ବାର୍ କାଉନସିଲ୍ ଅଫ୍ ଇଣ୍ଡିଆର କଡା ଚେତାବନୀ : ତୁରନ୍ତ ଆନ୍ଦୋଳନ ପ୍ରତ୍ୟାହାର କରା ନହେଲେ କଡା କାର୍ଯ୍ୟାନୁଷ୍ଠାନ

Published By : Prameya-News7 Bureau | October 29, 2019 IST

କଟକ ୨୯।୧୦: ଓକିଲମାନଙ୍କ ଆନ୍ଦୋଳନ ଯୋଗୁଁ ବାରମ୍ବାର କୋର୍ଟ କାର୍ଯ୍ୟ ବ୍ୟାହତ ହେବାକୁ ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି  ବାର୍ କାଉନସିଲ ଅଫ୍  ଇଣ୍ଡିଆ । ତୁରନ୍ତ ଆନ୍ଦୋଳନ ବନ୍ଦ କରିବା ଲାଗି ଓକିଲମାନଙ୍କୁ ଚିଠି କରିଛନ୍ତି ବାର୍ କାଉନସିଲ ଅଫ୍  ଇଣ୍ଡିଆ ।  ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ ଓଡ଼ିଶାରେ କାର୍ଯ୍ୟରତ ୬୮ଟି ବାର୍ ଆସୋସଏସନ୍ ସଭାପତି ଓ ସଂପାଦକଙ୍କୁ ଚିଠି ଲେଖିଛନ୍ତି । ଏଥିରେ ବିସିଆଇ ଦର୍ଶାଇଛି ଯେ, ସୁପ୍ରିମକୋର୍ଟ ଓକିଲମାନଙ୍କ ଆନ୍ଦୋଳନକୁ ନେଇ ତୀବ୍ର ପ୍ରତିକ୍ରିୟା ରଖିଛନ୍ତି । ଏହାକୁ ଦୃଷ୍ଟିରେ ରଖି ବିସିଆଇ ଓଡ଼ିଶାର ବାର୍ ଆସୋସିଏସନ୍ ଗୁଡ଼ିକୁ ସେମାନଙ୍କର ଆନ୍ଦୋଳନ ବନ୍ଦ କରିବା ଲାଗି ଅନୁରୋଧ କରିଛି। ଓକିଲମାନେ ଯଦି ତୁରନ୍ତ ପାଳନ ନ କରନ୍ତି ତେବେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆ ଯାଇପାରେ । ଯଦି କୌଣସି ଓକିଲଙ୍କ ଦୋଷ ପ୍ରମାଣିତ ହୁଏ ତେବେ ସେମାନେ ଆଉ କୋର୍ଟ କାର୍ଯ୍ୟରେ ଯୋଗ ଦେଇପାରିବେନି । ସେହି ଓକିଲଙ୍କୁ ଅଯୋଗ୍ୟ ଘୋଷଣା କରାଯାଇପାରେ ।

ପୂର୍ବରୁ ଓଡ଼ିଶାରେ ଓକିଲମାନଙ୍କ ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟ ବାର୍ କାଉନସିଲ ଅଫ୍ ଇଣ୍ଡିଆର ଆଭିମୁଖ୍ୟ ଜାଣିବାକୁ ଚାହିଁଥିଲେ । ହାଇକୋର୍ଟ ବାର୍ ଆସୋସିଏସନର ସଭାପତି ଗୋପାଳ କୃଷ୍ଣ ମହାନ୍ତି କହିଛନ୍ତି ଯେ, ସେମାନେ ବାର୍ କାଉନସିଲ୍ ଅଫ୍ ଇଣ୍ଡିଆର ଚିଠି ପାଇଛନ୍ତି । ଯେଉଁଥିଲେ ଆନ୍ଦୋଳନ ପ୍ରତ୍ୟାହୃତ କରିବାକୁ ଉଲ୍ଲେଖ ରହିଛି । ସେପଟେ ଓଡିଶା ଷ୍ଟେଟ୍ ବାର୍ ଆସୋସିଏସନର ଅଧ୍ୟକ୍ଷ ଟହଲି ଚରଣ ମହାନ୍ତି କହିଛନ୍ତି ଯେ, ସେଭଳି କୌଣସି ଚିଠି ତାଙ୍କର ହସ୍ତଗତ ହୋଇନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.