ଧରାପଡିଲା ଆମ୍ବଖିଆ ଭାଲୁ : ୪ ଦିନ ହେଲା ଜିଲ୍ଲାପାଳଙ୍କ ବାସଭବନରେ ଖେଳାଇଥିଲା ଆତଙ୍କ

Published By : Prameya-News7 Bureau | July 18, 2021 IST

ନୂଆପଡା, ୧୮|୦୭: ନୂଆପଡାରେ ଆତଙ୍କ ଖେଳାଇଥିବା ଭାଲୁ ଶେଷରେ ଧରାପଡିଛି । ଭାଲୁଟି ଲଗାତାର ଚାରିଦିନ ଧରି ଜିଲ୍ଲାପାଳଙ୍କ ବାସଭବନ ପରିସରରେ ପଶି ଆମ୍ବ ଖାଇ ଆପେ ଚାଲି ଯାଉଥିଲା । ଦୁଇଦିନ ହେଲା ଯନ୍ତା ଲଗାଇ ବନ ବିଭାଗ ଛପି ବସିଥିଲା । ଶେଷରେ ଗତକାଲି ରାତିରେ ଯନ୍ତାରେ ପଡିଛି ଆମ୍ବ ଲୋଭି ଜଙ୍ଗଲି ଭାଲୁ ।

ଏହାକୁ ଧରିବା ପାଇଁ ଜିଲ୍ଲାପାଳଙ୍କ ବାସଭବନ ରେ ସମସ୍ତ ବ୍ୟବସ୍ଥା ହୋଇଥିନା ବେଳେ ଭାଲୁଟି କିଛି ସମୟ ପାଇଁ ଥାନା କ୍ୟାମ୍ପସରେ ଆତଙ୍କ ଖେଳାଇଥିଲା । ଥାନା ପରିସରରେ ଥିବା ଜଣଙ୍କ ଘରେ ମଧ୍ୟ ପଶି ଯାଇଥିଲା । ପରେ ତେଲିପଡା ଭାଟିଛକ ଠାରୁ ଷ୍ଟାଡିୟମ ଦେଇ ପୁଣି ଥରେ ଭାଲୁଟି ଜିଲ୍ଲାପାଳଙ୍କ ବାସଭବନରେ ପଶିଥିଲା । ରାତି ପ୍ରାୟ ସାଢେ ତିନିଟା ରେ ଭାଲୁଟି ଯନ୍ତା ଭିତରେ ପଶିବା ପରେ ଛପି ରହିଥିବା ବନ ବିଭାଗ କର୍ମଚାରି ମାନେ ତାକୁ କାବୁ କରିଥିଲେ ।

ଘଟଣା ସ୍ଥଳରେ ବନ ବିଭାଗ ସହ ପ୍ରାଣୀ ଚିକିତ୍ସକ ଉପସ୍ଥିତ ରହିଥିଲେ । ଭାଲୁଟିର ସ୍ବାସ୍ଥ୍ୟବସ୍ଥା ଠିକ ରହିଥିବା ଜଣାପଡିଛି । ତେବେ ବର୍ତ୍ତମାନ ତାକୁ କେଉଁ ଜଙ୍ଗଲରେ ଛଡାଯିବ ସେନେଇ ଆଲୋଚନା ଜାରି ରହିଥିବା ଜଣା ପଡିଛି। ଦୂର ଜଙ୍ଗଲରେ ଏହାକୁ ଛାଡିବାକୁ ଯୋଜନା ଚାଲିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.