ସାବଧାନ ! ରାଜଧାନୀରେ ମାତିଛନ୍ତି ଲୁଟେରା, ୨୪ ଘଣ୍ଟାରେ ୬ ଜଣଙ୍କୁ ଲୁଟ୍‌ପାଟ୍ ସହ ମରଣାନ୍ତକ ଆକ୍ରମଣ

Published By : Prameya-News7 Bureau | July 31, 2019 IST

ଭୁବନେଶ୍ବର ୩୧|୭: ରାଜଧାନୀରେ ଲୁଟେରା ରାଜ୍ । ୨୪ ଘଣ୍ଟାରେ ୬ ଜଣଙ୍କୁ ଲୁଟପାଟ ସହ ଆକ୍ରମଣ କରିଛନ୍ତି ଲୁଟେରା । ବିଳମ୍ବିତ ରାତିରେ ମଞ୍ଚେଶ୍ବର ଥାନା ଅଧୀନ ତୃପ୍ତି ହୋଟେଲ ମାଲିକଙ୍କୁ ଆକ୍ରମଣ । ରସୁଲଗଡ ଛକରେ ଖଣ୍ଡାରେ ହାଣି ତାଙ୍କ ନିକଟରେ ଥିବା ସୁନା ଚେନ ଓ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଗୁରୁତର ହୋଟେଲ ମାଲିକ ବୁଲୁ ସାମନ୍ତରାୟଙ୍କୁ ଭୁବନେଶ୍ବରର ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସେହିପରି ଭୁବନେଶ୍ବର-ପୁରୀ ବାଇପାସ୍ ରୋଡ୍ ପାଣ୍ଡରାରେ ଲୁଟ୍ । ବାଇକ୍ ରେ ଆସି ଆତଙ୍କ ଖେଳାଇଲେ ୫ ଲୁଟେରା । ମହିମା ମୋଟର୍ସ  ସୋ ରୁମ୍ ଭିତରେ ପଶି ଲୁଟ୍ କରିଛନ୍ତି ଦୁର୍ବୃତ୍ତ । ସୋ ରୁମ୍ ର ମାଲିକ  ଓ ଗ୍ରାହକ  ମାନଙ୍କୁ  ମାରଣାସ୍ତ୍ରରେ ଆକ୍ରମଣ କରିଛନ୍ତି , ୫ଜଣ  ଲୁଟେରା ।  ଜଣେ ଗ୍ରାହକଙ୍କଠାରୁ ୨ ଲକ୍ଷ ଓ ସୋରୁମ୍ ର ମାଲିକ ଠାରୁ  ସୁନା ଚେନ୍ ଲୁଟି ନେଇଛନ୍ତି ।   ରାଇରଙ୍ଗପୁର ଗ୍ରାହକ ଭିକି ଶର୍ମା ଆହତ ହୋଇଛନ୍ତି ।

ସେହିପରି ବୁଧବାର ଭୋରୁ ମଞ୍ଚେଶ୍ବର ଥାନା ଅନ୍ତର୍ଗତ  ଗାଢକଣ କେଳୁଚରଣ ପାର୍କ ସାମ୍ନାରେ ଲୁଟପାଟ କରିଥିଲେ ଲୁଟେରା । ଗାଢକଣର ଉମାକାନ୍ତ ମିଶ୍ର ତାଙ୍କ ପରିବାର ସହିତ ଏକ ଅଟୋରେ ଷ୍ଟେସନ ଅଭିମୁଖେ ବାହାରିଥିବା ବେଳେ ତିନିଜଣ ଯୁବକ ବାଇକରେ ଆସି ପିସ୍ତଲ ଦେଖାଇଥିଲେ ।  ଭୟରେ ଅଟୋରେ ଥିବା ପରିବାର  ସମସ୍ତ ଗହଣା ଖୋଲି ଲୁଟେରା ମାନଙ୍କୁ ଦେଇ ଦେଇଥିଲେ । ତେବେ ସେଠାରୁ ଯାଇ ସମାନ ରାସ୍ତାରେ ଅନ୍ୟ ଦୁଇଜଣଙ୍କ ଠାରୁ ମଧ୍ୟ ଲୁଟ କରିଥିଲେ ଲୁଟେରା ।

ଗତ କିଛିଦିନ ତଳେ ଖଣ୍ଡଗିରି ବାରିରୁ ଲୁଟ ହୋଇଥିବା କାରକୁ ଉଦ୍ଧାର କରିବାରେ ସକ୍ଷମ ହୋଇପାରିନାହିଁ କମିସନରେଟ ପୋଲିସ । ସେହିଭଳି ପୋଖରୀପୁଟର କାରଲୁଟ ଘଟଣାର ମଧ୍ୟ  ଖିଅ ପାଉନାହିଁ ପୋଲିସ । ମୋଟାମୋଟି ଦେଖିବାକୁ ଗଲେ ରାଜଧାନୀକୁ ଅପରାଧ ମୁକ୍ତ କରିବାକୁ ଗୋଟିଏ ପଟେ ପୋଲିସ ଅପରେସନ ପରେ ଅପରେସନ କରୁଥିବା ବେଳେ  ଅପରାଧୀମାନେ କିନ୍ତୁ ସେମାନଙ୍କର କାମ ଜାରି ରଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.