜ୍ ଏଜେନ୍ସି ରୟଟର୍ସର ଏକ ଖବର ମୁତାବିକ ଏହି ସବୁ କମ୍ପାନୀର ଟପ୍ ଅଧିକାରୀମାନେ କାରବାର ସମ୍ପର୍କରେ ଗୋପନ ତଥ୍ୟ ପ୍ରକାଶ କରିଛନ୍ତି। ନିଜ ନିଜ ମଧ୍ୟରେ ବୁଝାମଣା କରି ୧୧ ବର୍ଷ ପର୍ଯ୍ୟନ୍ତ ବିୟର ଦାମ ଫିକ୍ସ କରିଥିବା ମଧ୍ୟ ମାନିଛନ୍ତି। ଏହା ସହ ଏନେଇ ସିସିଆଇ ରିପୋର୍ଟ ଦେଖିଥିବା ନେଇ ରୟଟର୍ସ ଦାବି କରିଥିବା ବେଳେ ସିସିଆଇ ପକ୍ଷରୁ ଏନେଇ କୌଣସି ବିଜ୍ଞପ୍ତି ପ୍ରକାଶ ପାଇନାହିଁ।
ରିପୋର୍ଟ ଅନୁସାରେ ୨୦୦୭ରୁ ୨୦୧୮ ମଧ୍ୟରେ କମ୍ପାନୀ ମଧ୍ୟରେ ଏହି ବୁଝାମଣା କରାଯାଇଛି। ସିସିଆଇର ୨୪୮ ପେଜ୍ର ରିପୋର୍ଟରେ ଏନେଇ ଖୁଲାସା କରାଯାଇଛି। ୨୦୧୮ରେ ସିସିଆଇ ଏହି ୩ କମ୍ପାନୀରେ ଚଢ଼ଉ କରିଥିଲା। ଯାଞ୍ଚ ସମୟରେ କମ୍ପାନୀ ଉପରେ ଆଙ୍ଗୁଳି ଉଠିଥିଲା। ଭାରତରେ ୫୨ ହଜାର କୋଟି ଟଙ୍କାର ବିୟର ବଜାରରେ ଏହାର ୮୮ ପ୍ରତିଶତ ସେୟାର ରହିଛି।
ସିସିଆଇ ଯାଞ୍ଚ ପୁରା କରିବା ପରେ ଏହି ସବୁ କମ୍ପାନୀ ଉପରେ ୨୫ କୋଟି ଡଲାର ଫାଇନ୍ ଲଗାଇପାରେ ବୋଲି ଚର୍ଚ୍ଚା ହେଉଛି। ଯାଞ୍ଚ ବେଳେ କମ୍ପାନୀର ବଡ଼ ଅଧିକାରୀଙ୍କ ଆଲୋଚନା, ହ୍ବାଟସଆପ୍ ଚାଟ୍, ଇମେଲ୍ ଆଦି ସାମିଲ କରିଛି ସିସିଆଇ। ଏଥିରୁ ଜଣାପଡ଼ିଛି ଭାରତୀୟ କମ୍ପାନୀକୁ ମୋହରା କରି ବିଭିନ୍ନ ରାଜ୍ୟରେ ବିୟର ଦାମ ବୃଦ୍ଧି କରୁଥିଲେ ଅନ୍ତର୍ଜାତୀୟ ବିୟର କମ୍ପାନୀ।